ଗଞ୍ଜାମରେ ଚତୁର୍ଥ ପର୍ଯ୍ୟାୟ ମତଦାନ, ସମସ୍ତ ୪ ବ୍ଲକ୍ ପୁନଃଦଖଲ ଲକ୍ଷ୍ୟରେ ବିଜେଡି

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ୩ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୪ଟି ବ୍ଲକ୍‌ ତଥା ୧୦୧ ପଞ୍ଚାୟତର ୧୩୮୩ ବୁଥ୍‌ରେ ଆଜି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେଉଛି। ୨, ୪୫, ୧୦୪ ପୁରୁଷ ଏବଂ ୨, ୧୮, ୮୮୦ ମହିଳା ଓ ୩୭ ତୃତୀୟ ଲିଙ୍ଗୀ ଭୋଟର ତଥା ମୋଟରେ ୪, ୬୪, ୦୨୧ ଜଣ ମତଦାତା ସେମାନଙ୍କ ଭୋଟଦାନ ଅଧିକାର ସାବ୍ୟସ୍ତ କରିବେ। ୧୨ଟି ଜିଲ୍ଲା ପରିଷଦ ଆସନରେ ୪୧ ଜଣ, ୧୦୧ ପଞ୍ଚାୟତରେ ୩୧୭ ସରପଞ୍ଚ ଓ ୨୮୦ ଜଣ ସମିତି ସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ। ଏହି ପର୍ଯ୍ୟାୟରେ ରହିଛି ୨୦୭ଟି ସ୍ପର୍ଶକାତର ବୁଥ୍ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର, ଭଞ୍ଜନଗର ବିଧାନସଭା କ୍ଷେତ୍ର ଅଧୀନ ଜଗନ୍ନାଥପ୍ରସାଦ ଓ କବିସୂର୍ଯ୍ୟନଗର ବିଧାନସଭା ଆସନ ଅନ୍ତର୍ଗତ କବିସୂର୍ଯ୍ୟନଗର ବ୍ଲକ୍‌ରେ ହେବ ଭୋଟ ଲଢ଼େଇ।

ଉପରୋକ୍ତ ୪ଟି ବ୍ଲକ୍‌ ବିଜେଡି କବଜାରେ ରହିଛି। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଏଥି ଅନ୍ତର୍ଗତ ସମସ୍ତ ୧୨ଟି ଜୋନ୍‌ ଦଖଲ କରିଥିଲା। ଏଣୁ ଏ ସମସ୍ତ ବ୍ଲକର ଶାସନ ତଥା ଜିଲ୍ଲା ପରିଷଦ ଆସନ ପୁନଃଦଖଲ କରିବା ଲକ୍ଷ୍ୟରେ ଶାସକ ଦଳ ବିଜେଡି ସମସ୍ତ ରଣକୌଶଳ ଗ୍ରହଣ କରାଯାଇଛି। ନିର୍ବାଚନ ପୂର୍ବରୁ ଦଳୀୟ ସଙ୍ଗଠନକୁ ମଜବୁତ୍ କରି, ପ୍ରଚାର ମାଧ୍ୟମରେ ଜନତାଙ୍କ ନିକଟରେ ନବୀନ ସରକାରଙ୍କ ଲୋକାଭିମୁଖୀ ଯୋଜନାର ତଥ୍ୟ ଥୋଇ ସେମାନଙ୍କ ସମର୍ଥନ ଲୋଡ଼ିବାରେ ଲାଗିଥିଲେ ବିଜେଡି ପ୍ରାର୍ଥୀ ଓ ନେତାଗଣ। ମୋଟାମୋଟି ଭାବେ ଏହି ସମସ୍ତ ଆସନରେ ଶାସକ ଦଳର ବିଧାୟକମାନେ ବିରୋଧୀ ଦଳର ଚାଲକୁ ପରାହତ କରି ବିଜେଡିକୁ ପୁନଃବିଜୟୀ କରାଇବାକୁ ସୁନିଶ୍ଚିତ ଯୋଜନା କାର୍ଯ୍ୟକାରୀ କରାଇଛନ୍ତି। ବିଶେଷ କରି ପୁରୁଷୋତ୍ତମପୁର ବ୍ଲକ୍‌ରେ ତାରାତାରିଣୀ, ଜଉଗଡ ସମେତ ଏକାଧିକ ଶୈବ ପୀଠର ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ଦୃଷ୍ଟିରୁ ବିଶେଷ ବିକାଶ ହୋଇପାରିଛି। ଏଥିସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହେଉ କି କରୋନା ମହାମାରୀ ସମୟରେ ସମାଜର ବିଭିନ୍ନ ବର୍ଗ ପାଇଁ ସହାୟତା ଜରିଆରେ ବିଜେଡି ସରକାର ସାଧାରଣ ଲୋକଙ୍କ ପ୍ରିୟପାତ୍ର ହୋଇପାରିଥିଲା। ତାହାକୁ ଆଧାର କରି ଏସବୁ ବ୍ଲକରେ ବିଜେଡି ପୁନଃ ଜିଲ୍ଲା ପରିଷଦ ସମେତ ବ୍ଲକ୍, ଏପରିକି ପଞ୍ଚାୟତ ଶାସନ ଦଖଲ କରିବାକୁ ସତେ ଯେମିତି ପଣ କରିଛନ୍ତି।

ଯଦିଓ ଖଲ୍ଲିକୋଟ ବ୍ଲକ୍‌ରେ ଅସନ୍ତୁଷ୍ଟ ତଥା ବିଦ୍ରୋହୀ ବିଜେଡି ପ୍ରାର୍ଥୀ ଶାସକ ଦଳ ବିଧାୟକଙ୍କୁ ଚ୍ୟାଲେଞ୍ଜ୍ ଦେଉଛନ୍ତି ତେବେ ଜନସାଧାରଣଙ୍କ ସମର୍ଥନ ହାସଲ କରିବା ବିଜେଡି ପ୍ରାର୍ଥୀଙ୍କ ପକ୍ଷରେ କଷ୍ଟକର ହେଲେ ହେଁ ଅସମ୍ଭବ ମନେ ହୁଏନି। ସ୍ଥିତି ସମ୍ଭାଳିବାକୁ ପ୍ରଚାରର ଶେଷ ଦିନରେ ବିଜେଡି ରାଜ୍ୟ ନେତା ଦେବୀ ପ୍ରସାଦ ମିଶ୍ର ଖଲିକୋଟ ବ୍ଲକ୍‌ ଗସ୍ତ କରିଥିଲେ। ତାରକାଙ୍କ ଗହଣରେ ବିଜେଡି ପ୍ରାର୍ଥୀ ପ୍ରଚାର କରି ନିଜ ବିଜୟ ପାଇଁ ଅଧିକ ସମର୍ଥନ ଯୋଗାଡ଼ କରିବାରେ ସକ୍ଷମ ହୋଇପାରିଛନ୍ତି। ପୁରୁଷୋତ୍ତମପୁର ବ୍ଲକ୍‌ର ୨୬ ପଞ୍ଚାୟତ ମଧ୍ୟରୁ ୧୫ଟି ପଞ୍ଚାୟତ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ଓ ୧୧ଟି ପଞ୍ଚାୟତ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅଟେ। ଏହି ବ୍ଲକ୍‌ରେ ଉଭୟ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ବିଧାୟିକା ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ ରଣନୀତିକୁ ବେଶ୍ ସୂଚାରୁ ରୂପେ ସମ୍ପାଦନ କରିଛନ୍ତି। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଅତ୍ୟନ୍ତ ସରଗରମ ଥିଲା। ବିଶେଷକରି ଖଲିକୋଟ ଓ କବିସୂର୍ଯ୍ୟନଗର ବ୍ଲକ୍‌ରେ ସିନେ ତାରକା ତଥା ଦଳର ବରିଷ୍ଠ ନେତାଙ୍କ କ୍ୟାମ୍ପେନିଂ ଅତ୍ୟନ୍ତ ଆକର୍ଷଣୀୟ ଥିଲା। ଅପରପକ୍ଷରେ ଜଗନ୍ନାଥପ୍ରସାଦ ବ୍ଲକ୍ ଓ କବିସୂର୍ଯ୍ୟନଗର ବ୍ଲକ୍‌ରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଅନୁମାନ କରାଯାଉଛି। ତେବେ ପ୍ରତିପକ୍ଷକୁ ହରାଇବା ପାଇଁ ସମସ୍ତ ବିଜେଡି ପ୍ରାର୍ଥୀ ପ୍ରସ୍ତୁତି ରହିଛନ୍ତି।

Comments are closed.