ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖରଙ୍କ ୧୮୭ ତମ ଜୟନ୍ତୀ ଅନୁଷ୍ଠିତ

ଉତ୍କଳ ବ୍ରାହ୍ମଣ ସମିତି ଓ ଚନ୍ଦ୍ରଶେଖର ପାଠାଗାର ପୁରୀ (ହେରାଗୋହିରୀ ସାହି)ର ମିଳିତ ଆନୁକୁଲ୍ୟରେ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖରଙ୍କ ୧୮୭ ତମ ଜୟନ୍ତୀ ସୋମବାର ପୁରୀଠାରେ ପାଳିତ ହୋଇଯାଇଛି। ଏହିଉତ୍ସବରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ଜ୍ୟୋତିର୍ବିଦ ଡଃ ନରେଶ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାମନ୍ତ ଚନ୍ଦ୍ରଶେଖରଙ୍କ ଜୀବନୀ ଓ କୃତିତ୍ୱ ବିଷୟରେ ଆଲୋଚନା କରିଥିଲେ। ସମ୍ମାନିତ ବକ୍ତା ତଥା ଉତ୍କଳ ବ୍ରାହ୍ମଣ ସମିତିର ବରିଷ୍ଠ ସଦସ୍ୟ ଶ୍ରୀ ହରିଶଙ୍କର ମିଶ୍ର ଚନ୍ଦ୍ରଶେଖରଙ୍କ ଆଧୁନିକ ବିଜ୍ଞାନ ତଥା ଜ୍ୟୋତିଷ ଶାସ୍ତ୍ର ପ୍ରତି ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସମସ୍ତ ବେଦର ଚକ୍ଷୁ ହେଉଛି ଜ୍ୟୋତିଷ ଶାସ୍ତ୍ର ବୋଲି ଶାସ୍ତ୍ରୀୟ ପ୍ରମାଣ ସହିତ ନିଜର ମତ ରଖିଥିଲେ।

ଅନୁଷ୍ଠାନର ସଭାପତି ଶ୍ରୀ ରଘୁନାଥ ମହାପାତ୍ର ଉକ୍ତ ଜୟନ୍ତୀ ସଭାରେ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ନନ୍ଦ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସଭା ପ୍ରାରମ୍ଭରେ ଡ଼ଃ ଶ୍ରୀନିବାସ ଆଚାର୍ଯ୍ୟ ବେଦପାଠ କରିଥିଲେ। ଏହି ଅଵସରରେ ସାମନ୍ତ ଚନ୍ଦ୍ରଶେଖର ଙ୍କ ପ୍ରତିକୃତିରେ ଅତିଥିମାନେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ। ଅନୁଷ୍ଠାନ ତରଫରୁ କରାଯାଇଥିବା ପୁରୀ ପୈାରାଞ୍ଚଳ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଶ୍ୱେତପଦ୍ମା ବିଶ୍ବାଳ- ପ୍ରଥମ, ଲକ୍ଷ୍ମୀପ୍ରିୟା ତ୍ରିପାଠୀ- ଦ୍ବିତୀୟ ଓ ପ୍ରୀୟାଂସୀ ଦାଶ- ତୃତୀୟ ସ୍ଥାନ ଅଧିକାର କରି ପୁରସ୍କାର ଓ ମାନପତ୍ର ପାଇଥିଲେ। ପ୍ରବନ୍ଧ ପ୍ରତିଯୋଗିତାରେ ରାଗିଣୀ ପ୍ରଧାନୀ, ଶ୍ୱେତପଦ୍ମା ବିଶ୍ବାଳ ଓ ମଧୁସ୍ମିତା ଉଝା ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ।

ପୁରୀ ପୈାରାଞ୍ଚଳ ଉଚ୍ଚ ବିଦ୍ୟାଳୟ ମାନଙ୍କ ମଧ୍ୟରୁ ୨୦୨୧ ମସିହା ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବାରୁ ଶ୍ରୀ ଅଙ୍କିତ ଅଞ୍ଜନୟ ସାମନ୍ତରାୟ ଓ ଶ୍ରୀନିବାସ ପ୍ରସାଦ ମହାପାତ୍ରଙ୍କୁ ଯଥାକ୍ରମେ ଭୁବନେଶ୍ୱର ମିଶ୍ର ସ୍ମୃତି ପୁରସ୍କାର ଓ ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା। କଲେଜ ସ୍ତରୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଓ ପାଠାଗାର କୁ ନିୟମିତ ଆସୁଥିବା ପାଠକ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠାନ ର ସଭ୍ୟ ଶ୍ରୀ ଭଗଵାନ ଦାଶ ଓ ଶ୍ରୀ ଦେବାନନ୍ଦ ମିଶ୍ର ପରିଚାଳନା କରିଥିଲେ । ଶେଷରେ ଅନୁଷ୍ଠାନର ଯୁଗ୍ମ ସମ୍ପାଦକ ଡଃ ଅଜିତ କୁମାର ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଉତ୍ସବରେ ଅନୁଷ୍ଠାନର ସମସ୍ତ ସଦସ୍ୟ, ସହରର ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ଓ ଅଭିଭାବକମାନେ ଯୋଗଦାନ କରିଥିଲେ।

Comments are closed.