ଉନବିଂଶ ଶତାବ୍ଦୀର ହିନ୍ଦୁ ନବଜାଗରଣରେ ରାମକୃଷ୍ଣ ପରମହଂସଙ୍କ ଦାନ ଅତୁଳନୀୟ 

( ୧୮୬ ତମ ଶୁଭ ଆବିର୍ଭାବ ତିଥି ଅଵସରରେ )

ରାମକୃଷ୍ଣ ପରମହଂସ ଙ୍କ ପୂର୍ବନାମ ଗଦାଧର ଚଟ୍ଟୋପାଧ୍ୟାୟ । ଉନବିଂଶ ଶତାବ୍ଦୀର ବିଖ୍ୟାତ ଯୋଗୀ,ଦାର୍ଶନିକ ଓ ହିନ୍ଦୁ ଧର୍ମଗୁରୁ । ତାଙ୍କ ପ୍ରଚାରିତ ଧର୍ମୀୟ ଚିନ୍ତାଧାରାରେ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ ତାଙ୍କର ପ୍ରଧାନ ଶିଷ୍ୟ ସ୍ୱାମୀ ବିବେକାନନ୍ଦ । ଉନବିଂଶ ଶତାବ୍ଦୀର ହିନ୍ଦୁ ନବଜାଗରଣରେ ଉଭୟଙ୍କର ଦାନ ଅତୁଳନୀୟ ।

ଶ୍ରୀରାମକୃଷ୍ଣ ହୁଗୁଳୀ ଜିଲ୍ଲାର କାମାରପୁକୁର ଗାଁରେ ଏକ ବ୍ରାହ୍ମଣ ବଂଶରେ ଜନ୍ମଗ୍ରହଣ କରିଥିଲେ । ସେ ଦିନ ଥିଲା ୧୨୪୨ ସାଲର ଛଅ ଫାଲ୍ଗୁନ, ବୁଧବାର, ଶୁକ୍ଳ ଦ୍ୱିତୀୟା ତିଥି (୧୮୩୬ ଖ୍ରୀ:ର ଫେବୃଆରୀ ୧୮ ତାରିଖ) । ତାଙ୍କ ପିତାଙ୍କ ନାମ କ୍ଷୁଦିରାମ ଚଟ୍ଟୋପାଧ୍ୟାୟ ଓ ମାତା ଥିଲେ ଚନ୍ଦ୍ରମଣି ଦେବୀ ।କ୍ଷୁଦିରାମ ଅତି ନିଷ୍ଠାବାନ, ତେଜସ୍ୱୀ, ଦେବଦେବୀଙ୍କ ପ୍ରତି ଭକ୍ତିପରାୟଣ, ସତ୍ୟବାଦୀ ଓ ସଦାଚାରୀ ବ୍ରାହ୍ମଣ ଥିଲେ । ତାଙ୍କର ବିଶ୍ୱାସ ଥିଲା ଜ୍ୱଳନ୍ତ । ଶୀତଳା ଦେବୀ ବାଳିକା ରୂପରେ ଆସି ପ୍ରତ୍ୟୁଷରେ ପୂଜାଫୁଲ ତୋଳିବାରେ କ୍ଷୁଦିରାମଙ୍କୁ ସାହାଯ୍ୟ କରୁଥିଲେ । ଚନ୍ଦ୍ରମଣି ଦେବୀ ସରଳତା ଓ ଦୟାର ପ୍ରତିମୂର୍ତ୍ତି ଥିଲେ । ତାଙ୍କର ପୂର୍ବ ବାସସ୍ଥାନ ଥିଲା ଦେରେ ଗାଁରେ, କାମାରପୁକୁରଠାରୁ ତିନି ମାଇଲ ଦୂରରେ । ସେହି ଗ୍ରାମର ଜମିଦାରଙ୍କ ପକ୍ଷରେ ମିଥ୍ୟା ସାକ୍ଷ୍ୟ ନ ଦେବା ଫଳରେ, ଚାଳିଶବର୍ଷ ବୟସରେ କ୍ଷୁଦିରାମ ଙ୍କୁ ସ୍ୱଜନବର୍ଗଙ୍କ ସହ ପୈତୃକ ବାସସ୍ଥାନ ଛାଡ଼ି କାମାରପୁକୁରରେ ଏକ ବନ୍ଧୁଙ୍କ ଦାନ ସ୍ୱରୂପ ସାମାନ୍ୟ ଏକ କୁଟୀରରେ ଆଶ୍ରୟ ନେବାକୁ ପଡ଼ିଥିଲା ।

ଥରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବା ଲାଗି ସେ ଗୟାତୀର୍ଥକୁ ଯାଇଥିଲେ । ନାରାୟଣ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, ‘କ୍ଷୁଦିରାମ, ତୁମର ଭକ୍ତିରେ ମୁଁ ସନ୍ତୁଷ୍ଟ ହୋଇଛି । ତୁମର ସେବା ଗ୍ରହଣ କରିବା ପାଇଁ ତୁମର ପୁତ୍ର ରୂପେ ମୁଁ ଜନ୍ମ ନେବି । କ୍ଷୁଦିରାମ କାନ୍ଦି ପକାଇ କହିଲେ, ‘ମୁଁ ଯେ ବଡ଼ ଗରୀବ! ଆପଣଙ୍କର ସେବା ମୁଁ କରିପାରିବ ତ ପ୍ରଭୁ?’ ସେହି ଜ୍ୟୋତିର୍ମୟ ପୁରୁଷ ସ୍ନେହବିଗଳିତ କଣ୍ଠରେ କହିଲେ, ‘ଭୟ କର ନାହିଁ ବ୍ରାହ୍ମଣ! ତୁମେ ଯେଉଁ ଭାବରେ ମୋର ସେବା କରନା କାହିଁକି, ସେଥିରେ ମୁଁ ତୁପ୍ତ ହେବି ।’

ଏଣେ ତାଙ୍କ ଗୃହରେ ଚନ୍ଦ୍ରମଣି ଦେବୀଙ୍କର ନାନା ପ୍ରକାର ଦିବ୍ୟ ଦର୍ଶନ ଓ ଅନୁଭୂତି ହେବାକୁ ଲାଗିଲା । ସେ ଅନୁଭବ କଲେ ଯେ ଏକ ପ୍ରକାଣ୍ଡ ଜ୍ୟୋତି ସତେ ଯେମିତି ତାଙ୍କ ଉଦରରେ ପ୍ରବେଶ କରିଛି । ଯଥା ସମୟରେ ଶ୍ରୀରାମକୃଷ୍ଣଙ୍କର ଜନ୍ମ ହେଲା । ସ୍ୱପ୍ନକଥା ମନେ ପକାଇ କ୍ଷୁଦିରାମ ନବଜାତକର ନାମ ଗଦାଧର ରଖିଲେ ।

ପଞ୍ଚମ ବର୍ଷରେ ବିଦ୍ୟାରମ୍ଭ କରାଇ କ୍ଷୁଦିରାମ ଗଦାଧରଙ୍କୁ ଗ୍ରାମ ପାଠଶାଳାରେ ନାମ ଲେଖାଇ ଦେଲେ । ପଢ଼ାପଢ଼ି ବେଶୀ ଦୂର ଅଗ୍ରସର ହେଲା ନାହିଁ । ପାଠଶାଳାରେ ଅଙ୍କ ପାଠଟା ଗଦାଧରଙ୍କର ବୋଧଗମ୍ୟ ହେଲା ନାହିଁ । ସପ୍ତମ ବର୍ଷରେ ପିତାଙ୍କ ମୃତ୍ୟୁପରେ ଗଦାଧର ମା’ଙ୍କୁ ଗୃହ କର୍ମରେ ସାହାଯ୍ୟ କରିବାକୁ ଲାଗିଲେ । ସେ ଗୃହଦେବତାଙ୍କ ସେବାରେ ମଧ୍ୟ ବହୁ ସମୟ କଟାଉଥିଲେ । ଏଗାର ବର୍ଷ ବୟସରେ ଉପନୟନ ପରେ ସେ ଗୃହଦେବତା ରଘୁବୀରଙ୍କ ପୂଜାର ଭାର ଗ୍ରହଣ କଲେ । ଫୁଲ ତୋଳି ମାଳ ଗୁନ୍ଥୁଥିଲେ ଏବଂ ନିତ୍ୟ ପୂଜା-ଅର୍ଚ୍ଚନାଦି କରୁଥିଲେ । ଅତି ଅଳ୍ପ ବୟସରୁ ଶ୍ରୀରାମକୃଷ୍ଣଙ୍କର ଭଗବଦ୍ଭାବର ଆବେଶ ହେବାକୁ ଲାଗିଲା । ଯେତେବେଳେ ତାଙ୍କୁ ମାତ୍ର ସାତ ବର୍ଷ ବୟସ, ଦିନେ ସକାଳେ ଅଣ୍ଟିରେ ମୁଢ଼ି ଧରି ଖାଇ ଖାଇ ଚାଲିଛନ୍ତି ବିଲର ହିଡ଼ବାଟରେ । ଆକାଶରେ କଳା ମେଘର ବିସ୍ତାର ତଳେ ଉଡ୍ଡୀୟମାନ ବଗଙ୍କର ସ୍ୱଚ୍ଛନ୍ଦ ଗତି ଦେଖୁ ଦେଖୁ ଅପୂର୍ବ ଭାବର ଆବେଶରେ ସେ ଅଜ୍ଞାନ ହୋଇ ପଡ଼ିଗଲେ । ବାଟୋଇ ଲୋକେ ଦେଖିପାରି ତାଙ୍କୁ ଆଣି ଘରେ ପହଞ୍ଚାଇ ଦେଇଗଲେ । ଆଉ ଦିନେ ଗାଁର ସ୍ତ୍ରୀ-ଭକ୍ତଗଣଙ୍କ ସହିତ ଗଦାଧର ନିକଟବର୍ତ୍ତୀ ଆନୁଡ଼ଗ୍ରାମର ଜାଗ୍ରତା ଦେବୀ ବିଶାଳାକ୍ଷୀଙ୍କ ଦର୍ଶନ ପାଇଁ ଯାଉଥିଲେ । ସେତେବେଳେ ଅକସ୍ମାତ୍ ଅନ୍ତର ଭିତରେ ଏକ ଅଦ୍ଭୁତ ଜ୍ୟୋତି ଦର୍ଶନ କରି ଦେବୀଙ୍କର ଆବେଶରେ ସେ ବାହ୍ୟଜ୍ଞାନ ହରାଇ ବସିଲେ । ଲୋକେ କହିଲେ ମୂର୍ଚ୍ଛା । ଏହାକୁ ପୁଅର ବେମାରି ମନେ କରି ଚନ୍ଦ୍ରମଣି ଦେବୀ ବହୁ ଗୁଣିଗାରଡ଼ି ଚିକିତ୍ସା ପ୍ରଭୃତି କରାଇଥିଲେ । ଗଦାଧର କିନ୍ତୁ କହିଥିଲେ-ତାଙ୍କର ଅନ୍ତର ଦିବ୍ୟାନନ୍ଦରେ ଭରି ଉଠିଥିଲା ।

ଶ୍ରୀରାମକୃଷ୍ଣ ପିଲାଦିନେ ଗଦାଇ ନାମରେ ପରିଚିତ ଥିଲେ । ସେ ଅତି ସୁନ୍ଦର ଗୀତ ଗାଇ ପାରୁଥିଲେ । ତାଙ୍କର ସୁମଧୁର କଣ୍ଠସ୍ୱର ସହିତ ପ୍ରବଳ ସ୍ମୃତିଶକ୍ତି ମଧ୍ୟ ରହିଥିଲା । ତେଣୁ ଥରଟିଏ ମାତ୍ର ଯାତ୍ରା ବା ପାଲା ଗୀତ ଶୁଣି ସେଥିରୁ ଅଧିକାଂଶ ଗୀତ ଗାଇପାରୁଥିଲେ ଏବଂ ସମଗ୍ର ଯାତ୍ରା ଅଭିନୟ କରି ସମସ୍ତଙ୍କୁ ଆନନ୍ଦ ଦେଉଥିଲେ । ଏହି ସଦାନନ୍ଦ ବାଳକକୁ ପଡ଼ିଶାର ଆବାଳବୃଦ୍ଧବନିତା ସମସ୍ତେ ଅତ୍ୟନ୍ତ ଭଲ ପାଉଥିଲେ । ଘର ନିକଟରେ ଲାହାବାବୁଙ୍କର ଅତିଥିଶାଳାରେ ବହୁ ସାଧୁସମାଗମ ହେଉଥିଲା । ଶ୍ରୀରାମକୃଷ୍ଣ ସେଠାରେ ସାଧୁମାନଙ୍କର ସେବା ଯତ୍ନ କରୁଥିଲେ, ସେମାନଙ୍କର ମୁହଁରୁ ବହୁ ଧର୍ମକଥା ତନ୍ମୟ ହୋଇ ଶୁଣୁଥିଲେ । କଥକମାନଙ୍କର ପୁରାଣପାଠ ଶୁଣି ସେ ସବୁ କଣ୍ଠସ୍ଥ କରି ପକାଉଥିଲେ । ଏହିପରି ରାମାୟଣ, ମହାଭାରତ,ଶ୍ରୀମଦ୍ଭାଗବତର କଥାସବୁ ତାଙ୍କର ହୃଦୟଙ୍ଗମ ହୋଇଗଲା। ତାଙ୍କର ସୁଲଳିତ କଣ୍ଠରୁ ଏହିସବୁ ଧର୍ମଗ୍ରନ୍ଥ ପାଠ ଓ ବ୍ୟାଖ୍ୟା ଶୁଣି ଗ୍ରାମର ସ୍ତ୍ରୀ ପୁରୁଷ ସଭିଏଁ ମୁଗ୍ଧ ହୋଇ ଯାଉଥିଲେ ।

ପିଲାଦିନୁ ଶ୍ରୀରାମକୃଷ୍ଣଙ୍କର ଉଚ୍ଚନୀଚ ବୋଧ ନ ଥିଲା । ନିମ୍ନ ଜାତିର ଲୋକଙ୍କ ଘରକୁ ଯାଇ ମଧ୍ୟ ସେ ପ୍ରହ୍ଲାଦଚରିତ, ଧ୍ରୁବଚରିତ ବା ରାମାୟଣ ପାଠ କରି ଆନନ୍ଦ ବିତରଣ କରୁଥିଲେ। ।

୧୮୮୬ ଖ୍ରୀଷ୍ଟାବ୍ଦ ଜାନୁଆରୀ ପହିଲା ସମସ୍ତଙ୍କ ପାଇଁ ଏକ ବିଶେଷ ସ୍ମରଣୀୟ ଦିନ । ସେଦିନ କୃପାମୂର୍ତ୍ତି ଶ୍ରୀରାମକୃଷ୍ଣ କାଶୀପୁର ଉଦ୍ୟାନରେ ଯେତେ ଭକ୍ତ ଥିଲେ, ସମସ୍ତଙ୍କୁ ଭାବାବେଶରେ କହିଥିଲେ, ‘ତୁମ ସମସ୍ତଙ୍କର ଚୈତନ୍ୟ ହେଉ ।’ ଏତିକି କହି ସମସ୍ତଙ୍କ ବକ୍ଷସ୍ଥଳ ସ୍ପର୍ଶ କରି ସେମାନଙ୍କ ର ଚୈତନ୍ୟ ସମ୍ପାଦନ କରି ସଭିଙ୍କୁ ବନ୍ଧନରୁ ମୁକ୍ତ କରି ଦେଇଥିଲେ । ଏହି ଶକ୍ତିପୂର୍ଣ୍ଣ ସ୍ପର୍ଶର ଫଳସ୍ୱରୂପ ଭକ୍ତଗଣଙ୍କ ଅନ୍ତର ଭୂମାନନ୍ଦରେ ପ୍ରତିଷ୍ଠିତ ହୋଇଥିଲା ।

ଦିନେ ଭାବାବେଶରେ ଶ୍ରୀରାମକୃଷ୍ଣ କହିଲେ, ‘ଅବତାରଙ୍କୁ ଦେଖିବା ଯାହା, ଭଗବାନଙ୍କୁ ଦେଖିବା ମଧ୍ୟ ସେଇଆ ।’ ଅନ୍ୟ ସମୟରେ ଗଭୀର ସମାଧିରୁ ବ୍ୟୁତ୍ଥିତ ହୋଇ କହିଥିଲେ, ‘ଏହା ଭିତରେ (ଅର୍ଥାତ୍ ତାଙ୍କ ଶରୀରରେ) ଦୁହେଁ ଅଛନ୍ତି-ଜଣେ ସେ ସ୍ୱୟଂ, ଆଉ ଜଣେ ଭକ୍ତ ହୋଇ ରହିଛନ୍ତି, ଯାହାଙ୍କ ହାତ ଭାଙ୍ଗିଥିଲା ଦକ୍ଷିଣେଶ୍ୱରରେ ।’…ଦିନେ ଭାବାବେଶରେ ପଡ଼ିଯାଇ ଶ୍ରୀରାମକୃଷ୍ଣଙ୍କର ହାତ ଭାଙ୍ଗିଯାଇଥିଲା । ବହୁ ଦିନ ଧରି ପଟାବାନ୍ଧି ହାତକୁ ରଖିବାକୁ ପଡ଼ିଥିଲା । ସେହି ଘଟଣା ଉଲ୍ଲେଖ କରି ସେ ଏକଥା କହିଥିଲେ । ‘ତାଙ୍କରି ପୁଣି ରୋଗ ହୋଇଛି ।…ସେ ଅବତାର ହୋଇ ମଣିଷ ରୂପରେ ଭକ୍ତ ମେଳକୁ ଆସନ୍ତି । ଭକ୍ତଗଣ (ପାର୍ଷଦଗଣ) ତାଙ୍କ ସଙ୍ଗରେ ଆସି ପୁଣି ଚାଲିଯାଆନ୍ତି । ଆଜି ସେହି ଅବତାର ବରିଷ୍ଠ ଶ୍ରୀରାମକୃଷ୍ଣଙ୍କ ୧୮୬ ତମ ଜନ୍ମ ତିଥିରେ ତାଙ୍କ ଚରଣରେ ଶତକୋଟି ପ୍ରଣାମ।

Comments are closed.