ପ୍ରଖ୍ୟାତ ସାହିତ୍ୟିକ ଡ. ମଙ୍ଗଳୁ ଚରଣ ବିଶ୍ବାଳ ଆଉ ନାହାନ୍ତି, ସମ୍ବଲପୁରୀ ଚଳଚ୍ଚିତ୍ର ‘ଭୁଖା’ର ଲେଖକ

ସମ୍ବଲପୁର : ସମ୍ବଲପୁରୀ ଓ ଓଡିଆ ସାହିତ୍ୟର ପ୍ରଖ୍ୟାତ ସାରସ୍ବତ ସାଧକ ଡ. ମଙ୍ଗଳୁ ଚରଣ ବିଶ୍ବାଳ ଆଉ ନାହାନ୍ତି। ଆଜି ଭୋରରେ ସମ୍ବଲପୁର ଜିଲ୍ଲାର ମାନେଶ୍ବର ବ୍ଲକର ପରମାଣପୁର ବାରଡୁଙ୍ଗୁରି ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହେଉଥିଲା। ଆନ୍ତର୍ଜାତିକ ପୁରସ୍କାରପ୍ରାପ୍ତ ସମ୍ବଲପୁରୀ ଚଳଚ୍ଚିତ୍ର ଭୁଖାର ଲେଖକ ମଙ୍ଗଳୁ ବାବୁଙ୍କ ଦେହାନ୍ତରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

ହୀରାକୁଦ ଜଳଭଣ୍ଡାରରେ ଜଳମଗ୍ନ ହୋଇଥିବା ପିତାପାଲି ଗାଁରେ ଜନ୍ମିତ ମଙ୍ଗଳୁ ବାବୁ ପିଲା ଦିନରୁ ସାହିତ୍ୟ ପ୍ରତି ପ୍ରଗାଢ ରୁଚି ରଖି ଆସିଥିଲେ। ଜଣେ ଆଦର୍ଶ ଶିକ୍ଷକ ଭାବେ ସେ ବିଭିନ୍ନ ଜିଲ୍ଲାରେ ଶିକ୍ଷକତା କରି ହଜାର ହଜାର ଛାତ୍ରଛାତ୍ରୀଙ୍କୁ ସମାଜରେ ପ୍ରତିଷ୍ଠିତ କରାଇପାରିଥିଲେ। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଏହି ଆଦର୍ଶ ଶିକ୍ଷକ କିନ୍ତୁ ଦୀର୍ଘ ୭ ଦଶନ୍ଧି ଧରି ଭାଷା ମାଁର ସେବା କରି ଆସିଛନ୍ତି। ଓଡିଆ, ଇଂରାଜି ଏବଂ ସମ୍ବଲପୁରୀ ଭାଷାରେ ସେ ସୃଷ୍ଟି କରିଯାଇଛନ୍ତି ଅନେକ ସାରସ୍ବତ କୃତୀ। ବିଶେଷ କରି ସମ୍ବଲପୁରୀ ଭାଷାକୁ ବିଶ୍ବ ଦରବାରକୁ ନେବାରେ ତାଙ୍କ ଭୂମିକା ଅନସ୍ବୀକାର୍ଯ୍ୟ। ତାଙ୍କ ଦ୍ବାରା ଦୀର୍ଘ ୪ ଦଶନ୍ଧି ତଳେ ରଚିତ ସମ୍ବଲପୁରୀ ନାଟକ ଭୁଖା ନାଟକ ଜଗତରେ ଏକ ମାଇଲଖୁଣ୍ଟ ସ୍ଥାପନ କରିପାରିଥିଲା। ଆଉ ନବେ ଦଶକରେ ଏହା ଚଳଚ୍ଚିତ୍ର ହୋଇ ଆନ୍ତର୍ଜ।ତିକ ପୁରସ୍କାର ହାସଲ କରିପାରିଥିଲା।

ପଶ୍ଚିମ ଓଡିଶାର ବଜନିଆଁ ବା ଦୁଲଦୁଲି କଳାକାର ସଂପ୍ରଦାୟ ଉପରେ ଆଧାରିତ ଏହି ନାଟକ ତଥା ଫିଲ୍ମ ଆଜି ବି ପ୍ରସିଦ୍ଧିର ଶୀର୍ଷରେ ରହି ଆସିଛି। ଏହାଛଡା ବହୁ ସଂଖ୍ୟାରେ କାବ୍ୟ କବିତା, ଉପନ୍ୟାସ, ଗଳ୍ପ ସଂକଳନ ତାଙ୍କର ପ୍ରକାଶିତ ହୋଇସାରିଛି। ତାଙ୍କ ସାରସ୍ବତ ସାଧନା ପାଇଁ ବହୁ ଅନୁଷ୍ଠାନ ଠାରୁ ସେ ପୁରସ୍କୃତ ହୋଇପାରିଛନ୍ତି। ତାଙ୍କ ବିୟୋଗ ଖବର ଆଜି ପ୍ରଚାରିତ ହେବା ପରେ ସମଗ୍ର ପଶ୍ଚିମ ଓଡିଶାରେ ଶୋକର ଛାୟା ଖେଳିଯାଇଛି। ସେ ଦୀର୍ଘ ଦିନ ହେଲା ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ଶଯ୍ୟାଶାୟୀ ଥିବା ବେଳେ ଆଜି ସକାଳେ ତାଙ୍କ ପରଲୋକ ହୋଇଯାଇଛି। ମୃତ୍ଯୁ ଖବର ମିଳିବା ମାତ୍ରେ ତାଙ୍କ ଶେଷ ଦର୍ଶନ ପାଇଁ ବର୍ଷା ସତ୍ତ୍ବେ ବାରଡୁଙ୍ଗୁରି ଗାଁରେ ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ଭିଡ ଲାଗି ରହିଛି।

ତାଙ୍କର ସ୍ତ୍ରୀ, ତିନି ପୁଅ ପ୍ରଶାନ୍ତ, ଅମିତାବ ଏବଂ ସିଦ୍ଧାର୍ଥ ଓ ଏକମାତ୍ର ଝିଅ ପ୍ରତିମା ସମେତ ନାତି ନାତୁଣୀଙ୍କୁ ଛାଡି ଯାଇଛନ୍ତି। ତାଙ୍କ ବିୟୋଗରେ ବିଶେଷ କରି ସମ୍ବଲପୁରୀ ଭାଷା ସାହିତ୍ୟ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।

Comments are closed.