ଗଞ୍ଜାମରେ ତୃତୀୟ ପର୍ଯ୍ୟାୟ ଭୋଟିଂ ଆଜି: ସବୁ ଜିଲ୍ଲା ପରିଷଦ ଆସନରେ ବିଜୟ ପୁନରାବୃତ୍ତି ଲକ୍ଷ୍ୟରେ ବିଜେଡି

ଛତ୍ରପୁର: ଆଜି ହେଉଛି ଗଞ୍ଜାମ ଜିଲ୍ଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୫ ବ୍ଲକ୍‌ରେ ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭୋଟଗ୍ରହଣ ଦିବସ। ସେଗୁଡିକ ହେଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତ୍ରପୁର ଓ ଗଞ୍ଜାମ ବ୍ଲକ୍, ଚିକିଟି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ପାତ୍ରପୁର ବ୍ଲକ୍, ସୋରଡା ବିଧାନସଭା ଆସନ ଅନ୍ତର୍ଗତ ବେଲଗୁଣ୍ଠା ବ୍ଲକ୍ ଓ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀ ଅଧୀନ ଧରାକୋଟ ବ୍ଲକ୍। ଏହି ସବୁ ସ୍ଥାନରେ ମୋଟ ୧୪ଟି ଜିଲ୍ଲା ପରିଷଦ ଆସନ ପାଇଁ ମୁକାବିଲା କରୁଛନ୍ତି ୬୧ ଜଣ ପ୍ରାର୍ଥୀ। ସେହିପରି ୯୨ଟି ଗ୍ରାମପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ / ସଭ୍ୟା ଲେଖାଏଁ ଯଥାକ୍ରମେ ୨୬୧ ଓ ୨୨୮ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ୧୩୮୨ ୱାର୍ଡ ପାଇଁ ୱାର୍ଡ ସଭ୍ୟ / ସଭ୍ୟାଙ୍କୁ ନିର୍ବାଚିତ କରିବେ ମୋଟ ୪ ଲକ୍ଷ ୯୦ ହଜାର ୯୪୪ ମତଦାତା ଭୋଟଗ୍ରହଣ ପାଇଁ ୧୩୮୨ ବୁଥ୍ ଥିବା ବେଳେ ମୋଟ ୧୯୯ଟି ସ୍ପର୍ଶକାତର ମତଦାନ କେନ୍ଦ୍ର ଭାବେ ଚିହ୍ନଟ ହୋଇଛି। ଦ୍ଵିତୀୟ ପର୍ଯ୍ୟାୟ ଭଳି ଏଥରକୁ ମଧ୍ୟ ଶାନ୍ତିଶୃଙ୍ଖଳାରେ ମତଦାନ ସାରିବାକୁ ପୋଲିସ ଓ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥରକୁ ମିଶାଇ ଜିଲ୍ଲାର ମୋଟ ୨୨ଟିରୁ ୧୫ ଗୋଟି ବ୍ଲକ୍‌ରେ ପଞ୍ଚାୟତ ଭୋଟଦାନ ଶେଷ ହେବ। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ୧୦ଟି ବ୍ଲକ୍‌ର ୩୩ଗୋଟି ଜିଲ୍ଲା ପରିଷଦ ଆସନ ନିମନ୍ତେ ଭୋଟ ଗ୍ରହଣ ସରିଯାଇଛି।

ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ୧୪ଟି ଯାକ ଜିଲ୍ଲା ପରିଷଦ ଜୋନ୍‌ ବିଜେଡି ଦଖଲରେ ରହିଛି। ଏଣୁ ବିଜୟର ପୁନରାବୃତ୍ତି କରିବାକୁ ଶାସକ ଦଳ ଭରପୁର ପ୍ରୟାସ କରିଛି। ଜୋରଦାର ପ୍ରଚାର ଜରିଆରେ ରାଜ୍ୟ ସରକାରଙ୍କ ଜନହିତକର ସମସ୍ତ ଯୋଜନାକୁ ଜନସାଧାରଣଙ୍କ ଆଗରେ ଥୋଇ ଭୋଟ ଭିକ୍ଷା କରିଛନ୍ତି ବିଜେଡି ପ୍ରାର୍ଥୀ। ତେବେ ସାନଖେମୁଣ୍ଡିର କଂଗ୍ରେସ ବିଧାୟକ ନିଜ କ୍ଷେତ୍ର ଅନ୍ତର୍ଗତ ଧରାକୋଟରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଭରପୁର ପ୍ରଚେଷ୍ଟା କରିଛନ୍ତି। ସେହିପରି ଛତ୍ରପୁର ବିଧାନସଭା କ୍ଷେତ୍ରରେ ବିଜେପି ସାଙ୍ଗକୁ କଂଗ୍ରେସ ଓ ବାମପନ୍ଥୀଙ୍କ ଭୋଟବ୍ୟାଙ୍କ୍ ରହିଛି। ତେବେ ଏହି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉଭୟ ବ୍ଲକ୍‌ରେ ଗତ କିଛି ବର୍ଷ ମଧ୍ୟରେ ଉଲ୍ଲେଖନୀୟ ବିକାଶମୂଳକ କାର୍ଯ୍ୟ ହୋଇଛି। ପାତ୍ରପୁର ବ୍ଲକ୍‌ରେ କଂଗ୍ରେସର ସ୍ଥିତି ଶୂନ୍ୟ ଅବସ୍ଥାର ଲାଭ ନେବାକୁ ବିଜେପି ପ୍ରୟାସ କରୁଥିଲେ ହେଁ ଏହି ବିଧାନସଭା ଆସନରେ କଂଗ୍ରେସର ଦୁର୍ଗ ପତନ ପରେ ଲଗାତାର ବିଜେଡି ହିଁ ଲୋକଙ୍କ ପସନ୍ଦର ଦଳ ହୋଇ ରହି ଆସିଛି। ସେହିପରି ବେଲଗୁଣ୍ଠା ବ୍ଲକ୍‌ରେ କଂଗ୍ରେସ ଓ ବିଜେପିର ପ୍ରସଙ୍ଗଶୂନ୍ୟ ଅପପ୍ରଚାରକୁ ବିଜେଡିର ଲୋକାଭିମୁଖୀ ଯୋଜନାର କ୍ୟାମ୍ପେନିଂ କାଟୁ କରିଛି।ମୋଟାମୋଟି ଭାବେ ବିଜେଡି କିଭଳି ବିରୋଧୀଙ୍କ ରଣନୀତିର ମୁକାବିଲା କରୁଛି ଆଉ ଜନସମର୍ଥନକୁ ନିଜ ପଟକୁ ଆକୃଷ୍ଟ କରୁଛି ତାହା ଭୋଟଗଣତି ପରେ ସ୍ପଷ୍ଟ ହେବ।

ଧରାକୋଟ ରାଜପରିବାରର ରାଜଜେମା ସୁଲକ୍ଷଣା ତୃତୀୟ ପିଢି ଭାବେ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଛନ୍ତି। ସେ ଧରାକୋଟରୁ ସମିତି ସଭ୍ୟ ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ତାଙ୍କ ଜେଜେ ବାପା, ପିତା ଓ ମାତା ବିଭିନ୍ନ ସମୟରେ ସାଂସଦ, ବିଧାୟକ, ବ୍ଲକ୍ ଅଧ୍ୟକ୍ଷ ଆଦି ରହିଥିଲେ। ଅଞ୍ଚଳବାସୀଙ୍କ ରାଜ ପରିବାର ପ୍ରତି ସ୍ନେହ ଶ୍ରଦ୍ଧା ରହିଛି ଯାହା ବିଜେଡି ପାଇଁ ବିଜୟର ପଥ ସୁଗମ କରିବା ଅନୁମାନ କରାଯାଉଛି। ବିଜେପି ପାଇଁ କୌଣସି ଜିଲ୍ଲା ବା ରାଜ୍ୟସ୍ତରୀୟ ନେତା ପ୍ରଚାର କରି ନଥିବା ବେଳେ ଗତ ସାଧାରଣ ନିର୍ବାଚନରେ ସାନଖେମୁଣ୍ଡିରୁ ଦଳୀୟ ପ୍ରାର୍ଥୀ ହୋଇଥିବା ନେତାଙ୍କ ନିରବତା, ନିଷ୍କ୍ରିୟତା ଦଳ ପାଇଁ ଅଡ଼ୁଆ ସୃଷ୍ଟି କରିପାରେ। ତେଣୁ ଏଠି ମୁଖ୍ୟତଃ ବିଜେଡି- କଂଗ୍ରେସ ଟକ୍କର ଅନୁମାନ କରାଯାଉଛି। ପାତ୍ରପୁର ବ୍ଲକ୍‌ରେ କଂଗ୍ରେସ ନେତୃତ୍ବବିହୀନ ଅବସ୍ଥା ଦେଇ ଗତି କରୁଛି। ଏଣୁ ଏଠି କଂଗ୍ରେସରୁ ଆସି ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଜଣକ ପୂର୍ବତନ ମନ୍ତ୍ରୀ ଓ ବିଜେଡି ବିଧାୟିକା ତଥା ଚିକିଟି ରାଣୀଙ୍କୁ ଟକ୍କର ଦେବାକୁ ଚେଷ୍ଟା କରୁଛନ୍ତି। ହେଲେ ସାଧାରଣ ନିର୍ବାଚନରେ ଏଠାରୁ ବିଜେଡି ଯେଉଁଭଳି ସମର୍ଥନ ହାସଲ କରିଥିଲା ଏବେ ପଞ୍ଚାୟତ ନିର୍ବାଚନରେ ତାହାର ପୁନରାବୃତ୍ତି ହେବାର ଶାସକ ଦଳ ଦୃଢ଼ ଆଶା ରଖିଛି। ଏଣୁ ଧରାକୋଟର ବିପରୀତ ଏଠି ବିଜେଡି- ବିଜେପି ଟକ୍କର ଦେଖିବାକୁ ମିଳିବ।

ବେଲଗୁଣ୍ଠା ବ୍ଲକ୍‌ରେ ପ୍ରତି ଜିଲ୍ଲା ପରିଷଦ ଆସନରେ ଚାରି ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି। ଚତୁର୍ମୁଖୀ ମୁକାବିଲାରେ ବିଜୟ ହାସଲ କରିବାକୁ ବିଜେଡି ସୁବିଧାଜନକ ସ୍ଥିତିରେ ରହିଥିବା ରାଜନୈତିକ ପଣ୍ଡିତଙ୍କ ଆକଳନ କହୁଛି। ତେବେ କେଉଁଠି ବିଜେଡି- ବିଜେପି ତ କେଉଁଠି ବିଜେଡି- କଂଗ୍ରେସ୍ ଟକ୍କର ହେବ। ଛତ୍ରପୁର ଓ ଗଞ୍ଜାମ ବ୍ଲକ୍ ଶାସକ ଦଳ ପାଇଁ ଚ୍ୟାଲେଞ୍ଜିଂ ରହିବାର ଆକଳନ କରାଯାଉଛି। ଯଦିଓ ବିଜେଡି ପ୍ରାର୍ଥୀ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ ଯୋଜନା ଓ ସ୍ଵଚ୍ଛ ତଥା ଦୁର୍ନୀତିମୁକ୍ତ ଶାସନ ଆଧାରରେ ଭୋଟ ଭିକ୍ଷା କରୁଛନ୍ତି, ତେବେ କେଉଁଠି ବିଜେପି ତ କେଉଁଠି କଂଗ୍ରେସ ଅଥବା ବାମପନ୍ଥୀଙ୍କ ଭୋଟବ୍ୟାଙ୍କ୍ ଦଳ ପାଇଁ ଏତେ ସହଜସାଧ୍ୟ ହୋଇନପାରେ। ଅପରପକ୍ଷରେ ବିଜେଡି ବନାମ ବିରୋଧୀଙ୍କ ଲଢେଇରେ ଭୋଟ ବିଭାଜନ ଶାସକ ଦଳକୁ ସୁହାଇବା ଆଶା ମଧ୍ୟ କରାଯାଉଛି। ବିଶେଷ କରି ଗଞ୍ଜାମ ବ୍ଳକ୍‌ରେ ବିଜେପି ବିରୋଧରେ ଅସନ୍ତୋଷ, ଉଭୟ ବ୍ଳକ୍‌ରେ କଂଗ୍ରେସ ଓ ବାମପନ୍ଥୀଙ୍କ ପ୍ରତି ଲଗାତାର ହ୍ରାସ ପାଇ ଆସୁଥିବା ଜନସମର୍ଥନ ବିଜେଡି ପ୍ରାର୍ଥୀଙ୍କ ପାଇଁ କିଛି ସହାୟକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଚଳିତ ପର୍ଯ୍ୟାୟର ସର୍ବାଧିକ ଜିଲ୍ଲା ପରିଷଦ ପ୍ରାର୍ଥୀ ଛତ୍ରପୁର ବ୍ଲକ୍‌ରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏଣୁ ବିଜେଡି ପ୍ରତି ଜନସମର୍ଥନ ଆଉ ବିଭାଜିତ ବିରୋଧୀଙ୍କ ଆଗରେ ବିଜୟ ହାସଲ ଆଶା ରଖିଛନ୍ତି ଶାସକ ଦଳର ପ୍ରାର୍ଥୀ।

Comments are closed.