ବିଜେଡିର ପୌର ନିର୍ବାଚନ ପ୍ରସ୍ତୁତି: ସହରାଞ୍ଚଳରେ ମଧ୍ୟ ଶହେରୁ ଶହେ ଟାର୍ଗେଟ୍

ଛତ୍ରପୁର: ପଞ୍ଚାୟତ ନିର୍ବାଚନରେ କ୍ଳିନ୍ ସ୍ବିପ୍ କରିବା ପରେ ଏବେ ପୌର ନିର୍ବାଚନରେ ମଧ୍ୟ ଶହେରୁ ଶହେ ସ୍କୋର କରିବା ଲକ୍ଷ୍ୟରେ ରହିଛି ବିଜେଡି। ଶତପ୍ରତିଶତ ସହରାଞ୍ଚଳରେ ବିଜୟ ଟାର୍ଗେଟ୍ ନେଇ ରଣକୌଶଳ ପ୍ରସ୍ତୁତି ଆରମ୍ଭ କରି ଦେଇଛି ଶାସକ ଦଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ, ସମାଜର ବିଭିନ୍ନ ବର୍ଗ ପାଇଁ ଜନକଲ୍ୟାଣକାରୀ ଯୋଜନା ସାଙ୍ଗକୁ ରାଜ୍ୟର ସହରାଞ୍ଚଳରେ ବିକାଶର ଧାରାକୁ ତ୍ବରାନ୍ବିତ କରିବା ପାଇଁ ଶାସକ ଦଳ ସମସ୍ତ ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌର ପରିଷଦ ଓ ମହାନଗର ନିଗମରେ ବିଜୟୀ ହେବା ଆବଶ୍ୟକ। ଏଣୁ ଏବେ ଠାରୁ ସେ ଦିଗରେ ପାଦ ବଢ଼ାଇବା ଆରମ୍ଭ କରିଛନ୍ତି ବିଜେଡି ନେତୃବୃନ୍ଦ। ପ୍ରାରମ୍ଭିକ ଭାବେ ଏଥିପାଇଁ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସହରାଞ୍ଚଳକୁ ନେଇ ପ୍ରସ୍ତୁତି ବୈଠକର ପର୍ବ ଆରମ୍ଭ ହୋଇଯାଇଛି।

କରୋନା କାଳରେ ବିଶେଷ କରି ସହରାଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ମଜବୁତ୍ କରାଯିବା ସହ ରାସ୍ତାପାର୍ଶ୍ବ ଉଠା ଦୋକାନୀଙ୍କୁ ସହାୟତା, ଜୀବିକା ମିଶନ୍ ସହାୟତାରେ ସହରମାନଙ୍କରେ ମଧ୍ୟ କର୍ମନିଯୁକ୍ତି ଯୋଗାଣ, ସହରାଞ୍ଚଳର ବିଭିନ୍ନ ବର୍ଗକୁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ରାଜ୍ୟରେ ଚାଲିଥିବା ୫-ଟି ହାଇସ୍କୁଲ ଟ୍ରାନ୍ସଫର୍ମେସନ୍ ଅନ୍ତର୍ଗତ ସହରାଞ୍ଚଳର ସରକାରୀ ଉଚ୍ଚବିଦ୍ୟାଳୟଗୁଡ଼ିକ ଆଖିଦୃଶିଆ ନବକଳେବର ଘଟିଛି। ବିଭିନ୍ନ ସହରାଞ୍ଚଳରେ ଭିତ୍ତିଭୂମି ବିକାଶ ସାଙ୍ଗକୁ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ, ପାନୀୟ ଜଳ ଯୋଗାଣ, ସ୍ମାର୍ଟ ରୋଡ୍ ନିର୍ମାଣ ଭଳି ଅନେକ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଏସବୁ ଉନ୍ନୟନମୂଳକ ଯୋଜନା ଆଧାରରେ ଏବେ ଜନସମର୍ଥନ ଲୋଡ଼ିବାକୁ ଅଣ୍ଟା ଭିଡ଼ିଛି ବିଜେଡି।

ଗଞ୍ଜାମ ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ଆସନ ଦଖଲ ପରେ ସମସ୍ତ ୧୬ ଏନ୍ଏସି, ଏକମାତ୍ର ପୌରପାଳିକା ହିଞ୍ଜିଳିକାଟୁ ଓ ଏକମାତ୍ର ମହାନଗର ନିଗମ ବ୍ରହ୍ମପୁରରେ ପୁଣି ଥରେ ବିଜୟ ପୁନରାବୃତ୍ତି କରିବାକୁ ଯୋଜନା କାର୍ଯ୍ୟକାରୀ ଆରମ୍ଭ କରି ଦେଇଛି ବିଜେଡି। ଦଳର ଗଞ୍ଜାମ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ନିକଟରେ ବ୍ରହ୍ମପୁର ଗସ୍ତରେ ଆସି ଜିଲ୍ଲାର ସମସ୍ତ ବିଧାୟକଙ୍କ ସହ ଏ ବାବଦରେ ଆଲୋଚନା କରିଛନ୍ତି। ଜିଲ୍ଲାର ସହରାଞ୍ଚଳର ରାଜନୈତିକ ସ୍ଥିତି ଅନୁଧ୍ୟାନ କରିବା ସାଙ୍ଗକୁ ସଠିକ୍ ପ୍ରାର୍ଥୀଙ୍କ ନାମ ସୁପାରିସ କରିବା ଉପରେ ଗୁରୁତ୍ବାରୋପ କରିଥିଲେ ସେ। ବିଜୟ ସମ୍ଭାବନା, ଦଳ ପ୍ରତି ଆନୁଗତ୍ୟ ଓ ଲୋକପ୍ରିୟତା ଆଦି ଦିଗକୁ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ ସେ। ପ୍ରତିଟି ୱାର୍ଡକୁ ସ୍ବତନ୍ତ୍ର ନଜର ଦେଇ ଏବେଠୁ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ତଥା ବିଜୟ ଲକ୍ଷ୍ୟରେ ସଙ୍ଗଠିତ ଭାବେ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ ସେ। ଏହାର ଉତ୍ତରରେ ପୌର ନିର୍ବାଚନ ପାଇଁ ସମସ୍ତେ ପ୍ରସ୍ତୁତ ରହିଥିବା ନେଇ ଦଳୀୟ ବିଧାୟକ ଓ ଅନ୍ୟ ନେତୃବୃନ୍ଦ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ଜଣାଇଥିଲେ।

ସେହିପରି ଭଞ୍ଜନଗର ବାଉଁଶଲୁଣ୍ଡିସ୍ଥିତ ବିଜୁ ସ୍ମୃତି ଭବନରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ରାଜ୍ୟ ଜଙ୍ଗଲ, ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ପୌର ନିର୍ବାଚନରେ ବିଜେଡି ଶତ ପ୍ରତିଶତ ସଫଳତା ହାସଲ କରିବା ଦିଗରେ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ। ପ୍ରତି ୱାର୍ଡରେ ତୁରନ୍ତ ବୈଠକ କରିବା ସହ ୪ ଜଣ ଲେଖାଏଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ସୁପାରିଶ କରିବାକୁ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ- ଗତ ଥର ବୁଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ବାଦ୍ ଦେଲେ ତତ୍କାଳୀନ ହିଞ୍ଜିଳିକାଟୁ ଏନ୍‌ଏସି (ବର୍ତ୍ତମାନ ପୌରପାଳିକା ମାନ୍ୟତାପ୍ରାପ୍ତ) ସମେତ ସମସ୍ତ ୧୬ ସହରରେ ବିଜେଡି ଶାସନ ଦଖଲ କରିଥିଲା। ଗତ ପୌର ନିର୍ବାଚନରେ ବୁଗୁଡ଼ା ଏନ୍‌ଏସିକୁ ବାଦ୍ ଦେଲେ ସବୁଠି ବିଜେଡି କ୍ଷମତାରେ ରହିଥିଲା। ଏଥର ମଧ୍ୟ ସଫଳତାର ପୁନରାବୃତ୍ତି ସହ ଶତପ୍ରତିଶତ ସହରାଞ୍ଚଳ ଶାସନ ଦଖଲ କରିବାକୁ ବିଜେଡି ପ୍ରସ୍ତୁତି ତ୍ବରାନ୍ବିତ କରିଛି।

Comments are closed.