ସାରା ରାଜ୍ୟରେ ଆଜି ପାଳିତ ହେଉଛି ‘କୁରାଳ ପଞ୍ଚମୀ’ ପର୍ବ । ଆଜିଠାରୁ ଦୀର୍ଘ ୫ ଦିନ ଧରି କଞ୍ଚାହାଣ୍ଡି କି ଗଢା ମାଟିକୁ ସ୍ପର୍ଶ କରିବେନି କୁମ୍ଭାର ପରିବାର। ଏହି ସମୟରେ ଶ୍ରୀମନ୍ଦିରକୁ ବନ୍ଦ ରହିବ ମହାପ୍ରସାଦ ପ୍ରସ୍ତୁତ ପାଇଁ ଆବଶ୍ୟକ ହେଉଥିବା ମାଟି କୁଡୁଆ ଯୋଗାଣ।
ମାର୍ଗଶିର ମାସ ଶୁକ୍ଳପକ୍ଷ ପଂଚମୀକୁ କୁହାଯାଏ କୁରାଳ ପଂଚମୀ । ଶ୍ରୀକ୍ଷେତ୍ର ସମେତ ସମଗ୍ର ଓଡିଶାର କୁମ୍ଭକରାମାନଙ୍କ ପ୍ରସିଦ୍ଧ ପର୍ବ ହେଉଛି କୁରାଳ ପଂଚମୀ ପର୍ବ । ଦୀର୍ଘ ପାଂଚଦିନ ବ୍ୟାପୀ ପାରଂପରିକ ରୀତି ଅନୁସାରେ, ଏହି ପର୍ବ ପାଳନ କରାଯାଏ । ଶ୍ରୀକ୍ଷେତ୍ର ପୁରୀର କୁମ୍ଭାରପଡା, ଜେନାପୁର, ଟିକରପଡା, ନୂଆ ସାହି ସମେତ ବିଭିନ୍ନ କୁମ୍ଭକାର ବସ୍ତିରେ ମହାଆଡମ୍ବର ସହକାରେ ଏହିପର୍ବ ଆଜି ପାଳିତ ହେଉଛି ।
କିମ୍ବଦନ୍ତୀ ଅନୁସାରେ ପାଣ୍ଡବମାନେ ବନବାସ କାଳରେ କୁମ୍ଭାରଶାଳରେ ଆଶ୍ରୟ ନେଇଥିଲେ । ଏହି ସମୟରେ କୌରବମାନେ ଜଉଘରେ ପାଣ୍ଡବ ମାନଙ୍କୁ ପୋଡ଼ିଦେବାକୁ ଉଦ୍ୟମ କରିଥିଲେ । ଜଉଘରର ଏକ ଗୁପ୍ତସୁଡ଼ଙ୍ଗ ଥିବା ବିଷୟରେ ବିଦୂର ଶ୍ରୀକୃଷ୍ଣଙ୍କୁ ଆଗରୁ କହିଦେଇଥିଲେ । ଶ୍ରୀକୃଷ୍ଣ ସେହି ଗୁପ୍ତସୁଡ଼ଙ୍ଗର ସୂଚନା ମଧ୍ୟ ପାଣ୍ଡବ ମାନଙ୍କୁ ଆଗରୁ ଦେଇଥିଲେ । ଉକ୍ତ ସୁଡ଼ଙ୍ଗ ଦେଇ ପାଣ୍ଡବମାନେ ଆସି କୁମ୍ଭାରଶାଳରେ ଆଶ୍ରୟ ନେଇଥିଲେ, ଯାହାକି ଦ୍ରୁପଦ ରାଜ୍ୟରେ ଅବସ୍ଥିତ ଥିଲା । ଅର୍ଜୁନ ମାଛ ଆଖିକୁ ଲାକ୍ଷବିନ୍ଧି ଦୌପଦୀଙ୍କୁ ଏହି ପଞ୍ଚମୀଦିନ ବିବାହ କରି କୁମ୍ଭାରଶାଳକୁ ଆସି ହସ୍ତିନା ଫେରିଥିଲେ ।
ପରମ୍ପରା ଆଧାରରେ ଏହି ପାଂଚଦିନ ଶ୍ରୀମନ୍ଦିରକୁ ହାଣ୍ଡିକୁଡୁଆ ଯୋଗାଣ ସଂପୂର୍ଣ୍ଣ ବନ୍ଦ ରହିଥାଏ । ଏପରିକି ଏହି ସମୟରେ କଂଚାହାଣ୍ଡି କିମ୍ବା ଗଢା ମାଟିକୁ ସ୍ପର୍ଶ କରିବା କୁମ୍ଭକାର ମାନଙ୍କର ନିଷେଧ ବୋଲି କୁହାଯାଏ ।ପରଂପରା ଅନୁଯାୟ କୁମ୍ଭକାର ମାନେ ଏହିପର୍ବ ପାଳନ ଅବସରରେ ହାଣ୍ଡି,କୁଡୁଆ ଆଦି ଗଢିବା କାର୍ଯ୍ୟ ବନ୍ଦ ରଖି ସେମାନଙ୍କ ଇଷ୍ଟଦେବ ରୁଦ୍ରପାଳ ଓ ଇଷ୍ଟଦେବୀ ରତ୍ନେଶ୍ୱରୀଙ୍କ ଆରାଧନା କରିଥାନ୍ତି । କୌଳିକ ବୃତିରେ ବ୍ୟବହୃତ ଚକ, ପିଣ୍ଡ, ପିଟଣା, ଭାଟି ଆଦି ସାଜ ସରଂଜାମ ଏହି ପର୍ବରେ ପୂଜା କରାଯାଇଥାଏ । ପ୍ରତ୍ୟେକ କୁମ୍ଭାକାର ପରିବାରରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ପୂଜାମଣ୍ଡପ ଗୁଡିକରେ ରୁଦ୍ରପାଳ, ରତ୍ନେଶ୍ୱରୀଙ୍କ ମୃଣ୍ମୟ ମୂର୍ତ୍ତିକୁ ପୂଜା କରିଥାନ୍ତି।
ଭକ୍ତକବି ଦୀନକୃଷ୍ଣ ଦାସଙ୍କ ରଚିତ ‘କୁରାଳ ପୁରାଣ’ରେ ରୁଦ୍ରପାଳଙ୍କ ଓ ରତ୍ନେଶ୍ୱରୀଙ୍କ ସଂପର୍କରେ ଉଲ୍ଲେଖ ରହିଛି।ଏହି ପୁରାଣର ବର୍ଣ୍ଣନା ଅନୁଯାୟୀ ସୃଷ୍ଟି ଆରମ୍ଭ ହେବାପରେ ମାନବ ମାନଙ୍କ ଦ୍ୱାରା ଖାଦ୍ୟପ୍ରସ୍ତୁତି ପାଇଁ ଭଗବାନ ବିଷ୍ଣୁ କୁମ୍ଭକାର ମାନଙ୍କୁ ସୃଷ୍ଟି କରିଥିଲେ। ପ୍ରଥମେ କୁମ୍ଭକାର ରୂପେ ବିଷ୍ଣୁପୁତ୍ର ରୁଦ୍ରପାଳ ସୃଷ୍ଟିହେଲେ । ମୃତ୍ତିକା ପାତ୍ର ନିର୍ମାଣ ପାଇଁ ଭଗବାନ ବିଷ୍ଣୁ ରୁଦ୍ରପାଳଙ୍କୁ ନିଜର ଆୟୁଧ ଶଂଖ, ଚକ୍ର, ଗଦା ଓ ପଦ୍ମ ସହିତ ଗୋଟିଏ ଖିଅ ପଇତା ପ୍ରଦାନ କରିଥିଲେ ।
ହିନ୍ଦୁ ସମାଜରେ ସମସ୍ତ ପୂଜା ପାର୍ବଣରେ ମୃତିକାରେ ନିର୍ମିତ କଳସ ଅଗ୍ରପୂଜା ହୋଇଥାଏ । ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ପାଇଁ ଏହି ମାଟିପାତ୍ରରେ ଅନ୍ନ ମହାପ୍ରସାଦ ପ୍ରସ୍ତୁତ କରା ଯାଇଥାଏ ।ପର୍ବପାଳନ ପରେ କୁମ୍ଭକାର ନିଯୋଗ ପକ୍ଷରୁ ଏକ ସାଧାରଣସଭା ଡକାଯାଇ ଜ୍ୟୋତିଷଙ୍କ ଦ୍ୱାରା ଶୁଭଅନୁକୂଳ ସମୟ ନିର୍ଧାରଣ କରାଯିବ ।ନିର୍ଧାରିତ ସମୟରେ ସମସ୍ତ କୁମ୍ଭକାର ଏକ କାଳୀନ ଆସନ୍ତାବର୍ଷ ନିମନ୍ତେ ମାଟି ଅନୁକୂଳ କରିବା ପରେ ମାଟିହାଣି ଗଢାକାର୍ଯ୍ୟ ଆରମ୍ଭ କରିବା ର ପରଂପରା ରହିଛି ।
Comments are closed.