ଶାମ୍ବ ଦଶମୀ ସୂର୍ଯ୍ୟ ଉପାସନାର ଏକ ଦିନ

ଆଜି ପୌଷ ଶୁକ୍ଳ ଦଶମୀ ତିଥି। ଏହି ଦିନ ପାଳନ କରାଯାଏ ଶାମ୍ବ ଦଶମୀ। ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟ ଉପାସନାର ଏକ ମହାନପର୍ବ। ବର୍ଷର ବାରମାସ ଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହୋଇଥାଏ। ସେଥି ମଧ୍ୟରୁ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଅର୍ଥାତ ଚିତାଲାଗି ଅମାବାସ୍ୟାଠାରୁ ପୌଷ ଶୁକ୍ଳ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ । ଏହି ପର୍ବକୁ ଲକ୍ଷକରି ଓଡ଼ିଆରେ ଏକ ଢଗ ରହିଛି “ଅଇଲା ଚିତୋଉ ନାନୀ/ ବାରଓଷା ପର୍ବ ସଙ୍ଗରେ ଘେନି, ଶମ୍ବର ଦଶମୀ ଅଲଣାଦାଉ/ ସବୁ ଓଷା ବାର ଏଇଠି ଥାଉ ।” ଯାହା ଗାଁ ମାନଙ୍କରେ ପୁରୁଖା ଲୋକମାନେ ଏହି କଥା କହିଥାନ୍ତି।

ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର୍ଯ୍ୟ ହେଉଛି ଚିତାଲାଗି ଅମାବାସ୍ୟା ଠାରୁ ଆରମ୍ଭ ହୋଇଥିବା ପର୍ବ ଶାମ୍ବଦଶମୀ ପରେ ପ୍ରାୟ ଛଅମାସ ପର୍ଯ୍ୟନ୍ତ ଆଉ ଏତେ ପିଠାପଣାର ପର୍ବ ପଡ଼େ ନାହିଁ । ଓଡ଼ିଆଙ୍କ ସୁସ୍ୱାଦୁ, ସୁମିଷ୍ଟ, ତୃପ୍ତିକର ଖାଦ୍ୟ ପ୍ରସ୍ତୁତି ଦକ୍ଷତାର ଅସଲ ନିଦର୍ଶନ ହେଉଛି ଶାମ୍ବଦଶମୀ ପର୍ବ।କଥା

କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟରେ ପନିପରିବାର ପ୍ରାଚୁର ପରିମାଣରେ ହୋଇଥାଏ। ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ “ଘଡ଼ଘଡ଼ା ତିଅଣ” କୁହାଯାଏ । ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ଘଡ଼ାଘଡ଼ା ତିଅଣ ।

ନାରୀମାନେ ନିଜ ସନ୍ତାନସନ୍ତତିଙ୍କ ମଙ୍ଗଳ କାମନା କରି ଶାମ୍ବଦଶମୀ ପର୍ବ ନିଷ୍ଠାର ସହ ପାଳନ କରିଥାନ୍ତି । ଏହି ପର୍ବର ବିଶେଷତ୍ୱ ହେଉଛି ସୂର୍ଯ୍ୟଙ୍କର ଆକାଶରେ ତିନି ସ୍ଥିତିକୁ ଲକ୍ଷ୍ୟକରି ଘରେ ତିନିପ୍ରକାର ପୂଜା ଅନୁଷ୍ଠିତ ହୋଇଥାଏ । ଅରୁଣୋଦୟ ସମୟରେ ପ୍ରଥମ ପୂଜାହୁଏ। ହିନ୍ଦୁ ନାରୀ ଶୁଦ୍ଧପୂତ ଶୁଚିମନ୍ତ ହୋଇ ଏହି ସମୟରେ ଫଳମୂଳ ଓ ମିଷ୍ଟାନ୍ନ ଇତ୍ୟାଦି ନୈବେଦ୍ୟ ଅର୍ପଣ କରିଥାନ୍ତି। ଏହି ବ୍ରାହ୍ମମୁହୂର୍ତ୍ତରେ ସୂର୍ଯ୍ୟପୁରାଣ ପାରାୟଣ କରିଥାନ୍ତି । ମଧ୍ୟାହ୍ନରେ ମଧ୍ୟାହ୍ନ ସୂର୍ଯ୍ୟ ତେଜୋଦୀପ୍ତ ଭାସ୍କରଙ୍କୁ ଦ୍ୱିତୀୟ ପୂଜା ଅର୍ପଣ କରାଯାଏ । ଏହା ଶାମ୍ବ ଦଶମୀର ମୁଖ୍ୟ ପୂଜା । ଏଥିରେ ଗଇଁଠା, ଅଟକାଳି, ବିଭିନ୍ନ ପ୍ରକାରର ପିଠା, ଖେଚୁଡ଼ି, ଘଡ଼ଘଡ଼ା ତିଅଣ ଆଦି ଭୋଗ ହୁଏ । ଶେଷଧୂପ ବା ତୃତୀୟ ପୂଜା ହେଉଛି ସନ୍ଧ୍ୟା ସମୟର ଅସ୍ତାଚଳଗାମୀ ସୂର୍ଯ୍ୟଦେବଙ୍କ ନିମିତ୍ତ । ଏହି ପୂଜାରେ ଏଣ୍ଡୁୁରି, କାକରା, ମାଲପୁଆ, ଗଜା ଆଦି ନୈବେଦ୍ୟ ଅର୍ପଣ କରାଯାଇଥାଏ ।

ସୂର୍ଯ୍ୟପୁରାଣ ଅନ୍ତର୍ଗତ ରହିଛି ଶାମ୍ବପୁରାଣ ଏହା ଏକ ଉପପୁରାଣ । ଏହି ଉପପୁରାଣ ଶାମ୍ବପୁରାଣରେ ଶାମ୍ବଦଶମୀର ତାତ୍ପର୍ଯ୍ୟ ବର୍ଣ୍ଣିତ । ଏହି ଶାମ୍ବପୁରାଣ ଦେବର୍ଷି ନାରଦ ଶ୍ରୀକୃଷ୍ଣ ଜାମ୍ବବତୀ ପୁତ୍ର ଶାମ୍ବଙ୍କୁ ଶୁଣାଇଛନ୍ତି । ଶାମ୍ବନାମାନୁସାରେ ଏହି ଦଶମୀକୁ ଶାମ୍ବ ଦଶମୀ, ଗାଁ ଗହଳରେ ସମ୍ବର ଦଶମୀ କୁହାଯାଏ । କଥିତ ଅଛି ଶ୍ରୀକୃଷ୍ଣଙ୍କ ସବୁ ପୁତ୍ର ମଧ୍ୟରେ ଜାମ୍ବବତୀ ଗର୍ଭଜାତ ଶାମ୍ବ ଅତ୍ୟନ୍ତ ସୁନ୍ଦର ଥିଲେ ।

ଦୁର୍ଯ୍ୟୋଧନଙ୍କ କନ୍ୟା ଲକ୍ଷଣାଙ୍କୁ ଶାମ୍ବ ଅପହରଣ କରି ଆଣିଲେ । ବଳରାମଙ୍କ ସହାୟତାରେ ଶାମ୍ବ ବିବାହ କଲେ ଦୁର୍ଯ୍ୟୋଧନ ପୁତ୍ରୀ ଲକ୍ଷଣାଙ୍କୁ । ଅନ୍ତଃପୁର ମଧ୍ୟରେ ଶ୍ରୀକୃଷ୍ଣ ସତ୍ୟଭାମାଙ୍କ ସହ ପ୍ରେମାଳାପରେ ମଗ୍ନଥିବା ବେଳେ ଦ୍ୱାର ଦେଶରେ ଶାମ୍ବଙ୍କୁ ଜଗାଇ ଆଦେଶ ଦେଇଥିଲେ- କାହାକୁ ଅନ୍ତଃପୁରକୁ ନ ଛାଡ଼ିବା ପାଇଁ । ଏ ସମୟରେ ମହର୍ଷି ଦୁର୍ବାସା ଦ୍ୱାରଦେଶରେ ଉପନୀତ ହୋଇ ଶ୍ରୀକୃଷ୍ଣ ଦର୍ଶନ ଚାହିଁଲେ । ଶାମ୍ବ ଭୟଭୀତ ହୋଇ ଶ୍ରୀକୃଷ୍ଣଙ୍କୁ ଡାକି ଦେଲେ । ଶ୍ରୀକୃଷ୍ଣ ଶାମ୍ବଙ୍କୁ କୁଷ୍ଠ ରୋଗ ହେବା ନିମନେ ଅଭିଶାପ ଦେଲେ ।ଶ୍ରୀକୃଷ୍ଣ ପୁତ୍ରକୁ ଅଭିଶାପ ଦେଇ ଅନୁତପ୍ତ ହୋଇ ଦୁର୍ବାସା ଙ୍କୁ ପୁତ୍ର ଶାମ୍ବର କୁଷ୍ଠ ମୁକ୍ତି ଉପାୟ ପଚାରିବାରୁ ଦୁର୍ବାସା ଅର୍କକ୍ଷେତ୍ର କୋଣାର୍କ କଥା କହି ଶାମ୍ବଙ୍କୁ ସେ କ୍ଷେତ୍ରରେ ସୂର୍ଯ୍ୟପୂଜା କରିବା ପାଇଁ ନିର୍ଦ୍ଦେଶ ଦେଲେ । ସଂସ୍କୃତ ଶାମ୍ବପୁରାଣରେ ଚନ୍ଦ୍ରଭାଗା ତୀର୍ଥ ମାହାତ୍ମ୍ୟ ବିଶଦ ବର୍ଣ୍ଣିତ । ଦେବର୍ଷି ନାରଦଙ୍କ ସହ ଶାମ୍ବ ପୁଣ୍ୟଧାମ ଚନ୍ଦ୍ରଭାଗା ତୀରରେ ପ୍ରବେଶ କଲେ । ସେହି ଦିନ ଥିଲା ପୌଷମାସ ଶୁକ୍ଳ ପକ୍ଷ ଦଶମୀ ତିଥି ।

ଶାମ୍ବ ସେଠାରେ ସୂର୍ଯ୍ୟଙ୍କ ପୂଜାରାଧନା କଲେ । ସୂର୍ଯ୍ୟଙ୍କୁ ଚାହିଁ ଚାହିଁ ତପସ୍ୟା କଲେ । ଶାମ୍ବ ଚନ୍ଦ୍ରଭାଗା ନଦୀକୂଳରେ ତପସ୍ୟା କରି ସୂର୍ଯ୍ୟ ନାରାୟଣ ବା ପ୍ରଭୁ ଆଦିତ୍ୟ ନାରାୟଣଙ୍କର ଏକ ମଣି ବିଗ୍ରହ ପାଇଥିଲେ । ସୂର୍ଯ୍ୟ ହିଁ ଭଗବାନ ନାରାୟଣଙ୍କ ସ୍ୱରୂପ । ଇଷ୍ଟ ମନ୍ତ୍ର ହେଉଛି-

“”ନମଃ ସବିତ୍ରେ ଜଗଦେକ ଚକ୍ଷୁଷେ ଜଗତ୍-ପ୍ରସୂତି-ସ୍ଥିତିନାଶ ହେତବେ/ ତ୍ରୈମୟାୟ ତ୍ରିଗୁଣାତ୍ମଧାରିଣେ ବିରଞ୍ଚି ନାରାୟଣ ଶଙ୍କରାତ୍ମନେ ନମଃ ।

ତାଙ୍କରି ଆର୍ଶିବାଦ ବଳରେ ଶାମ୍ବ ଦୁରାରୋଗ୍ୟ ବ୍ୟାଧି ଦୂରହୋଇ ସୁନ୍ଦର ଶରୀର ଲାଭ କରିଥିଲେ । ଏଇ ଦିନଟି ଥିଲା ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥି I ଶାମ୍ବ କୁଷ୍ଠ ରୋଗରୁ ମୁକ୍ତିଲାଭ ପାଇ ସମଗ୍ର କଳିଙ୍ଗରେ ସୂର୍ଯ୍ୟପୂଜା ବିଧିର ପ୍ରଚାର କରାଇଲେ । ଭାରତର ସାତଟି ସ୍ଥାନ – ଉଳ୍ଳାର୍କ, ପୁଣ୍ଡାର୍କ, ମାର୍କେତୋୟାର୍କ, ବାଲୋର୍କ, କୋଣାର୍କ, ଚାପାର୍କ ଏବଂ କଳିଙ୍ଗର କୋଣାର୍କ ସ୍ଥାପନ କଲେ ।

ପ୍ରଥମେ ସେ ଚନ୍ଦ୍ରଭାଗା ନଦୀକୂଳରେ ଏକ ମନ୍ଦିର ତିଆରି କରାଇ ପୌଷ ଶୁକ୍ଳ ଦଶମୀ (ଶାମ୍ବଦଶମୀ) ତିଥିରେ ମର୍ତ୍ତ୍ୟଲୋକରେ ସୂର୍ଯ୍ୟ ମୂର୍ତ୍ତି ପୂଜାର ପ୍ରଥା ପ୍ରଚଳିତ କରାଇଥିଲେ । ପ୍ରଭୁ ଆଦିତ୍ୟ ନାରାୟଣଙ୍କୁ ଏହି ପୂଜା ସମ୍ପର୍କରେ ଶାମ୍ବ ଜଣାନ୍ତେ ପ୍ରଭୁ ସୂର୍ଯ୍ୟଦେବ କହିଲେ, “ମୋର ପୂଜା ପାଇଁ ଉପଯୁକ୍ତ ପୁରୋହିତ ଭାରତ ବର୍ଷରେ ନାହାନ୍ତି । ଏଣୁ ଶାକ ଦ୍ୱୀପରୁ ମଗ ବ୍ରାହ୍ମଣଙ୍କୁ ଅଣାଇ ଏହି ପୂଜା କଲେ ମୁଁ ସନ୍ତୋଷ ଲାଭ କରିବି I

ଭବିଷ୍ୟ ପୁରାଣ:
ନଯୋଗ୍ୟ ପରିଚର୍ଯ୍ୟାୟ ଜମ୍ବୁଦ୍ୱୀପେ ମମାନଘ ।
ମମ ପୂଜା ପରାନ୍ କୃତ୍ୱା ଶାକଦ୍ୱୀପୀଦମାୟ II

ତାହା ହିଁ ହେଲା । ଶାମ୍ବ ଶାକ ଦ୍ୱୀପରୁ ବ୍ରାହ୍ମଣ /ଗ୍ରହ ବ୍ରାହ୍ମଣମାନଙ୍କୁ ଅଣାଇ ଭାରତ ବର୍ଷରେ ସୂର୍ଯ୍ୟପୂଜାର ବ୍ୟବସ୍ଥା କରାଇଥିଲେ । ସେହିକାଳରୁ ଆମଦେଶରେ ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କର ବ୍ରତପାଳନ ଓ ପୂଜାର ପ୍ରଚଳନ ରହିଛି ।
ସ୍ୱୟଂ ଦେବର୍ଷି ନାରଦ ଭୁବନ ଭାସ୍କର ସୂର୍ଯ୍ୟଦେବ ଙ୍କ ଅଭିଶାପରେ ଧବଳ କୁଷ୍ଠବ୍ୟାଧି ଗ୍ରସ୍ତ ହୋଇ ଥିବା କଥା ରହିଛି । ନାରଦ ମଧ୍ୟ ଏ କ୍ଷେତ୍ରରେ ସୂର୍ଯ୍ୟଙ୍କର ଦ୍ୱାଦଶ ନାମ ଯଥା- ଆଦିତ୍ୟ, ଭାସ୍କର, ପ୍ରଭାକର, ଦିବାକର, ସହସ୍ରାଂଶୁ, ତ୍ରିଲୋକ-ଲୋଚନ, ଦେବେଦେବେଶ, ଛାୟାରମଣ, ଦିନକର, ଦ୍ୱାଦଶାତ୍ମକ ତ୍ରିବିକ୍ରମ, ସୂର୍ଯ୍ୟଦେବ ଜପ କରି ସୂର୍ଯ୍ୟ ପୂଜାରାଧନା କରି ଧବଳ କୁଷ୍ଠ ମୁକ୍ତ ହୋଇଥିଲେ । ସେଥିପାଇଁ ଏ ଦଶମୀକୁ ଶାମ୍ବଦଶମୀ କୁହାଯାଏ । ଶାମ୍ବ ବାଲୁକା ରେ ସୂର୍ଯ୍ୟ ମୂର୍ତ୍ତି ଗଠନ କଲେ । ବିବିଧ ପୁଷ୍ପ, ଧୂପ, ଦୀପ, ଚନ୍ଦନ ଇତ୍ୟାଦିରେ ଷୋଡ଼ଶୋପଚାର ପୂଜା କରିଥିଲୋ ସେହି ସ୍ଥାନ ହିଁ ଆଜିର କୋଣାର୍କ ।

ସୂର୍ଯ୍ୟପୂଜାର ଇତିହାସ ଅତ୍ୟନ୍ତ ପ୍ରାଚୀନା ଉଲ୍ଲେଖ ଅଛି ଦିଗ୍‌ବିଜୟୀ ସମ୍ରାଟ ହର୍ଷବର୍ଦ୍ଧନଙ୍କ ରାଜଦରବାରରେ ମୟୂରଭଟ୍ଟ ନାମକ ଜଣେ ଅଗାଧ ସଂସ୍କୃତ ଜ୍ଞାନସଂପନ୍ନ କବି ଥିଲେ । ସେ କୁଷ୍ଠରୋଗାକ୍ରାନ୍ତ ହୋଇ ଶହେ ଶ୍ଲୋକ ବିଶିଷ୍ଟ ସୂର୍ଯ୍ୟସ୍ତୁତି ରଚନା କରି ନିତ୍ୟ ପାରାୟଣ କରି ବ୍ୟାଧିମୁକ୍ତ ହୋଇଥିଲେ । ଭାଗବତ ଏକାଦଶ ସ୍କନ୍ଦରେ ଶାମ୍ବଙ୍କର ଲୌହମୂଷଳ ଧାରଣ ଓ ଯଦୁବଂଶ କଥା ରହିଛି । ତେଣୁ ତାଙ୍କ ନାମରେ ନାମିତ ଶାମ୍ବଦଶମୀ, ସୂର୍ଯ୍ୟପୂଜା । ସୂର୍ଯ୍ୟଙ୍କର ଏ କ୍ଷେତ୍ରରେ କୁମ୍ଭୀର ରୂପୀ ମହାଦୈତ୍ୟ ଅର୍କବଧ କରି କୋଣାର୍କ ସ୍ଥାପନ କରିଥିବା କଥା ମଧ୍ୟ ରହିଛି ।
ଯେଉଁ ସ୍ଥାନରେ କୃଷ୍ଣ ପୁତ୍ର ଶାମ୍ବ ସୂର୍ଯ୍ୟଙ୍କ କୃପା ପ୍ରାପ୍ତି ନିମନ୍ତେ ତପଶ୍ଚରଣ କରିଥିଲେ ତାହା ମୈତ୍ରେୟବନ ନାମରେ ଖ୍ୟାତ । ସୂର୍ଯ୍ୟଙ୍କର ଅନ୍ୟ ନାମ ମିତ୍ର । ତାଙ୍କ ନାମାନୁସାରେ ଚନ୍ଦ୍ରଭାଗା ତୀରରୁ ଏକ ବ୍ୟାପକ ଅଞ୍ଚଳ ମୈତ୍ରେୟବନ ନାମରେ ଖ୍ୟାତ ।

ଗ୍ରହଜାଗ ସଂସ୍କାର ଗ୍ରନ୍ଥରେ ଉଲ୍ଲେଖ ଅଛି – “ ଜାତଂ ସୂର୍ଯ୍ୟ କଳିଯେଂଷୁ ” । ଅର୍ଥାତ ସୂର୍ଯ୍ୟଙ୍କର ଜନ୍ମସ୍ଥାନ କଳିଙ୍ଗ ଦେଶ । କୋଣାର୍କ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବହୁ ସୂର୍ଯ୍ୟ ମନ୍ଦିର ଏବଂ ପୀଠ ତଥା ତୀର୍ଥକ୍ଷେତ୍ର ରହିଛି I ଏପରିକି ଖଣ୍ଡଗିରିରେ ଦ୍ୱିତୀୟ ଶତାବ୍ଦୀରେ ଅନନ୍ତ ଗୁମ୍ଫାରେ ଖୋଦିତ ସୂର୍ଯ୍ୟ ମୂର୍ତ୍ତି ସୂର୍ଯ୍ୟପୂଜାର ପ୍ରାଚୀନ ପ୍ରତୀକ । ଷଷ୍ଠ ଶତାବ୍ଦୀରେ ଖିଚିଙ୍ଗର ସୂର୍ଯ୍ୟ ମନ୍ଦିର , ନବମ ଶତାବ୍ଦୀର ଗଞ୍ଜାମ ଜିଲ୍ଲାର ବୁଗୁଡ଼ା, ଭଦ୍ରକର ପାଳିଆ ଏବଂ ଖୋର୍ଦ୍ଧାର ବିରଞ୍ଚିନାରାୟଣ ମନ୍ଦିର ପ୍ରାଚୀନ ସୂର୍ଯ୍ୟପୂଜାର ପ୍ରତୀକ ଭାବେ ଦଣ୍ଡାୟମାନ I

Comments are closed.