ଓସେପା ତରଫରୁ ରାଜ୍ୟସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର : ଓସେପା ଆନୁକୁଲ୍ୟରେ ଚଳିତ ମାସ ଡିସେମ୍ବର ୭ ଓ ୮ ତାରିଖରେ ରାଜ୍ୟସ୍ତରୀୟ କଳା ଉତ୍ସବ – ୨୦୨୧ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ହେତୁ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ପିଲାମାନଙ୍କୁ ତଥା ଶିକ୍ଷକ ଓ ଅଭିଭାବକମାନଙ୍କୁ ପାଠପଢା ସହିତ ପିଲାର ସାମଗ୍ରିକ ଦକ୍ଷତା ବିକାଶ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ।

ଗତବର୍ଷର ଜାତୀୟସ୍ତର ବିଜେତା ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ତରଫରୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ଓସେପାର ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧୁରୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କର କଳା ଓ ସଂସ୍କୃତି ପାଇଁ ଆଗ୍ରହ ତଥା ସାମଗ୍ରିକ ବିକାଶର ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲେ କଳା ଓ ସଂସ୍କୃତି ମାଧ୍ୟମରେ ଓଡିଶାର ପାରମ୍ପରିକ କଳାକୁ ଦେଶ ତଥା ବିଶ୍ଵସମୂହରେ ପହଞ୍ଚାଇବା ପାଇଁ ପିଲାମାନଙ୍କ ପ୍ରଚେଷ୍ଟାକୁ ଉତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ଦିବସ ଅବସରରେ ବଲାଙ୍ଗୀର ସ୍ଥିତ ପଥରଚେପା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ରୂପାନ୍ତରିତ ବିଦ୍ୟାଳୟ ସଂଗୀତ ‘ ହସିବରେ ହସିବ ’ ଗୀତ ଗାଇ ଶୁଭାରମ୍ଭ କରିଥିଲେ । ବିଦ୍ୟାର୍ଥୀମାନଙ୍କ ପ୍ରତିଯୋଗିତା ମୂଲ୍ୟାୟନ ଏକ ସ୍ଵତନ୍ତ୍ର ବିଚାରକ ମଣ୍ଡଳୀ ଦ୍ଵାରା କରାଯାଇଥିଲା । ଏହି ପ୍ରତିଯୋଗିତାଗୁଡିକୁ ୦୯ ଭାଗରେ ବିଭକ୍ତ କରାଯାଇ ପରିବେଷଣ କରଯାଇଥିଲା । ସେଗୁଡିକ ମଧ୍ୟରୁ ଭୋକାଲ ଶାସ୍ତ୍ରୀୟ ସଂଗୀତ , ଶାସ୍ତ୍ରୀୟ ନୃତ୍ୟ , ଲୋକ ନୃତ୍ୟ , ବାଦ୍ୟଯନ୍ତ୍ର ଶାସ୍ତ୍ରୀୟ , ବାଦ୍ୟଯନ୍ତ୍ର ଲୋକ ଏବଂ ସ୍ଵଦେଶୀ ଖେଳ ଇତ୍ୟାଦି ଅନ୍ୟତମ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୯୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ରାଜ୍ୟସ୍ତରୀୟ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ୧୮ ଜଣ ପ୍ରତିଯୋଗୀଙ୍କୁ ଜାତୀୟସ୍ତରୟ କଳା ଉତ୍ସବରେ ଭାଗ ନେବାକୁ ସୁଯୋଗ ମିଳିବ । କାର୍ଯ୍ୟକ୍ରମକୁ ଓସେପାର ଅତିରିକ୍ତ ନିର୍ଦ୍ଦେଶକ ପ୍ରଦୀପ କୁମାର ନାୟକ ଓ ଉପ ନିର୍ଦ୍ଦେଶିକା କଳ୍ପନା ହାଁସଦା ପରିଚାଳନା କରିଥିଲେ ।

Comments are closed.