ପରିଣାମ ପୋର୍ଟାଲରେ ଉପଲବ୍ଧ ହେବ ଫଳାଫଳ

ଭୁବନେଶ୍ୱର : ପଂଚାୟତ ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଭୋଟ ବାକ୍ସଗୁଡ଼ିକର ସୁରକ୍ଷାକୁ ନେଇ ଚିନ୍ତା ପରିପ୍ରେକ୍ଷୀରେ ରାଜ୍ୟ ନିର୍ବାଚନ କମିଶନର ୪ଦିନ ମଧ୍ୟରେ ୩ଥର ଚିଠି ଲେଖି ସମସ୍ତ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ଭୋଟ ବାକ୍ସ ସୁରକ୍ଷା, ଷ୍ଟ୍ରଙ୍ଗରୁମର ନିରାପତ୍ତା, ଭୋଟ୍ ଗଣତି କେନ୍ଦ୍ରର ସୁରକ୍ଷା ଆଦିକୁ ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାସହିତ ପଂଚାୟତ ନିର୍ବାଚନ ଫଳାଫଳ ‘ପରିଣାମ’ ୱେବପୋର୍ଟାଲ ମାଧ୍ୟମରେ ଉପଲବ୍ଧ କରାଇବାକୁ ନିର୍ବାଚନ କମିଶନ ବ୍ୟବସ୍ଥା କରିଛନ୍ତି ।

ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଚଳିତ ପଂଚାୟତ ନିର୍ବାଚନ ପାଇଁ ଭୋଟଗ୍ରହଣ ୨୪ ତାରିଖରେ ଶେଷ ହେବା ପରେ ୨୬ରୁ ୨୮ତାରିଖ ୩ଦିନ ଧରି ରାଜ୍ୟବ୍ୟାପୀ ସମସ୍ତ ବ୍ଲକ ମୁଖ୍ୟାଳୟରେ ଭୋଟ୍ ଗଣତି କରାଯିବ । ତେବେ ଏହି ଗଣତି ଫଳାଫଳକୁ ଅନଲାଇନ୍ ‘ପରିଣାମ’ ପୋର୍ଟାଲ ମାଧ୍ୟମରେ ଅପଡେଟ୍ କରାଇବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ଅଧିକାରୀ ବା ବିଡିଓମାନେ ୨୪ତାରିଖ ସୁଦ୍ଧା ଏହି ପୋର୍ଟାଲ ପାଇଁ ଆବଶ୍ୟକ ଡାଟା ଉପଲବ୍ଧ କରାଇବେ । ଯାହାଫଳରେ ଭୋଟଗଣତି ପରେ ପଂଚାୟତ ଓ ୱାର୍ଡ ୱାରି କେଉଁ ଜିଲ୍ଲା ପରିଷଦ ପ୍ରାର୍ଥୀ କେତେ ଭୋଟ୍ ପାଇଲେ ତାହା ଏହି ପୋର୍ଟାଲ ମାଧ୍ୟମରେ ସମସ୍ତେ ଜାଣିପାରିବେ । ଏଥିପାଇଁ ପ୍ରତ୍ୟେକ ଭୋଟଗଣତି କେନ୍ଦ୍ରରେ ଇଣ୍ଟରନେଟ ସଂଯୋଗ ସହ ଆବଶ୍ୟକ ପରିମାଣର କମ୍ପ୍ୟୁଟର ଅବା ଲାପଟପ୍ ଉପଲବ୍ଧ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମଥର ପାଇଁ ପଂଚାୟତ ନିର୍ବାଚନ ଫଳାଫଳ ଅନଲାଇନରେ ଉପଲବ୍ଧ ହେବ ।

Comments are closed.