ଗଜପତି: ବିଜେପି, କଂଗ୍ରେସ ଗଡ଼ ଭାଙ୍ଗିଲା ବିଜେଡି

ପାରଳାଖେମୁଣ୍ଡି: ପ୍ରାୟ ତିନି ବର୍ଷ ତଳେ ଯେତେବେଳେ ୨୦୧୯ ମସିହାରେ ସାଧାରଣ ନିର୍ବାଚନ ହୋଇଥିଲା ସେତେବେଳେ ଏମିତି କିଛି ରାଜନୈତିକ ପରିସ୍ଥିତି ଥିଲା ଯେ ଗଜପତି ଜିଲ୍ଲାର ଦୁଇଟି ଯାକ ବିଧାନସଭା ଆସନ ବିଜେପି ଓ କଂଗ୍ରେସ ହାତକୁ ଯାଇଥିଲା। ସ୍ଵଳ୍ପ ବ୍ୟବଧାନରେ ପରାଜିତ ହୋଇଥିଲେ ବିଜେଡି ପ୍ରାର୍ଥୀ। ହେଲେ ପରବର୍ତ୍ତୀ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦୁଇ ବର୍ଷ ସମୟ ଥିବା ବେଳେ ଜିଲ୍ଲାର ରାଜନୈତିକ ଦୃଶ୍ୟପଟ୍ଟ ପୁଣି କଡ଼ ଲେଉଟାଇବାର ଆଭାସ ମିଳିଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାତା ପୁଣି ବିଜେଡି ପ୍ରତି ଆସ୍ଥା ଓ ବିଶ୍ୱାସ ପ୍ରକଟ କରିଛନ୍ତି। ଶାସକ ଦଳ ଛାଡ଼ି ଅନ୍ୟ ପାର୍ଟିକୁ ଯାଇଥିବା ନେତାଙ୍କୁ ଶିକ୍ଷା ତ ଦେଇଛନ୍ତି, ବିରୋଧୀଙ୍କୁ ପରାଜୟର ମାର୍ଗ ଦେଖାଇ ଦେଇଛନ୍ତି। ଜିଲ୍ଲାର ୧୪ଟି ଜିଲ୍ଲା ପରିଷଦ ଆସନରୁ ବିଜେଡି ୧୧ଟି ଜିତିବା ସହ ନିଜ ଦମ୍ଭରେ ଜିଲ୍ଲା ପରିଷଦ ଗଢ଼ିଛି। ଏଥିସହ ବିରୋଧୀଙ୍କ ଅନେକ ଆସନ ସେମାନଙ୍କ ଠାରୁ ଛଡ଼ାଇ ଆଣି ନିଜର ଗତଥର ଆସନକୁ ଏଥର ଦୁଇଗୁଣାରୁ ଅଧିକ କରିଛି।

ଗଜପତି ଜିଲ୍ଲାରେ ବିଜେପି ଏବଂ କଂଗ୍ରେସର ଗଡ଼ ଦଖଲ କରି ବିଜୟର ଶଙ୍ଖ ଧ୍ଵନୀ ପ୍ରକମ୍ପିତ କରିଛି ଶାସକ ଦଳ। କେଉଁଠି ସେ ସମୟ ଥିଲା ଯେତେବେଳେ ଜିଲ୍ଲାରୁ ଜଣେ ବି ବିଜେଡି ବିଧାୟକ ନିର୍ବାଚିତ ହୋଇପାରି ନଥିଲେ, ଆଉ ଏବେ ସେ ସମୟ ଯେଉଁଠି ନିଷ୍କଣ୍ଟକ ଭାବେ ଜିଲ୍ଲା ପରିଷଦ ଗଠନ କରିଛି ବିଜେଡି। ଗତ ପଞ୍ଚାୟତ ନିର୍ବାଚନରେ ୬ଟି ଆସନ ଜିତିଥିବା କଂଗ୍ରେସ ଠାରୁ ୪ଟି ଏବଂ ୩ଟି ଜୋନ୍ ଜିତିଥିବା ବିଜେପି ଠାରୁ ୨ଟି ସିଟ୍ ଦଖଲ କରି ନିଜର ଗତ ପଞ୍ଚାୟତ ନିର୍ବାଚନ ତୁଳନାରେ ଏଥର ଆସନ ସଂଖ୍ୟାରେ ଯୋଡ଼ିଛି ବିଜେଡି। ଜିଲ୍ଲା ସାରା ଏବେ ଶଙ୍ଖନାଦ। ଯେଉଁ ୩ଟି ଜୋନ୍‌ରେ ବିଜେଡି ପ୍ରାର୍ଥୀ ପରାସ୍ତ ହୋଇଛନ୍ତି, ସେଠାରେ କଡ଼ା ଟକ୍କର ଦେଇ ସ୍ୱଳ୍ପ ବ୍ୟବଧାନ ସହ ଦ୍ବିତୀୟ ସ୍ଥାନରେ ହିଁ ରହିଛନ୍ତି। ଜିଲ୍ଲାରେ ପୁଣି ନିଜ ବଳ ଫେରି ପାଇଥିବା, ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହେଉଥିବା ଓ ବିରୋଧୀଙ୍କୁ ମାତ୍ ଦେବାକୁ ପୁରା ସକ୍ଷମ ଥିବା ପ୍ରମାଣିତ କରିଛି।

ତେବେ ଏହି ବିଜୟରେ ଯାହା ବିଜେଡିର ଆଗାମୀ ସମ୍ଭାବନାକୁ ଦର୍ଶାଉଛି ତାହା ହେଉଛି ବିଜେପି ବା କଂଗ୍ରେସର ଗଡ଼ କୁହାଯାଉଥିବା ଜୋନ୍‌ମାନଙ୍କରେ ବିଜେଡି ବିପୁଳ ବ୍ୟବଧାନରେ ବିଜୟ ଲାଭ କରିଛି। ଆହୁରି ମଧ୍ୟ ଜିଲ୍ଲାର ଉଭୟ ପାରଳାଖେମୁଣ୍ଡି ଏବଂ ମୋହନା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଭୋଟ ଦୁଇ ପ୍ରମୁଖ ବିପକ୍ଷ ଦଳର ମୋଟ ଭୋଟ ମତହାରକୁ ବି ପଛରେ ପକାଇ ଦେଇଛି। ମୋହନା ନିର୍ବାଚନମଣ୍ଡଳୀ ଅଧୀନ ୮ଟିରୁ ୬ଟି ଜୋନ୍‌ରେ ବିଜେଡି ବାଜିମାତ କରିଥିବା ବେଳେ ପାରଳାଖେମୁଣ୍ଡି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ୬ଟି ଜୋନ୍‌ରୁ ୫ଟିରେ ଉଡ଼ିଛି ବିଜେଡିର ବିଜୟ ପତାକା। ମୋହନା ବ୍ଲକ୍‌ର ସମସ୍ତ ୩ଟି, ରାୟଗଡ, ଗୋଷାଣି ଏବଂ କାଶୀନଗର ବ୍ଲକ୍‌ର ଦୁଇଟି ଲେଖାଏଁ ମୋଟ ୬ଟି ଯାକ ଆସନ ଦଖଲ କରିଛି ବିଜେଡି। ଏଠି ବିରୋଧୀଙ୍କୁ କୌଣସି ସଫଳତା ମିଳିନି। ଜିଲ୍ଲାର ୭ ବ୍ଲକ୍‌ରୁ ୪ଟି ବ୍ଲକର ଜିଲ୍ଲା ପରିଷଦ ଆସନକୁ ସମ୍ପୂର୍ଣ୍ଣ ରୂପେ ନିଜ କବ୍‌ଜାରେ ରଖିବା ସହ ଗୁମ୍ମା ଓ ଆର୍‌.ଉଦୟଗିରି ବ୍ଲକ୍‌ର ଗୋଟିଏ ଆସନରେ ମଧ୍ୟ ନିଜ ଉପସ୍ଥିତି ଦର୍ଶାଇଛି ବିଜେଡି। କେବଳ ନୂଆଗଡ଼ ବ୍ଲକ୍‌ର ଏକମାତ୍ର ଜିଲ୍ଲା ପରିଷଦ ଆସନରେ କଂଗ୍ରେସ ନିଜ ସ୍ଥିତି ବଜାୟ ରଖିବାରେ ସମର୍ଥ ହୋଇଛି।

୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡି ଯେଉଁ ୫ଟି ଆସନ (କାଶୀନଗର ଜୋନ୍ ୨, ଗୋଷାଣି ଜୋନ୍ ୬ ଓ ୭, ମୋହନା ଜୋନ୍‌ ୧୦, ରାୟଗଡ଼ ଜୋନ୍ ୧୩)ରେ ବିଜୟୀ ହୋଇଥିଲା ସେହି ସବୁ ଜୋନ୍‌ରେ ଏଥର ପୁନଃବିଜୟ ଲାଭ କରିଛି। ତେଣେ କଂଗ୍ରେସ ଗତଥର ଜିତିଥିବା କାଶୀନଗର ଜୋନ୍ ୧, ଗୁମ୍ମା ଜୋନ୍ ୪, ମୋହନା ଜୋନ୍ ୮ ଏବଂ ଆର୍.ଉଦୟଗିରି ଜୋନ୍‌ ୧୧ରେ ବିଜେଡି ବାଜିମାତ୍ କରିଛି। ସେହିପରି ବିଜେପି ଠାରୁ ମୋହନା ଜୋନ୍‌ ୯ ଓ ରାୟଗଡ଼ ଜୋନ୍ ୧୪ ଛଡ଼ାଇ ଆଣିଛି ଶାସକ ଦଳ। କଂଗ୍ରେସ ନିଜେ ଜିତିଥିବା ଆସନ ଗୁମ୍ମା ଜୋନ୍ ୩ ଓ ନୂଆଗଡ଼ ୫କୁ ନିଜ ପାଖରେ ରଖିବାକୁ କଷ୍ଟେମଷ୍ଟେ ସମର୍ଥ ହୋଇଥିବା ବେଳେ ବିଜେପି କେବଳ ଗୋଟିଏ ଆର୍.ଉଦୟଗିରି ଜୋନ୍‌ ୧୨ରେ ନିଜକୁ ସନ୍ତୁଷ୍ଟ ରଖିବାକୁ ବାଧ୍ୟ ହୋଇଛି। ଜୋନ୍- ୩, ୪ ଓ ୮ ସବୁବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟ ଆଣି ଦେଉଥିଲା ତ ଜୋନ୍– ୧୪ ବିଜେପି ଦୁର୍ଗ ଭାବେ ପରିଗଣିତ ହେଉଥିଲା। ଅଥଚ ଏବେ ସେଠି ବିଜେଡିର ପ୍ରବଳ ଶଙ୍ଖ ଧ୍ଵନୀରେ ହାତ ଥରି ଯାଇଛି ଓ ପଦ୍ମ ବି ମଉଳିଯାଇଛି।

ଉଲ୍ଲେଖନୀୟ କଥା ଯେ ପାରଳାଖେମୁଣ୍ଡିରୁ ବିଜେପି ବିଧାୟକ ଥିବା ବେଳେ ମୋହନାରୁ ଅଛନ୍ତି କଂଗ୍ରେସ ବିଧାୟକ। ଅଥଚ ଦୁହେଁ ନିଜ ଦଳର ଆସନ ବୃଦ୍ଧି କରିବେ କଣ, ଗତଥର ଜିତିଥିବା ଜୋନ୍‌ଗୁଡ଼ିକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଅକ୍ତିଆର କରିବାରେ ମଧ୍ୟ ଫେଲ୍ ମାରିଛନ୍ତି। ଭୋଟ ତ କମିଛି, ନିଜ ପାଖରେ ଥିବା ଜିଲ୍ଲା ପରିଷଦ ଜୋନ୍‌ ମଧ୍ୟ ହ୍ରାସ ପାଇଛି। ଏଥିସହ ଜିଲ୍ଲାରେ କିଭଳି ବିଜେଡିର ଶକ୍ତିବୃଦ୍ଧି ଘଟିଛି ସହଜରେ ଅନୁମେୟ।

Comments are closed.