ପରିବାର ନିୟୋଜନ ଅସ୍ତ୍ରୋପଚାରରେ ରେକର୍ଡ, ଡା.ସଦାନନ୍ଦ ପାଣିଗ୍ରାହୀଙ୍କୁ ରାଜ୍ୟ ସରକାର କଲେ ସମ୍ମାନୀତ

୧୪ ଦିନରେ କରିଥିଲେ ୫୬୦ ବନ୍ଧ୍ୟାକରଣ ଅସ୍ତ୍ରୋପଚାର

ଭବାନୀପାଟଣା : ପରିବାର ନିୟୋଜନ ଅସ୍ତ୍ରୋପଚାର କ୍ଷେତ୍ରରେ ଅଭୂତପୂର୍ବ ସଫଳତା କରି ଚର୍ଚ୍ଚାକୁ ଆସିଛନ୍ତି ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ । ମାତ୍ର ୧୪ ଦିନରେ ୫୬୦ ଜଣ ମହିଳାଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ସଫଳତାର ସହ କରିଥିବା ଯୋଗୁଁ ତାଙ୍କୁ ରାଜ୍ୟ ସରକାର ସମ୍ମାନୀତ କରିଛନ୍ତି । ଏତେ କମ୍ ସମୟରେ ସର୍ବାଧିକ ଅସ୍ତ୍ରୋପଚାର କରିବାରେ ସେ ହେଉଛନ୍ତି ରାଜ୍ୟରେ ତୃତୀୟ ଏବଂ କଳାହାଣ୍ଡିର ପ୍ରଥମ ଡାକ୍ତର । ନଭେମ୍ବର ୨୨ ତାରିଖରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ସମଗ୍ର ବିଶ୍ବରେ ବିଶ୍ବ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ କରାଯାଉଛି । ଏହି ଅବସରରେ ଓଡ଼ିଶା ସ୍ଵାସ୍ଥ୍ୟ ମିଶନ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ଚାଲିଥିବା ଏହି ଉତ୍ସବ ଅବସରରେ ପରିବାର ନିୟୋଜନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କରୋନା କଟକଣା ଯୋଗୁଁ ମହିଳା ବନ୍ଧ୍ୟାକରଣ କ୍ଷେତ୍ରରେ ସଫଳ ବ୍ୟକ୍ତିବିଶେଷଙ୍କୁ ସମ୍ମାନୀତ କରାଯାଇ ପାରି ନଥିଲା । ଏଣୁ ପୁରୁଷ ବନ୍ଧ୍ୟାକରଣ ପକ୍ଷ ପାଳନ ବେଳେ ସେମାନଙ୍କୁ ମଧ୍ୟ ସମ୍ମାନୀତ କରାଯାଇଥିଲା । ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟରେ ସର୍ବାଧିକ ୫୬୦ଜଣ ମହିଳାଙ୍କୁ ସଫଳତାର ସହ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରିଥିବା ଡା . ପାଣିଗ୍ରାହୀଙ୍କୁ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ ଡ . ଅଜିତ ମହାନ୍ତି , ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଓ ଅତିରିକ୍ତ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ମୂରଲୀ ପାଢ଼ୀଙ୍କ ଉପସ୍ଥିତିରେ ସମ୍ମାନୀତ କରିଥିଲେ । ଏହି ସଫଳତା ଯୋଗୁଁ ଡା.ପାଣିଗ୍ରାହୀଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

Comments are closed.