୨୬ରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ: ବ୍ଲକ, ସହରାଞ୍ଚଳରୁ ରାଜ୍ୟସ୍ତର ଯାଏ ପ୍ରତିଷ୍ଠା ଦିବସ ପାଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ବର: ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳ ତାର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି। ଏକ ଆଞ୍ଚଳିକ ଦଳ ଭାବେ ବିଜେଡି ପାଇଁ ଏହି ସଫଳତାର ଅଢେଇ ଦଶନ୍ଧି ବେଶ୍ ଗୁରୁତ୍ବପୂର୍ଣ୍ଣ ଓ ବିରାଟ ଉପଲବ୍ଧି ମଧ୍ଯ। ତେଣୁ ଏହି ଦିବସକୁ ବ୍ଲକ, ସହରାଞ୍ଚଳରୁ ଆରମ୍ଭ କରି ଜିଲ୍ଲା ଓ ରାଜ୍ୟସ୍ତର ଯାଏ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ସେହିପରି ଦଳର ଏହି ସଫଳତାର ଶ୍ରେୟ ଦଳର ସମସ୍ତ କର୍ମୀଙ୍କୁ ଦେଇଛନ୍ତି। ସେହିପରି ଡିସେମ୍ବର ୨୬ ତାରିଖରୁ ବର୍ଷବ୍ୟାପି ବିଭିନ୍ନ ଜନସେବା କାମ କରି ଲୋକଙ୍କ ନିକଟତର ହେବାକୁ ହାଇକମାଣ୍ଡ ପତ୍ର ମାଧ୍ୟମରେ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି।

ପତ୍ରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡିସେମ୍ବର ୨୬ରେ ବିଜୁ ଜନତା ଦଳ ତା’ର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବ । ଏହା ଆମ ପାଇଁ ଅତ୍ୟନ୍ତ ଖୁସିର ବିଷୟ । ଦଳର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଗର୍ବ ଓ ଗୌରବର କଥା । ବିଗତ ୨୪ ବର୍ଷ ଧରି ଉତ୍ସର୍ଗୀକୃତ ମନୋଭାବ ନେଇ କାମ କରି ଆସୁଥିବା ଏକ ଆଞ୍ଚଳିକ ରାଜନୈତିକ ଦଳ ପାଇଁ ଏହା ଏକ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଉପଲବ୍ଧ । ଏ ଅବସରରେ ଆପଣମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ । ଓଡ଼ିଶାର ଅଗଣିତ ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନରେ ବିଜୁ ବାବୁଙ୍କ ନୀତି ଏବଂ ଆଦର୍ଶରେ ଗଠିତ ଏହି ଆଞ୍ଚଳିକ ଦଳ ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖୁଛି । ଦଳର କର୍ମକର୍ତ୍ତା ତଥା ଗାଁରୁ ସହର ସବୁଠି ଲୋକସେବାରେ ନିୟୋଜିତ ଥିବା ଅଗଣିତ କର୍ମୀଙ୍କର ନିଷ୍ଠା , କଠିନ ପରିଶ୍ରମ ଓ ତ୍ୟାଗ ବିଜୁ ଜନତା ଦଳକୁ ଆଜି ଲୋକଙ୍କ ନିକଟତର କରିଛି । କୋଭିଡ୍ ମହାମାରୀ ପରିସ୍ଥିତିରେ ଆପଣମାନେ ଯେଉଁଭଳି ଧୈର୍ଯ୍ୟ , ତ୍ୟାଗ , ନିଷ୍ଠା ଏବଂ ଉତ୍ସର୍ଗୀକୃତ ସେବା ମନୋଭାବ ପ୍ରଦର୍ଶନ କରିଛନ୍ତି , ସେଥ୍‌ପାଇଁ ମୁଁ ଗର୍ବିତ । କୋଭିଡ଼ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାରେ ଆପଣମାନଙ୍କର ସହଯୋଗ ଆଜି ଆମକୁ ବିଶ୍ଵ ଦରବାରରେ ପହଞ୍ଚାଇଛି । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଆମ କୋଭିଡ଼ ପରିଚାଳନାକୁ ସମଗ୍ର ବିଶ୍ଵରେ ଜନସହଯୋଗର ଏକ ଅଭୂତପୂର୍ବ ଉଦାହରଣ ଭାବରେ ଅଭିହିତ କରି ଓଡ଼ିଶାବାସୀଙ୍କ ସହଯୋଗର ଭୂୟସୀ ପ୍ରଶଂସା କରିଛନ୍ତି ।

ଆସନ୍ତା ୨୬ ତାରିଖରେ ଦଳର ୨୫ତମ ପ୍ରତିଷ୍ଠା ଦିବସ ରାଜ୍ୟ ସ୍ତରରେ ଏବଂ ପ୍ରତ୍ୟେକ ବ୍ଲକ ଏବଂ ସହରାଞ୍ଚଳରେ ପାଳନ କରାଯିବ । ବ୍ଲକ ମୁଖ୍ୟାଳୟରେ ଦଳର ସମସ୍ତ ନିର୍ବାଚିତ ପ୍ରତିନିଧ୍ଵ , ବ୍ଳକ , ଯୁବ , ଛାତ୍ର , ମହିଳା ଏବଂ ବରିଷ୍ଠ ବିଜେଡ଼ି କମିଟିର ସମସ୍ତ ସଦସ୍ୟ , ବିଜେଡ଼ି ପଞ୍ଚାୟତ ସଭାପତିଙ୍କ ସହିତ ନିକଟରେ ପ୍ରତି ବ୍ଲକରେ ଗଠିତ ହୋଇଥିବା ଜୋନ୍ କମିଟିର ବ୍ଲକ କୋଅର୍ଡିନେଟର , କୋନ୍ କୋଅର୍ଡିନେଟର , ଜୋନ୍ କମିଟି ସଦସ୍ୟ ଏବଂ ପଞ୍ଚାୟତ କମିଟିର ସଦସ୍ୟଗଣ ଉପସ୍ଥିତି ରହିବେ । ଏଥ୍ ସହିତ ୨୫ଜଣ ପ୍ରାଥମିକ ସଦସ୍ୟ ସଂଗ୍ରହ କରିଥିବା ସମସ୍ତ ସକ୍ରିୟ ସଭ୍ୟ ଏହି ପ୍ରତିଷ୍ଠା ଦିବସ ପାଳନ ସମାରୋହରେ ଯୋଗ ଦେବେ । ସେହିଭଳି ପ୍ରତ୍ୟେକ ସହରାଞ୍ଚଳ ମୁଖ୍ୟାଳୟରେ ଦଳର ବିଭିନ୍ନ ପଦାଧୀକାରୀ , ନିର୍ବାଚିତ ପ୍ରତିନିଧ୍ଵ , ନଗର ଯୁବ , ଛାତ୍ର , ମହିଳା ଏବଂ ବରିଷ୍ଠ ବିଜେଡ଼ କମିଟିର ସମସ୍ତ ସଦସ୍ୟ , ୱାର୍ଡ଼ କମିଟିର ସମସ୍ତ ସଦସ୍ୟ ଏବଂ ୨୫ ଜଣ ବ୍ୟକ୍ତିଙ୍କୁ ଦଳର ପ୍ରାଥମିକ ସଦସ୍ୟ ସଂଗ୍ରହ କରିଥିବା ସକ୍ରିୟ ସଭ୍ୟମାନେ ଯୋଗ ଦେବେ । ମୁଁ ଭୁବନେଶ୍ବରରୁ ୨୬ ଡିସେମ୍ବର ଅପରାହ୍ନ ଘ୪.୩୦ ମିନିଟ୍ ସମୟରେ ଆପଣମାନଙ୍କ ସହିତ ଯୋଗ ଦେବି ଏବଂ ଆମେ ସମସ୍ତେ ମିଳିମିଶି ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳନ କରିବା ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ସେହିପରି ଡିସେମ୍ବର ୨୬ ଠାରୁ ବର୍ଷ ସାରା ବିଭିନ୍ନ ସାଂଙ୍ଗଠନିକ କାର୍ଯ୍ୟକ୍ରମ , ସମାଜ କଲ୍ୟାଣ କାର୍ଯ୍ୟକ୍ରମ ଏବଂ ଲୋକସେବା ମାଧ୍ୟମରେ ରାଜ୍ୟବାସୀଙ୍କ ଆହୁରି ନିକଟତର ହେବା , ଦଳୀୟ ଏକତା , ଶୃଙ୍ଖଳା ବଜାୟ ରଖ୍ ତ୍ୟାଗ ଏବଂ ନିଷ୍ଠାର ସହିତ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ପୂର୍ବ ପ୍ରାଣରେ ସମର୍ପିତ କରିବା ହିଁ ହେବ ଏହି ପ୍ରତିଷ୍ଠା ଦିବସରୁ ଆମର ଆଗାମୀ କାଲି ପାଇଁ ଦଳୀୟ କାର୍ଯକ୍ରମର ଖସଡ଼ା । ଏହି ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କର ଆମ ଉପରେ ରହିଥିବା ଆସ୍ଥା ବଜାୟ ରଖୁବା , ଜନସେବାକୁ ଆମ ରାଜନୀତିର ମୂଳମନ୍ତ୍ର ଭାବରେ ଗ୍ରହଣ କରି କାମ କରିବା ବୋଲି ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ କୋଭିଡ ନିୟମ ପାଳନ କରିବାକୁ ଆହ୍ବାନ ଦେଇଛନ୍ତି।

Comments are closed.