ହୀରାପୁରର ପ୍ରସିଦ୍ଧ ସିଦ୍ଧେଶ୍ୱର ମନ୍ଦିର

ଓଡ଼ିଶାର ଯାଜପୁର ଜିଲ୍ଲାର ହୀରାପୁର ଗ୍ରାମରେ ରହିଛି ପ୍ରସିଦ୍ଧ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ଶିବ ମନ୍ଦିର।ବାବା ସିଦ୍ଧେଶ୍ୱର (ହରିହର ଏକାତ୍ମ ନାମରେ ମଧ୍ୟ ଜଣା) ଏହା ଏକ ବୌଦ୍ଧ ସ୍ତୁପ ଭାବେ ୨ୟ – ୩ୟ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇଥିଲା। ପରବର୍ତ୍ତୀ ସମୟରେ ସୋମବଂଶୀ ରାଜାମାନଙ୍କର ଶାସନ କାଳରେ ଏଠାରେ ଶିବଲିଙ୍ଗ ପ୍ରତିଷ୍ଠା କରାଯାଇ ଶୈବ ପୀଠରେ ରୂପାନ୍ତରିତ ହୋଇଥିବା ଗବେଷକ ମାନେ ମତ ରଖିଛନ୍ତି। ଏହି ମନ୍ଦିରର ସମ୍ମୁଖରେ ଉତ୍ତରବାହିନୀ ଭାବେ ବୈତରଣୀ ପ୍ରବାହିତ। ନିକଟରେ ଥିବା ସିଦ୍ଧବଟ ଚାରିପାଖେ ଏହା ବହିଯାଇଛି । କପିଳ ସଂହିତାରେ ଏହି ଦେଉଳ ସମ୍ପର୍କରେ ବର୍ଣ୍ଣନା ରହିଥିବା ଦେଖିବାକୁ ମିଳେ।

କିମ୍ବଦନ୍ତୀ ଅନୁସାରେ ବ୍ରହ୍ମା ଯଜ୍ଞ ସାଧନ ପାଇଁ ବୈତରଣୀଙ୍କୁ ଆହ୍ୱାନ କରି ଆଣି ଯଜ୍ଞ ଶେଷରେ ତାଙ୍କୁ ନିଜ ସ୍ଥାନାଭିମୁଖୀ କରାଇ ଉତ୍ତର ଆଡ଼କୁ ବୁହାଇଥିଲେ । ଏଣୁ ନଦୀ ଉତ୍ତର ଦିଗକୁ ଗତିପଥ ବଦଳାଇ ସମୁଦ୍ରଗାମୀ ହୋଇଛି । ଏହାକୁ ସୁରମ୍ୟ ସ୍ଥାନ ବୋଲି ଭାବି କୃଷ୍ଣଙ୍କ ପୁଅ ପ୍ରଦ୍ୟୁମ୍ନ ଏଠାରେ ତପସ୍ଯା କରିଥିଲେ ।

ବାବା ସିଦ୍ଧେଶ୍ୱର ହରିହର ଏକାତ୍ମ ଲିଙ୍ଗ ହୋଇଥିବାରୁ ଏଠାରେ ଉଭୟ ବିଲ୍ଵପତ୍ର ତଥା ତୁଲଶୀ ପତ୍ରରେ ପୂଜା ହୋଇଥାଏ। ବିରଜା ମଣ୍ଡଳରେ ଥିବା ଶୈବପୀଠ ମଧ୍ୟରୁ ଏହା ଏକ ଅନ୍ୟତମ ଆକର୍ଷଣୟ ପୀଠ ଅଟେ। ବର୍ଷର ବିଭିନ୍ନ ସମୟରେ ଅନେକ ପର୍ଯ୍ୟଟକ ଏହି ପୀଠ ଦର୍ଶନ କୁ ଆସିଥାନ୍ତି। ଏହାର ପ୍ରାକୃତିକ ଶୋଭରାଜି ଅତୀବ ମନୋହର।

Comments are closed.