୧୫ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କୁ କୋଭାକ୍ସିନ୍ ଟିକା ଦାନ ନେଇ ପ୍ରସ୍ତୁତି ବୈଠକ

୩୧ – ୧୨ – ୨୦୦୭ ସୁଦ୍ଧା ଜନ୍ମ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଟିକାକରଣ ଅନ୍ତର୍ଭୁକ୍ତ ହେବେ

ଜାନୁଆରୀ ୮ ତାରିଖ ପରେ ଦଶମ ଶ୍ରେଣୀ ଓ ୧୧ ତାରିଖ ପରେ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଟିକାଦାନ କରାଯିବ

ଭୁବନେଶ୍ୱର: ଆଜି ୧୫ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କୁ କୋଭାକ୍ସିନ୍ ଟିକା ଦାନ ପ୍ରସ୍ତୁତି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଏକ ମିଳିତ ବୈଠକ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ କୁମାର ପାଣିଗ୍ରାହୀ ଯୋଗଦେଇ କହିଲେ ଯେ ତା . ୩୧ – ୧୨ – ୨୦୦୭ ସୁଦ୍ଧା ଜନ୍ମ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଟିକାକରଣ ଅନ୍ତର୍ଭୁକ୍ତ ହେବେ । ଟିକାଦାନ ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ର ବା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଏଥି ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ସରିଛି । ଅଧ୍ୟକ୍ଷମାନେ ବିଦ୍ୟାଳୟ ପରିସରରେ ଟିକାଦାନ ପାଇଁ ଆବଶ୍ୟକୀୟ ସ୍ଥାନ ଯୋଗାଇଦେବେ ଓ ସମସ୍ତ ଛାତ୍ରଛାତ୍ରୀଙ୍କ ଟିକାଦାନ ପାଇଁ ସଚେତନତା ସୃଷ୍ଟି କରିବେ । ପ୍ରଥମ ପାନ ଟିକା ନେବାର ୧୮ରୁ ୪୦ ଦିନ ମଧ୍ୟରେ ଦ୍ଵିତୀୟ ପାନ ଟିକା ଦିଆଯିବ । କରୋନାରେ ପୀଡ଼ିତ ଛାତ୍ରଛାତ୍ରୀ ୩ ମାସ ପରେ ଟିକା ନେଇପାରିବେ । ଦଶମ ଓ ଦ୍ଵାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ପ୍ରଥମେ ନବମ ଓ ଏକାଦଶ ଶ୍ରେଣୀପିଲାଙ୍କୁ ଟିକା ଦେବା ପାଇଁ ପ୍ରମୁଖ ସଚିବ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ ।

ଜାନୁଆରୀ ୮ ତାରିଖ ପରେ ଦଶମ ଶ୍ରେଣୀ ଓ ୧୧ ତାରିଖ ପରେ ଦ୍ଵାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଟିକାଦାନ କରାଯିବ । ଜିଲ୍ଲାପାଳ , ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଦୈନିକ ଟିକାଦାନ ଅଗ୍ରଗତି ସଂପର୍କରେ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟକୁ ଜଣାଇବା ପାଇଁ ପ୍ରମୁଖ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ ।

ଭୁବନେଶ୍ୱର ମହାନଗର ନିଗମର କମିଶନର ସଂଜୟ କୁମାର ସିଂହ କହିଲେ ଯେ ଭୁବନେଶ୍ଵରରେ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟିକାଦାନ ବ୍ୟବସ୍ଥା କରାଯିବ । ଏଥିପାଇଁ ଭୁବନେଶ୍ଵର ବ୍ଲକ୍‌ ଶିକ୍ଷା ଅଧିକାରୀ ଓ ଅଧ୍ୟକ୍ଷମାନେ ସିଡିଏମ୍‌ଓଙ୍କ ସହ ଯୋଗାଯୋଗ କରିବେ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର ସବୁ ଅଧ୍ୟକ୍ଷମାନେ ନିଜ ନିଜ ଜିଲ୍ଲାର ସିଡିଏମ୍ଓମାନଙ୍କ ସହ ଯୋଗାଯୋଗ କରି ଟିକାଦାନ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ଯୁଗ୍ମ ନିର୍ଦ୍ଦେଶକ ଡ . ସନାତନ ପଣ୍ଡା ଓ ଉପନିର୍ଦ୍ଦେଶକ ଭାଗୀରଥୀ କାଣ୍ଡି ତଦାରଖ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ମହାପାତ୍ର ପରାମର୍ଶ ଦେଇଥିଲେ । ଟିକାଦାନ ପାଇଁ ଛାତ୍ରଛାତ୍ରୀମାନେ ସଂଚାର ମାଧ୍ୟମରେ କୋଓ୍ବିନ ପୋର୍ଟାଲ୍‌ରେ ଆଗୁଆ ପଂଜୀକରଣ କରିପାରିବେ ଅଥବା ଟିକାଦାନ କେନ୍ଦ୍ରରେ ପହଞ୍ଚି ପଂଜୀକରଣ କରିପାରିବେ । ଅଧ୍ୟକ୍ଷ ଓ ପ୍ରଧାନଶିକ୍ଷକମାନେ ଟିକାଦାନ ନିମନ୍ତେ ସମସ୍ତ ଉପଯୁକ୍ତ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରି ସିଡିଏମ୍‌ଓଙ୍କ ସହ ଯୋଗଯୋଗ କରିବେ ଓ ସମସ୍ତ ଛାତ୍ରଛାତ୍ରୀ ଟିକାନେବା ସୁନିଶ୍ଚିତ କରିବେ । ଏହି ବୈଠକରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.