ସାଂସଦ ଓ ବିଧାୟକଙ୍କ ସର୍ବାଧିକ ନିର୍ବାଚନ ଖର୍ଚ୍ଚ ସୀମା ବୃଦ୍ଧି

ନୂଆଦିଲ୍ଲୀ – ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନ ଅର୍ଥଖର୍ଚ୍ଚ ସୀମା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ନିର୍ବାଚନ କମିଶନଙ୍କ ସୁପାରିଶ କ୍ରମେ କେନ୍ଦ୍ର ଆଇନ ମନ୍ତ୍ରାଳୟ ନିଷ୍ପତ୍ତି ଅନୁସାରେ ଜଣେ ଲୋକସଭା ପ୍ରାର୍ଥୀ ସର୍ବାଧିକ ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ପୂର୍ବରୁ ଏହି ଖର୍ଚ୍ଚ ସୀମା ୭୦ ଲକ୍ଷ ଟଙ୍କା ଥିଲା ।

ବିଧାନସଭା ପ୍ରାର୍ଥୀଙ୍କ ନିର୍ବାଚନ ଅର୍ଥଖର୍ଚ୍ଚ ସୀମା ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ସୀମା ୨୮ ଲକ୍ଷ ଟଙ୍କା ଥିଲା ।ଏବେ ସେମାନେ ସର୍ବାଧିକ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ । ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ସୀମା ୧୨ରୁ ୪୨ ପ୍ରତିଶତ ବୃଦ୍ଧି କରିବା ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରା ଗଠିକ କମିଟି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲା ।

ନିର୍ବାଚନମଣ୍ଡଳର ଭୋଟରଙ୍କୁ ଆଧାର କରି ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଧାର୍ଯ୍ୟ କରାଯାଇଛି । ଛୋଟ ରାଜ୍ୟଗୁଡିକର ଲୋକସଭା ନିର୍ବାଚନମଣ୍ଡଳୀଗୁଡିକ ପାଇଁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ପୂର୍ବରୁ ୫୪ ଲକ୍ଷ ଥିବା ବେଳେ ଏହାକୁ ୭୫ ଲକ୍ଷକୁ ବୃଦ୍ଧି କରାଯାଇଛି । ଏହି ରାଜ୍ୟଗୁଡିକର ବିଧାନସଭା ପ୍ରାର୍ଥୀଙ୍କ ଖର୍ଚ୍ଚସୀମା ୨୦ ଲକ୍ଷରୁ ୨୮ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

Comments are closed.