ଝିଆରୀର ଅପହରଣ ପ୍ରତିରୋଧ କରିବାରୁ ଦାଦାଙ୍କୁ ପିଟି ପିଟି ହତ୍ୟା

କେନ୍ଦ୍ରାପଡ଼ା- ଝିଆରୀକୁ ଅପହରଣ ବେଳେ ଅଟକାଇବାରୁ ଦାଦାକୁ ହତ୍ୟା । ଏଭଳି ଚାଂଚଲ୍ୟକର ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଜୁଣାପଙ୍ଗରାରେ ଘଟିଛି । ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ୪୫ ବର୍ଷ ବୟସ୍କ ବିଚିତ୍ରାନନ୍ଦ ବିଶ୍ୱାଳ। ତାଙ୍କ ଘର ରାଜନଗର ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗାଁରେ ବୋଲି ଜଣାପଡ଼ିଛି ।

ଗତକାଲି ରାତିରେ ଜୁଣାପଙ୍ଗରା ଗାଁର ଜଣେ ଯୁବକ ଓ ତାର ତିନି ସହଯୋଗୀ ୪ଟି ବାଇକ୍‌ରେ ଆସି ବିଚିତ୍ରାନନ୍ଦଙ୍କ ଝିଆରୀଙ୍କୁ ଅପହରଣ କରି ନେଉଥିଲେ। ବିଚିତ୍ରାନନ୍ଦ ଖବର ପାଇ ସେମାନଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। ଜୁଣାପଙ୍ଗରା ଛକରେ ସଂପୃକ୍ତ ଯୁବକ ଓ ତାଙ୍କ ସହଯୋଗୀ ବିଚିତ୍ରାନନ୍ଦଙ୍କୁ ଲୁହା ରଡ୍‌ରେ ପିଟି ଲହୁ ଲୁହାଣ କରି ଦେଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ବିଚିତ୍ରାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ବିଚିତ୍ରାନନ୍ଦଙ୍କ ଝିଆରୀ ଓ ଅନ୍ୟ ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Comments are closed.