ବିବିଧତା ସତ୍ତ୍ୱେ ସ୍ୱାଧୀନ ମୂଲ୍ୟବୋଧ ଭାରତକୁ ମଜବୁତ କରିରଖିଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଓଡିଶାର ସ୍ୱାଧୀନତା ସଂଗ୍ରାମୀ ଓ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସହିଦ ହୋଇଥିବା କୋଭିଡ ଯୋଦ୍ଧାଙ୍କୁ ବି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ନବୀନ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚଳିତବର୍ଷ ସାରା ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ମହାନ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତନ ଜୟନ୍ତୀ ମଧ୍ୟ ଚଳିତବର୍ଷର ଗୁରୁତ୍ୱପୂର୍ଣ୍ଣ ଘଟଣା ।

ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, ଆମର ସ୍ୱାଧୀନତା ସଂଗ୍ରାମ କେବଳ ଏକ ରାଜନୈତିକ ସଂଗ୍ରାମ ନ ଥିଲା । ସମତା ଓ ନ୍ୟାୟ ପାଇଁ ଥିଲା ସଂଗ୍ରାମ । ହିଂସା ଓ ଶୋଷଣ ବିରୋଧରେ ଥିଲା ସଂଗ୍ରାମ । ଆମର ସଂଗ୍ରାମ କେବଳ ଆମ ପାଇଁ ସ୍ୱାଧୀନତା ଆଣି ନ ଥିଲା । ଏହାଥିଲା ସାରା ବିଶ୍ୱ ପାଇଁ ମାନବତାର ସବୁଠାରୁ ବଡ ବିଜୟ । ସମସ୍ତ ବିବିଧତା ସତ୍ତ୍ୱେ ଆମର ସ୍ୱାଧୀନ ମୂଲ୍ୟବୋଧ ହିଁ ଭାରତକୁ ମଜବୁତ କରି ରଖିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିବିଧତା ହିଁ ଆମର ଶକ୍ତି ଓ ଜୀବନଧାରାର ଗୁରୁତ୍ୱପୂର୍ଣ୍ଣ ଦିଗ । ଏହାକୁ ଆମେ କେବେ ବି ନଷ୍ଟ ହେବାକୁ ଦେବା ନାହିଁ ବୋଲି ନବୀନ କହିଛନ୍ତି ।

ଆମର ଆଦର୍ଶ ସମ୍ବିଧାନ ଆମ ଗଣତନ୍ତ୍ରର ଆତ୍ମା । ଏକ ସମୃଦ୍ଧ ତଥା ନ୍ୟାୟପୂର୍ଣ୍ଣ ସମାଜ ଗଠନ ପାଇଁ ଏହା ସବୁବେଳେ ପ୍ରେରଣା ଦେଇଆସିଛି । ଆମକଥା ଓ କାର୍ଯ୍ୟରେ ସମ୍ବିଧାନର ମୂଲ୍ୟବୋଧ ପ୍ରତିଫଳିତ ହୋଇପାରିଲେ , ଭାରତ ବିଶ୍ୱର ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ।

କୋରୋନାର ତୃତୀୟ ଲହର ଚାଲିଥିବୀରୁ ଏହାର ଦୃଢ ମୁକାବିଲା ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.