ନାରୀଶକ୍ତି ସମ୍ମାନ ବିଜୟିନୀ ଶ୍ରୁତି ମହାପାତ୍ର : ପ୍ରତିକୂଳ ପରିସ୍ଥିତିରେ ସଫଳ ମହିଳା

ନୂଆଦିଲ୍ଲୀ- ଅନ୍ତର୍ଜାତୀୟ ମହିଳା ଦିବସରେ ୨୯ ଜଣଙ୍କୁ ନାରୀଶକ୍ତି ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ‌। ନାରୀ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନାରୀ ଶକ୍ତି ସମ୍ମାନ ପ୍ରଦାନ କରାଯାଇଛି ।

ଓଡିଶାର ସମାଜସେବୀ ଶ୍ରୁତି ମହାପାତ୍ର ମଧ୍ୟ ନାରୀଶକ୍ତି ସମ୍ମାନ ପାଇଛନ୍ତି ।

ପାଠ ପଢାରେ ସବୁବେଳେ ଟପ୍ପର ରହୁଥିବା ଡକ୍ଟର ଶ୍ରୁତି ମହାପାତ୍ର ଅନେକ ପୁରସ୍କାର ନିଜ ନାଁରେ କରିଛନ୍ତି । ଡେଭଲପମେଂଟାଲ‌ ବାୟୋଲୋଜିରେ ପିଏଚଡି କରିଥିବା ଶ୍ରୁତି ଏମଏସସିରେ ସ୍ୱର୍ଣ୍ଣପଦକ ବିଜେତା ମଧ୍ୟ । ୧୯୭୮ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ କୃତି ଛାତ୍ରୀ ପୁରସ୍କାର ପାଇଛନ୍ତି । ୧୯୮୦,୧୯୮୧ ଏବଂ ୧୯୮୨ ମସିହାରେ ଲଗାତର ଭାବରେ ସେ ରାଷ୍ଟ୍ରୀୟ ବିତର୍କ ଚାମ୍ପିୟନ‌ ହୋଇଥିଲେ । ୧୯୮୪ ମସିହାରେ ମାତ୍ର ୨୪ବର୍ଷ ବୟସରେ ସେ ସିଭିଲ‌ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ।

ତେବେ, ଚାକିରୀରେ ଯୋଗ ଦେବାର ଅଳ୍ପ ଦିନ ପୂର୍ବରୁୂ ସେ ଏକ ସଡକ ଦୁର୍ଘଟଣାରେ ଶିକାର ହୋଇଥିଲେ । ଦୁର୍ଘଟଣାରେ ତାଙ୍କର ଦୁଇଟି ଯାକ ଗୋଡ ଅଚଳ ହୋଇଯାଇଥିଲା । ଯାହା ଫଳରେ ତାଙ୍କୁ ଚାକିରୀରେ ଯୋଗଦେବା ପାଇଁ ସରକାର ମନା କରିଥିଲେ । ତେବେ ଶ୍ରୁତି ଏଥିରେ ଭାଙ୍ଗି ନପଡି ଖୁବ‌ ସକାରତ୍ମକ ସହ ଜୀବନକୁ ଏକ ନୂଆ ଦିଗ ଦେଇଥିଲେ । ସେ ୧୯୮୭ରୁ ୧୯୯୬ ଯାଏଁ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ବିଦ୍ୟାର୍ଥୀମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଯେଉଁଥିରେ ପ୍ରାୟ ୩୦୦ ଜଣ ବିଦ୍ୟାର୍ଥୀ ସଫଳ ହେବା ସହ ବିଭିନ୍ନ ସରକାରୀ ସଂସ୍ଥା ଓ ଅନୁଷ୍ଠାନରେ ନିଜର ଚାକିରୀ ଜୀବନ ଆରମ୍ଭ କରିଛନ୍ତି ।

ଶ୍ରୁତି ୨୦୦୧ରେ ‘ସ୍ୱାଭିମାନ’ ନାମକ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ଏହି ଅନୁଷ୍ଠାନ ରାଜ୍ୟ ଓ ରାଜ୍ୟ ବାହାରର ଦିବ୍ୟାଙ୍ଗମାନଙ୍କ ପାଇଁ ଅନବରତ ଭାବେ କାର୍ଯ୍ୟ କରିଆସୁଛି । ଏହା ସହ ସେ ୧୫ ବର୍ଷ ହେବ ଛୋଟ ଛୋଟ ଦିବ୍ୟାଙ୍ଗ ପିଲାମାନଙ୍କ ପାଇଁ ଅଞ୍ଜଳୀ ନାମ ନାମକ ଏକ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛନ୍ତି ।

Comments are closed.