ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ବଦାନ୍ୟତା,ପେନସନ୍ ରାଶିରେ ସମାଜସେବା ପାଇଁ ଟ୍ରଷ୍ଟ ଗଠନ

ସମ୍ବଲପୁର : ଲୋକଙ୍କ ସମର୍ଥନରେ ବିଧାୟିକା ହୋଇଥିଲି । ତେଣୁ , ପୂର୍ବତନ ବିଧାୟିକା ଭାବେ ମିଳୁଥିବା ପେନସନରେ ମୋର ଅଧିକାର ନାହିଁ । ଏହି ଅର୍ଥରେ ଏକ ଟ୍ରଷ୍ଟ ଗଠନ କରି ଅବହେଳିତଙ୍କ ସେବା ବିଶେଷ କରି ଶିକ୍ଷା ଏବଂ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଗରିବଙ୍କୁ ସହାୟତା କରାଯିବ । ଆଉ ଭବିଷ୍ୟତରେ ମୋର ସମସ୍ତ ସଂପତି ମଧ୍ୟ ସମାଜସେବା ପାଇଁ ଉତ୍ସର୍ଗ କରିବାକୁ ସ୍ଥିର କରିଛି ବୋଲି ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

ଡାକ୍ତର ପାଣିଗ୍ରାହୀ ଚିକିତ୍ସା ପେଶାରୁ ଗତ ୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିକୁ ଆସିଥିଲେ । ଆଉ ବିଜେଡି ଟିକଟରେ ନିର୍ବାଚନ ଲଢି ବିଧାୟିକା ହୋଇଥିଲେ । ତାଙ୍କ ସମୟରେ ସମ୍ବଲପୁରରେ ବିକାଶ ଧାରା ନୂଆ ଇତିହାସ ସୃଷ୍ଟି କରିଥିଲା । ତେବେ , ଗତ ୨୦୧୯ରେ ସେ ଏହି ପଦରୁ ଅବ୍ୟାହତି ନେବା ପରେ ପୂର୍ବତନ ବିଧାୟିକା ଭାବେ ସରକାରଙ୍କ ଠାରୁ ପ୍ରାୟ ୩୨ ହଜାର ଟଙ୍କା ପେନସନ୍‌ ପାଇ ଆସୁଛନ୍ତି । ହେଲେ ବର୍ତ୍ତମାନ ସୁଦ୍ଧା ଏହି ଅର୍ଥକୁ ସେ ଖର୍ଚ୍ଚ କରିନଥିବା ବେଳେ ତାହା ଇତିମଧ୍ୟରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେଲାଣି । ତେବେ , ସେ ଏହି ଅର୍ଥରେ ଶିକ୍ଷା ଏବଂ ସ୍ବାସ୍ଥ୍ୟ କ୍ଷେତ୍ରରେ ଅବହେଳିତ ଲୋକଙ୍କ ସହାୟତା ପାଇଁ ଏକ ଟ୍ରଷ୍ଟ ଗଠନ କରିଛନ୍ତି । ଆଉ ଆଗକୁ ବଞ୍ଚିଥିବା ଯାଏ ମିଳିବାକୁ ଥିବା ପେନସନର ସମସ୍ତ ରାଶି ବି ଏହି ଟ୍ରଷ୍ଟରେ ଜମା ହେବ ବୋଲି ସେ ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ , ଭବିଷ୍ୟତରେ ସେ ତାଙ୍କ ସମସ୍ତ ସଂପତ୍ତିକୁ ସମାଜସେବା ପାଇଁ ଉତ୍ସର୍ଗ କରିବେ ବୋଲି ଆଜି ଘୋଷଣା କରିଛନ୍ତି । ଏହି ଅବସରରେ ଆଜି ସ୍ଥାନୀୟ ହୋଟେଲ ଶିଲା ଟାଓ୍ବାର୍‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟର ରୂପରେଖ ନେଇ ସୂଚନା ଦିଆଯାଇଥିଲା । ଏହି ଟ୍ରଷ୍ଟରେ ସଭାପତି ଭାବେ ପ୍ରଫେସର ଶଙ୍କର ପ୍ରସାଦ ପତି ଥିବା ବେଳେ ସଂପାଦକ ବରିଷ୍ଠ ସାମ୍ବାଦିକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ରହିଛନ୍ତି । ସେହିପରି କୋଷାଧ୍ୟକ୍ଷ ଭାବେ ସ୍ବରୂପ କୁମାର ପାଣିଗ୍ରାହୀ ରହିଥିବା ବେଳେ ସଦସ୍ୟ ଭାବେ ସୁଧୀର ପୂଜାରୀ , ଡାକ୍ତର ବିକାଶ ରଞ୍ଜନ ହୋତା , ବିପିନ ବିହାରୀ ପଣ୍ଡା , ଶିବଶଙ୍କର ନନ୍ଦ ଏବଂ ବିଇଡି କଲେଜର ପୂର୍ବତନ ଅଧ୍ୟକ୍ଷ ଡ . ନିରୁପମା ବଡପଣ୍ଡା ରହିଛନ୍ତି । ଗତକାଲି ସଦସ୍ୟଙ୍କ ଉପସ୍ଥିତିରେ ଏହି ଟ୍ରଷ୍ଟର ଆଭିମୁଖ୍ୟ ଉପସ୍ଥାପନ କରାଯାଇଥିଲା । ଏହି ଟ୍ରଷ୍ଟ ଶିକ୍ଷା ଏବଂ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗରିବ ଲୋକଙ୍କ ସହାୟତା ପାଇଁ କାମ କରିବ ବୋଲି ସ୍ଥିର ହୋଇଛି । ବିଶେଷ କରି ଯୁକ୍ତଦୁଇ ଶିକ୍ଷା ପରେ ଅର୍ଥାଭାବରୁ ପାଠପଢା ବନ୍ଦ କରୁଥିବା ଗରିବ ଛାତ୍ରଛାତ୍ରୀଙ୍କୁ ସହାୟତା ଦିଆଯିବ । ସେହିପରି ଛୋଟ ଛୋଟ ରୋଗରେ ପୀଡିତ ଲୋକେ ଅର୍ଥାଭାବ ଯୋଗୁଁ ଚିକିତ୍ସାରୁ ବଞ୍ଚିତ ହେଲେ ସେମାନଙ୍କୁ ମଧ୍ୟ ସହାୟତା ଦିଆଯିବ ବୋଲି ପ୍ରଫେସର ପତି ସୂଚନା ଦେଇଥିଲେ । ଏହାଛଡା ଆଗାମୀ ଦିନରେ ଏହା ସମସ୍ତ ଇଚ୍ଛୁକ ବଦାନ୍ୟ ବ୍ୟକ୍ତିଙ୍କ ମଧ୍ୟ ସହାୟତା ଯାଇ ଟ୍ରଷ୍ଟର କଳେବରକୁ ବୃଦ୍ଧି କରାଯିବ ବୋଲି ସେ ସୂଚନା ଦେଇଥିଲେ ।

Comments are closed.