ଝାରସୁଗୁଡାର ମହିଳାଙ୍କୁ ଛତିଶଗଡ଼ରେ ହତ୍ୟା, ବିବାହ ପାଇଁ ବାଧ୍ୟ କରିବାରୁ ତଣ୍ଟି କାଟି ଦେଲା ପ୍ରେମିକ- ରାୟଗଡ ଏସପି

ଝାରସୁଗୁଡ଼ା : ବେଲପାହାଡର ଜଣେ ମହିଳାଙ୍କୁ ଛତିଶଗଡର ରାୟଗଡ ଜିଲ୍ଲାରେ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ପ୍ରେମ ପ୍ରତାରଣା ହତ୍ୟାର କାରଣ ବୋଲି ଜଣାପଡିଛି। ଯୁବତୀ ଜଣକ ବିବାହ ପାଇଁ ବାଧ୍ୟ କରିବାରୁ ଅଭିଯୁକ୍ତ ତଣ୍ଟି ଚିପି ହତ୍ୟା କରିଥିବା ନେଇ ରାୟଗଡ ଏସପି ଅଭିଷେକ ମୀନା ସୂଚନା ଦେଇଛନ୍ତି। ଅଭିଯୁକ୍ତ ଜଣକ ରାୟଗଡ଼ ଜିଲ୍ଲା ଭୁଗଦେବପୁର ଚାରଭଟା ଗ୍ରାମର ଫତେଲାଲ ସିଂହ (39) ବୋଲି ଜଣାପଡ଼ିଛି।

ପୁଲିସର ସୂଚନାନୁସାରେ ଅଭିଯୁକ୍ତ ଫତେଲାଲ 2017 ମସିହାରୁ ବେଲପାହାଡ଼ ଟିଆରଏଲ୍ କ୍ରୋସାକି କମ୍ପାନିରେ ଏକ ଠିକା କମ୍ପାନି ଅଧୀନରେ ସୁପରଭାଇଜର୍ ଭାବରେ କାମ କରୁଥିଲା। ବାସନ୍ତୀ ମଧ୍ୟ ସଫେଇ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ। ଏଠାରେ ହିଁ ଫତେଲାଲ ସହିତ ବାସନ୍ତୀଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସଂପର୍କ ଗଢି ଉଠିଥିଲା। ବାସନ୍ତୀ ବିବାହ କରିବାକୁ ଫତେଲାଲ ଉପରେ ଚାପ ପକାଉଥିଲେ। ଏପରିକି ସେ ବାସନ୍ତୀଙ୍କୁ ଅନେକ ଥର ଟଙ୍କା ଦେଇଥିଲା। ବାସନ୍ତୀ ବାରମ୍ବାର ଟଙ୍କା ମାଗିବା ସହିତ ତାକୁ ବିବାହ କରିବାକୁ ଚାପ ପକାଇବାରୁ ସେ ବାସନ୍ତୀଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ଗତ 11 ତାରିଖ ବାସନ୍ତୀ ରାୟଗଡ଼ ଯାଇ ଫତେଲାଲକୁ ଫୋନ କରି ତାଙ୍କୁ ଚିକିତ୍ସା କରାଇବାକୁ କହିଥିଲେ। ଫତେଲାଲ ବାସନ୍ତୀଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଇଥିଲା। 12 ତାରିଖ ବାସନ୍ତୀ ସେଠାରେ ତାଙ୍କର ସଂପର୍କୀୟଙ୍କ ଘରେ ରହିଥିଲେ। 13 ତାରିଖ ପୁଣି ବାସନ୍ତୀ ଫତେଲାଲକୁ ଅପରାହ୍ନ 4ଟାରେ ରାୟଗଡ଼ ରେଳ ଷ୍ଟେସନକୁ ଡାକିଥିଲେ।

ଫତେଲାଲ ବାସନ୍ତୀଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଘରୁ ଏକ ପ୍ଲାଷ୍ଟିକ ବ୍ୟାଗରେ ଲୁହା କଟୁରୀ ଧରି ବାଇକରେ ରାୟଗଡ଼ ଯାଇଥିଲା। ରାୟଗଡ଼ ରେଳ ଷ୍ଟେସନ ନିକଟରୁ ବାସନ୍ତୀଙ୍କୁ ବାଇକରେ ନେଇ ଗୋଟିଏ ଦୋକାନରୁ କିଣି ଭୁଗଦେବପୁର ନିକଟ ଚାରଭଟା ଗ୍ରାମ ନିକଟକୁ ଯାଇଥିଲେ। ସେଠାରେ ଫତେଲାଲ ଓ ବାସନ୍ତୀ ମଦ ପିଇଥିଲେ। ବାସନ୍ତୀଙ୍କୁ ନିଶା ହୋଇଯିବା ପରେ ଫତେଲାଲ କଟୁରୀରେ ତାଙ୍କ ବେକ କାଟି ନିକଟସ୍ଥ ବିଲକୁ ଟାଣିନେଇ ଫିଙ୍ଗିଦେଇଥିଲା। ପରେ ବାସନ୍ତୀଙ୍କ ବସ୍ତଂ୍ ଖୋଲି ବ୍ୟାଗ୍ ସହିତ ପୋଡ଼ି ଦେଇ କଟୁରୀକୁ ବିଲ ଭିତରକୁ ଫିଙ୍ଗି ଚାଲି ଯାଇଥିଲା। ପରଦିନ ସ୍ଥାନୀୟ ଲୋକେ ବାସନ୍ତୀଙ୍କ ଉଲଗ୍ନ ଶବ ଦେଖି ପୁଲିସକୁ ଖବର ଦେଇଥିଲେ। ବାସନ୍ତୀଙ୍କ ଶବ ନିକଟରେ ମିଳିଥିବା ରାୟଗଡ଼ରୁ ବେଲପାହାଡ଼ ଟ୍ରେନ୍ ଟିକଟ୍ ଓ ହାତରେ ତାଙ୍କ ମୃତ ସ୍ବାମୀ ଅନୁପଙ୍କ ନାଁକୁ ଆଧାର କରି ରାୟଗଡ଼ ପୁଲିସ୍ ବେଲପାହାଡ଼ ଥାନାକୁ ପହଞ୍ଚଥିଲା। ବେଲପାହାଡ଼ ଥାନାରେ ହୋମଗାର୍ଡ଼ ଭାବରେ କାର୍ଯ୍ୟରତ ଜଣେ ମହିଳା ବାସନ୍ତୀଙ୍କୁ ଚିହ୍ନଟ କରି ତାର ଠିକଣା ଦେଇଥିଲେ। ପୁଲିସ ଆଖପାଖ ଲୋକ ଓ ବେଲପାହାଡ଼ର ବାସନ୍ତୀଙ୍କ ପରିବାର ଲୋକଙ୍କ ବିଷୟରେ ଫତେଲାଲ ସିଂ ସଂପର୍କରେ ଜାଣି ଫତେଲାଲକୁ ପଚରା ଉଚୁରା କରିଥିଲା। ରେଳ ଷ୍ଟେସନ ସହିତ ରାୟଗଡ଼ ସହରର କେତେକ ସ୍ଥାନର ସିସିଟିଭି କ୍ୟାମେରାରୁ ଫତେଲାଲ ଓ ବାସନ୍ତୀ ଗୋଟିଏ ବାଇକରେ ଯାଉଥିବା ମଧ୍ୟ ଫୁଟେଜ ମିଳିଥିଲା। ବାସନ୍ତୀଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

Comments are closed.