ଭୁବନେଶ୍ବରରେ ବିଏସକେୱାଇର ଉପଯୋଗ ଏବଂ ହିତାଧିକାରୀଙ୍କ ମତାମତର ତର୍ଜମା କରିବ ବିଏମସି

ଭୁବନେଶ୍ଵର: ଓଡିଶା ସରକାରଙ୍କ ପ୍ରମୁଖ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ- ବିଜୁ ସ୍ଵାସ୍ଥ୍ୟକଲ୍ୟାଣ ଯୋଜନା ( ବି ଏସ୍ କେ ୱାଇ ) ର ସେବା ହିତାଧିକାରୀଙ୍କୁ ସୂଚାରୁ ରୁପେ ମିଳିବା ଏବଂ ଏହାର ଲକ୍ଷ୍ୟ ସାଧନକୁ ତ୍ବରାନ୍ବିତ କରିବା ପାଇଁ ଭୁବନେଶ୍ଵର ମହାନକର ନିଗମ ( ବି ଏମ୍ ସି ) କର୍ତ୍ତୃପକ୍ଷ ନେଇଛନ୍ତି ସ୍ଵତନ୍ତ୍ର ପଦକ୍ଷେପ । ଏଥିପାଇଁ ବି ଏମ୍ ସି ପକ୍ଷରୁ ନିକଟରେ ଏକ କାର୍ଯ୍ୟାଳୟ ସ୍ତରୀୟ ଆଦେଶନାମା ଜାରି କରାଯାଇଅଛି । କମିଶନର ଶ୍ରୀ ସଂଜୟ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ବି ଏମ୍ ସି ର ବରିଷ୍ଠ ଅଧିକାରୀମାନେ ଏହାର ଦାୟିତ୍ବ ରେ ରହିଛନ୍ତି ।

ସରକାରଙ୍କ ପ୍ରକ୍ରିୟାଗତ ଢାଞ୍ଚା ଅନୁସାରେ ବି ଏମ୍ ସି ଅଂଚଳରେ ବି ଏସ୍ କେ ୱାଇ ହିତାଧିକାରୀମାନେ ବିଭିନ୍ନ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ଚିକିତ୍ସିତ ହୋଇଥିବାର ସୂଚନା ଆସିବାର ନିର୍ଦ୍ଦେଶ ରହିଛି । ନିର୍ଦ୍ଦିଷ୍ଟ ସ୍ବାସ୍ଥ୍ୟସେବା ଅନୁଷ୍ଠାନର ସେବା କିପରି ଥିଲା ତାହା ପଚାରି ବୁଝିବା ପାଇଁ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମଧ୍ୟ ରହିଛି । ଏହି ଅନୁସାରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଅତିରିକ୍ତ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ନିର୍ଦ୍ଦିଷ୍ଟ ଗୁଗଲ୍ ସିଟ୍ ରୁ ବିଏମ୍ ସି ଇଲାକାରେ ଥିବା ବି ଏସ୍ କେ ୱାଇ ନିବନ୍ଧିତ ହସ୍ପିଟାଲ୍ ଗୁଡ଼ିକରେ ଅଦ୍ୟାବଧି ଚିକିତ୍ସିତ ହୋଇଥିବା ରୋଗୀମାନେ ନିଜେ ପାଇଥିବା ସେବା ବାବଦରେ କିଭଳି ମତାମତ ଦେଉଛନ୍ତି , କୌଣସି କାରଣରୁ ଅସନ୍ତୁଷ୍ଟ ଅଛନ୍ତି କି , ସମ୍ପୃକ୍ତ ସ୍ବାସ୍ଥ୍ୟସେବା ଅନୁଷ୍ଠାନର କୌଣସି କର୍ମୀ ବା ଅଧିକାରୀ ରୋଗୀଙ୍କ ଚିକିତ୍ସା କାଳରେ ତାଙ୍କ ଉପରେ ଆର୍ଥିକ ଗ୍ରୁପ ଇତ୍ୟାଦି ଦେଇଛନ୍ତି କି ଇତ୍ୟାଦି ଟିକିନିଖ୍ ବୁଝିବାର ଆବଶ୍ୟକତା ରହିଛି ବୋଲି ବୈଠକରେ ଆଲୋଚନା ହୋଇଥିଲା ।

ତେବେ ଆସୁଥିବା ସମୁଦାୟ ରୋଗୀ ମାନଙ୍କ ତଥ୍ୟରୁ ନମୁନା ସୂଚକ ହିତାଧିକାରୀଙ୍କୁ ଯୋଗାଯୋଗ କରି ବି ଏମ୍ ସି ପକ୍ଷରୁ ଏହି ତଥ୍ୟ ନିଆଯିବ , ସେମାନଙ୍କର ମତାମତ ଏବଂ କହିଥିବା ଘଟଣାକୁ ନିର୍ଦ୍ଦିଷ୍ଟ ମାର୍ଗରେ ତର୍ଜମା କରାଯିବ , ବ୍ୟବସ୍ଥାଗତ କିମ୍ବା ପ୍ରକ୍ରିୟାଗତ ଅସୁବିଧା ରହିଥିଲେ ଏହାର ସତ୍ୟାସତ୍ୟ ଜାଣି ଆବଶ୍ୟକୀୟ ପଦକ୍ଷେପ ନିଆଯିବ । ଫଳରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସାଧନ ତ୍ବରାନ୍ବିତ ହୋଇପାରିବ ବୋଲି କହିଛନ୍ତି ଅତିରିକ୍ତ କମିଶନର । ବି ଏମ୍ ସି ଇଳାକାରେ ବି ଏସ୍ କେ ୱାଇ ସହିତ ଯୋଡି ହୋଇଥିବା ସମୁଦାୟ ୩୭ ଗୋଟି ସ୍ଵାସ୍ଥ୍ୟସେବା ଅନୁଷ୍ଠାନ ରହିଛନ୍ତି । ଏଥିପାଇଁ ବି.ଏମ୍.ସି.ର ବିଭିନ୍ନ ଅଧିକାରୀଙ୍କୁ ନିୟମିତ ପରିଦର୍ଶନର ଦାୟିତ୍ବ ଦିଆଯାଇଛି ।

Comments are closed.