ଗଞ୍ଜାମ: ୫ ନିର୍ବାଚନମଣ୍ଡଳୀ ତଥା ୫ ବ୍ଲକର ୧୭ ଜୋନ୍‌ରେ ମତଦାନ ଆଜି

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ଟି ବ୍ଲକ୍‌ର ୧୬୩୮ ବୁଥରେ ଆଜି ମତଦାନ ହେଉଛି। ରଙ୍ଗେଇଲୁଣ୍ଡା, ଚିକିଟି, ସାନଖେମୁଣ୍ଡି, ସୋରଡ଼ା ଓ ପୋଲସରା ବ୍ଲକର ୧୬୩୮ ବୁଥ୍‌ରେ ଭୋଟଗ୍ରହଣ କରିବେ ମତଦାତା। ଏଥିରୁ ୧୭ଟି ଜିଲ୍ଲା ପରିଷଦ ଜୋନ୍‌ରେ ୬୦ ପ୍ରାର୍ଥୀ, ୧୨୨ ପଞ୍ଚାୟତରେ ୩୭୩ ସରପଞ୍ଚ ଓ ୩୨୮ ସମିତି ସଭ୍ୟ / ସଭ୍ୟା ପ୍ରାର୍ଥୀଙ୍କ ମଧ୍ୟରୁ ବିଜେତାଙ୍କୁ ବାଛିବେ ଭୋଟର। ସେହିପରି ୧୬୩୮ଟି ୱାର୍ଡରେ ଜନସାଧାରଣ ନିଜ ପ୍ରତିନିଧି ୱାର୍ଡ ସଭ୍ୟ / ସଭ୍ୟାଙ୍କୁ ଚୟନ କରିବେ। ୩ ଲକ୍ଷ ୯୩୮ ପୁରୁଷ, ୨ ଲକ୍ଷ ୭୭ ହଜାର ୧୧୦ ମହିଳା ଓ ୩୮ ତୃତୀୟ ଲିଙ୍ଗୀ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ। ମୋଟ ଭୋଟଗ୍ରହଣ କେନ୍ଦ୍ରରୁ ୭୪ଟି ସମ୍ବେଦନଶୀଳ ଓ ୧୮୧ଟି ସମ୍ବେଦନଶୀଳ ବୁଥ୍ ରହିଛି। ମତଗ୍ରହଣ ପୂର୍ବ ଦିନ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀମାନେ ବିଭିନ୍ନ ବ୍ଲକ୍ ତଥା ପଞ୍ଚାୟତ ଓ ବୁଥ୍ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଚର୍ଚ୍ଚିତ ରହିଛି ଗୋପାଳପୁର ବିଧାନସଭା କ୍ଷେତ୍ରର ରଙ୍ଗେଇଲୁଣ୍ଡା ବ୍ଲକ୍ ଓ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍‌। ରଙ୍ଗେଇଲୁଣ୍ଡାରେ ବିଧାୟକ ବିଜେଡି ଦଳରୁ ବହିଷ୍କୃତ, ସାନଖେମୁଣ୍ଡି ବିଧାନସଭା ଆସନ ଜିଲ୍ଲାର ଏକମାତ୍ର ଆସନ ଭାବେ ଏବେ ବିରୋଧୀ କଂଗ୍ରେସ ହାତରେ। ଏଣୁ ଏହି ଦୁଇ ବ୍ଲକ୍‌ରେ ବିଜେଡି ପ୍ରଦର୍ଶନ କିଭଳି ରହିବ ତାହା ପ୍ରଶ୍ନବାଚୀ। ରାଜନୈତିକ ଦୃଷ୍ଟିରୁ ସ୍ପର୍ଶକାତର ତଥା ସମ୍ବେଦନଶୀଳ ଆସନ ସାନଖେମୁଣ୍ଡି ବିଧାନସଭା କ୍ଷେତ୍ର ଓ ବ୍ଲକ୍। ଯଦିଓ ୨୦୧୯ରେ ଏଠାରୁ କଂଗ୍ରେସ ବିଧାୟକ ନିର୍ବାଚିତ ହୋଇଥିଲେ, ତେବେ ୨୦୧୭ ପଞ୍ଚାୟତ ମୁକାବିଲାରେ କଂଗ୍ରେସକୁ କୌଣସି ସଫଳତା ମିଳି ନଥିଲା। ବ୍ଲକ୍‌ର ୩ଟି ଜିଲ୍ଲା ପରିଷଦ ଆସନ ବିଜେଡି ଓ ଗୋଟିଏ ବିଜେପି ଜିତିଥିଲା। ଏଥର ବିଜେଡି- ବିଜେପି ମୁକାବିଲାରେ କଂଗ୍ରେସ ବିଧାୟକ ତାଙ୍କ ଶକ୍ତି ପରୀକ୍ଷା କରୁଛନ୍ତି। ବିଜେଡି କ୍ଲିନ୍ ସ୍ବିପ୍ ଲକ୍ଷ୍ୟରେ ରହିଛି। ଗତଥର ହାରିଥିବା ବ୍ଳକର ଏହି ଏକମାତ୍ର ଜିଲ୍ଲା ପରିଷଦ ଜୋନ୍ ମଧ୍ୟ ବିଜେପି ଠାରୁ ଛଡାଇ ନେବାକୁ ରଣନୀତି ତିଆରି ହୋଇଛି। ତେବେ କଂଗ୍ରେସ ବିଧାୟକ ସମ୍ମାନର ପ୍ରଶ୍ନ କରି ପଞ୍ଚାୟତ ନିର୍ବାଚନକୁ ପରିଚାଳନା କରୁଛନ୍ତି। ତଥାପି ଜିଲ୍ଲା ସଭାପତି ଭାବେ ତାଙ୍କର କେତେଦୂର ପ୍ରଭାବ ଏହି ଭୋଟ ମୁକାବିଲାରେ ପଡିବ ତାହା କହିବା ମୁସ୍କିଲ। ବିଜେପି କିଛିଟା ବ୍ୟାକ୍‌ଫୁଟ୍‌ରେ ରହିଛି। ତଥାପି ଦଳ ନିଜର ଜିଲ୍ଲା ପରିଷଦ ଆସନ ବଜାୟ ରଖିବାକୁ ଚେଷ୍ଟା ଚଳାଇଛି। ତେଣେ ବିରୋଧୀ ଭୋଟ ବିଭାଜନ ବିଜେଡିକୁ ସୁହାଇବା ଆଶା କରାଯାଉଛି।

ପୋଲସରା ନିର୍ବାଚନମଣ୍ଡଳୀର ପୋଲସରା ବ୍ଲକ୍‌ରେ ମତଦାନ ସରିଥିବା ବେଳେ ଆଜି ବୁଗୁଡ଼ା ବ୍ଲକ୍‌ରେ ଭୋଟଗ୍ରହଣ। ପୋଲସରା ନିର୍ବାଚନମଣ୍ଡଳୀରେ ବିଜେଡି ରଣକୌଶଳର ଅଗ୍ରଭାଗରେ ରହିଛନ୍ତି ସେଠିକାର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ। ଯଦିଓ ବିଜେଡିର ପୁରାତନ ପ୍ରତିଦ୍ଵନ୍ଦ୍ବୀ ତାଙ୍କୁ ଟକ୍କର ଦେଉଛନ୍ତି, ହେଲେ ଜନସାଧାରଣଙ୍କ ମଧ୍ୟରେ ବିଜେଡିର ଲୋକପ୍ରିୟତା ଅତୁଟ ରହିଥିବାରୁ ବିଜେପି ଯେ ସଫଳ ହେବ ତାହା ଆଶା କରାଯାଉନି। ସୋରଡ଼ା ବ୍ଲକ୍‌ରେ ବିଜେଡି ବିଧାୟକ ପୁଣି ବାଜି ମାରିବାକୁ ପ୍ରସ୍ତୁତ। ଏକରକମ ବିରୋଧୀ ଶୂନ୍ୟ ଏହି ବ୍ଲକ୍‌ର ୪ଟି ଯାକ ଜିଲ୍ଲା ପରିଷଦ ଜୋନ୍‌ ହାତେଇବା ଲକ୍ଷ୍ୟରେ ଜୋରସୋରରେ ପ୍ରଚାର କରିଥିଲା ବିଜେଡି। ତେଣୁ ଭୋଟର ଶାସକ ଦଳ ପ୍ରତି ଢଳିବା ଅନୁମାନ କରାଯାଉଛି। ସେହିପରି ଚିକିଟିରେ କଂଗ୍ରେସ ଦିଗହରା ହୋଇ ସାରିଥିବା ବେଳେ ବିଜେପିକୁ ହରାଇ ବିଜେଡି ବାଜିମାତ୍ କରିବାକୁ ରଣକୌଶଳ ପ୍ରସ୍ତୁତ କରିଛି। ବିଶେଷ କରି ଚିକିଟି ଅଞ୍ଚଳରେ ଗତ କିଛି ବର୍ଷ ମଧ୍ୟରେ ଉନ୍ନୟନମୂଳକ କାର୍ଯ୍ୟର ଯେଭଳି ଛାପ ଛାଡିଛି ବିଜେଡି, ସେଥିରୁ ଲୋକେ ଯେ ଏକମାତ୍ର ବିକଳ୍ପ ଭାବେ ଶାସକ ଦଳକୁ ପସନ୍ଦ କରିବା ଆଶା କରାଯାଉଛି। ପକ୍କା ସଡ଼କ, ସୁନ୍ଦର ପୁଷ୍କରିଣୀ, ଉନ୍ନତ ପର୍ଯ୍ୟଟନସ୍ଥଳ ଆଦି ଦେଖୁଥିବା ଲୋକେ ଉନ୍ନୟନର ଏହି ଧାରାକୁ ବଜାୟ ରଖିବା ପାଇଁ ବିଜେଡିକୁ ହିଁ ସମର୍ଥନ କରିବାର ଅନୁମାନ କରାଯାଉଛି। କଂଗ୍ରେସ ଦୁର୍ଗର ପତନ ପରେ ଗତ ଅନେକ ବର୍ଷ ଧରି ଚିକିଟି ବିଜେଡି ଗଡ଼ ଭାବେ ପରିଚିତ ହୋଇ ଆସିଛି। ବିଜେପିର ସିନ୍ଧି ମାରିବାକୁ ଚେଷ୍ଟା ସର୍ବଦା ଫେଲ୍ ମାରି ଆସିଛି। ତେବେ ଦ୍ଵିମୁଖୀ ମୁକାବିଲା ସମ୍ଭାବନା ସତ୍ତ୍ଵେ ପୂର୍ବତନ ମନ୍ତ୍ରୀ ତଥା ଚିକିଟି ବିଜେଡି ବିଧାୟିକା ଯେ ନିଜ ଦଳ ପ୍ରତି ଜନସମର୍ଥନ ବହୁମାତ୍ରାରେ ହାସଲ କରିପାରିବେ ତାହା ଆଶା କରାଯାଉଛି। ତେବେ କିଏ ବାଜି ମାରି ନେଉଛି ତାହା ଫଳ ଘୋଷଣା ହେବା ପରେ ସ୍ପଷ୍ଟ ହେବ।

Comments are closed.