ଆଜି ଦେବ ଦୀପାବଳୀ; ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଶ୍ରାଦ୍ଧ ନୀତି

ପୁରୀ: ମାର୍ଗଶୀର କୃଷ୍ଣ ଚତୁର୍ଦଶୀ। ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଦେବ ଦୀପାବଳୀ। ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ୟୁଷ୍ୟମାନଙ୍କ ଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିନି ଦିନ ଦୀପଦାନ କରନ୍ତି । ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ଦିନ ଅଦିତି କଶ୍ୟପଙ୍କ ଉଦ୍ଦେଶ୍ୟରେ , ଆମାବାସ୍ୟା ଦିନ ଦଶରଥ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ , ପ୍ରତିପଦା ଦିନ ବସୁଦେବ ଦେବକୀ, ନନ୍ଦ ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରନ୍ତି। ପ୍ରଥମ ଦିନରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇ ତୃତୀୟ ଓ ଶେଷ ଦିନରେ ଶେଷଦୀପାବଳି ଉତ୍ସବ ଶ୍ରୀମନ୍ଦିରରେ ପାଳନ କରାଯାଏ ।

ଏହିଦିନ ମାନଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧବେଶରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରୁଥିବାରୁ ଏହାକୁ ଦେବ ଦୀପାବଳି କୁହାଯାଏ । ନିର୍ବଂଶ ହୋଇଯିବା ପାଇଁ ବରମାଗି- ଥିବା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ମଧ୍ୟ ଜଗନ୍ନାଥ ନିଜେ ଶ୍ରାଦ୍ଧ ଦେଉଥିବା ମତ ରହିଛି। ଏହି ବେଶରେ ପୁଷ୍ପାଳକ ସେବକମାନେ ଠାକୁରମାନଙ୍କୁ ଶ୍ରାଦ୍ଧବେଶରେ ନାଗପୁରୀ ଶାଢ଼ି ଚାଦରରେ ଭୂଷିତ କରାଇଥାନ୍ତି । ଏହି ସମୟରେ ଶ୍ରୀବିଗ୍ରହମାନଙ୍କୁ ସାଧାବେଶରେ ସଜ୍ଜିତ କରାଯାଏ । ଏଥିରେ ଠାକୁରମାନେ ଧଳା ବସ୍ତ୍ର ପରିଧାନ କରିଥାନ୍ତି । କିନ୍ତୁ ପ୍ରତ୍ୟେକ ଠାକୁରଙ୍କ ଧଡ଼ି ଗୁଡିକ ଭିନ୍ନ ରଙ୍ଗର ହୋଇଥାଏ ।
ଶ୍ରୀଜଗନ୍ନାଥ : ସୂତାଶାଢ଼ି (ନାଗପୁରୀ ଶାଢ଼ି) ଲମ୍ବା ୧୬ ହାତ କିମ୍ବା ୧୮ ହାତ, ଧଡ଼ି ଓସାର ଏକ ଫୁଟ ଅଟେ । ଉକ୍ତ ବସ୍ତ୍ରରେ କୁମ୍ଭ ଥାଇ ଧଡ଼ିର ବର୍ଣ୍ଣ ହେଉଛି ନାଲି ।
ଶ୍ରୀବଳଭଦ୍ର: ଲମ୍ବା ୧୪ ହାତ , ଓସାର ୪ ହାତ ,ଧଡ଼ି ଓସାର ୧ ଫୁଟ ,ଉକ୍ତ ବସ୍ତ୍ରର ଧଡ଼ି ବର୍ଣ୍ଣ ହେଉଛି କଳା ।
ଶ୍ରୀସୁଭଦ୍ରା :ଲମ୍ବା ୧୨ ହାତ , ଓସାର ସାଢେ ୩ ଫୁଟ,ଧଡ଼ି ଓସାର ଏକ ଫୁଟ, ଉକ୍ତ ବସ୍ତ୍ର ଧଡ଼ି ବର୍ଣ୍ଣ ହେଉଛି ହଳଦିଆ ।

ଏତଦବ୍ୟତିତ ଶ୍ରୀବିଗ୍ରହମାନଙ୍କ କଳେବର ଗୋଟିଏ ଗୋଟିଏ ଚାଦରରେ ମଣ୍ଡନ ହୋଇଥାଏ । ଶିର ଦେଶରେ ଶ୍ରୀକାପଡା ବସ୍ତ୍ର (ସୂତା ବସ୍ତ୍ର)ରେ ଆବୃତ କରାଯାଏ । ଚାଦରିଟି ଶ୍ରୀଭୁଜରେ ପ୍ରସରି ଥାଏ । ଶ୍ରାଦ୍ଧବେଶରେ ବ୍ୟବହୃତ ହେଉଥିବା ବସ୍ତ୍ରକୁ କାଈ ଧଡ଼ିଆ (ନାଗପୁରୀ) ଲୁଗା କୁହାଯାଏ । ଶ୍ରାଦ୍ଧବେଶରେ ଠାକୁରମାନଙ୍କୁ ଲାଗି କରାଯାଉ ଥିବା ସ୍ୱର୍ଣ୍ଣ ଅଳଙ୍କାର ମଧ୍ୟରେ ତଡ଼ଗୀ, ନଳିଭୁଜ, ଚନ୍ଦ୍ର, ସୂର୍ଯ୍ୟ, କୁଣ୍ଡଳ, ଆଡ଼କାନି, ହରିଡା ମାଳି, ଅଣ୍ଟାକମରପଟୃଇ ପ୍ରଭୂତି ଅନ୍ୟତମ ।

ଦେବ ଦୀପାବଳୀ ଅଵସରରେ ଆଜି ଶ୍ରୀମନ୍ଦିରକୁ ସୁନ୍ଦର ଦୀପ ମାଳାରେ ସଜ୍ଜିତ କରାଯାଇଛି। ନାଟ ମନ୍ଦିର, ଜଗ ମୋହନ ସମେତ ଶ୍ରୀମନ୍ଦିର ଚୂଡ଼ାରେ ଧାଡି ଧାଡି ଦୀପର ଆଲୋକ ଶ୍ରୀମନ୍ଦିର ଶୋଭାକୁ ଦ୍ବିଗୁଣିତ କରିଛି। ମନ୍ଦିର ସମେତ ଗଜପତିଙ୍କ ଶ୍ରୀନହର ଏବଂ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ମଧ୍ୟ ଆଜି ସୁନ୍ଦର ଆଲୋକ ମାଳାରେ ସଜ୍ଜିତ କରାଯାଇଛି। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହାଏକ ନିଛକ ନିଦର୍ଶନ କହିଲେ କିଛି ଅତ୍ୟୁକ୍ତି ହେବନାହିଁ।

Comments are closed.