ଗଞ୍ଜାମ : ୨୨ରୁ ବିଜେଡିକୁ ୨୦ ବ୍ଲକ୍ ଅଧ୍ୟକ୍ଷ ପଦ, ଛତ୍ରପୁରରେ ସ୍ଥଗିତ ରହିଛି ନିର୍ବାଚନ

ଛତ୍ରପୁର: ୨୦୧୭ରେ ବିଜେଡି ଜିତିଥିଲା ଗଞ୍ଜାମ ଜିଲ୍ଲାର ୨୨ରୁ ୨୦ଟି ବ୍ଲକ୍‌। ଏ ସବୁ ସ୍ଥାନରେ ଅଧ୍ୟକ୍ଷ ପଦରେ ବିଜେତା ସାଜିଥିଲେ ବିଜେଡି ସମର୍ଥିତ ପ୍ରାର୍ଥୀ। ଆଉ ୨୦୨୨ରେ ସେହି ସଫଳତାର ପୁନରାବୃତ୍ତି ଘଟିଛି। ବରଂ ଅଧିକ ସଫଳତା ସାଉଁଟିଛି ବିଜେଡି। ୧୧ଟି ବ୍ଲକ୍‌ରେ ଅପ୍ରତିଦ୍ଵନ୍ଦ୍ବୀ ଥାଇ ଅନ୍ୟ ୯ଟି ବ୍ଲକ୍‌ରେ ବିପକ୍ଷ ବିଜେପି, କଂଗ୍ରେସ ଅଥବା ନିର୍ଦ୍ଦଳୀୟ ପ୍ରାର୍ଥୀଙ୍କୁ ପଛରେ ପକାଇ ପୁଣି ଥରେ ମୋଟ ୨୦ଟି ବ୍ଲକ୍‌ରେ ଅଧ୍ୟକ୍ଷ ପଦ କରାୟତ୍ତ କରିଛି ଶାସକ ଦଳ। କେବଳ ଗୋଟିଏ ବ୍ଲକ୍ ହାତଛଡ଼ା ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ହେବାକୁ ଥିବା ଛତ୍ରପୁର ବ୍ଲକର ଅଧ୍ୟକ୍ଷ ପଦରେ ମଧ୍ୟ ବିଜେଡି ପ୍ରାର୍ଥୀ ହିଁ ଆସୀନ ହେବା ନିଶ୍ଚିତ। ଏଣୁ ବିଜେଡି ନିଜର ମୋଟ ବ୍ଲକ୍ ଅଧ୍ୟକ୍ଷ ଆସନକୁ ୨୧କୁ ବୃଦ୍ଧି କରିବା ପକ୍କା। ଅର୍ଥାତ୍ ପୂର୍ବ ଥର ଠାରୁ ମଧ୍ୟ ଏଥର ପଞ୍ଚାୟତ ନିର୍ବାଚନରେ ଅଧିକ ସଫଳତା ହାସଲ କରିଛି ବିଜେଡି।

ଜିଲ୍ଲାର ୨୨ରୁ ୨୧ଟି ବ୍ଲକ୍‌ରେ ଅଧ୍ୟକ୍ଷ ନିର୍ବାଚନ ହୋଇଯାଇଛି। ସମିତି ସଭ୍ୟ ସଭ୍ୟାମାନେ କୋଭିଡ୍ ସଂକ୍ରମଣ ଚିହ୍ନଟ ହେବା କାରଣରୁ ଛତ୍ରପୁରରେ ନିର୍ବାଚନ ସ୍ଥଗିତ ରଖିଛି ପ୍ରଶାସନ। ହେଲେ ସେଠାରେ ଅଧିକାଂଶ ସମିତି ସଭ୍ୟସଭ୍ୟା ବିଜେଡି ସମର୍ଥିତ ଥିବା ହେତୁ ଯେବେବି ନିର୍ବାଚନ ହେବ ବିଜେଡି ସମର୍ଥିତ ପ୍ରାର୍ଥୀ ହିଁ ଅଧ୍ୟକ୍ଷା ହେବା ଥୟ। ଅପରପକ୍ଷରେ ବିଭିନ୍ନ କାରଣରୁ ଏଥର କେତୋଟି ବ୍ଲକ୍ ଉପରେ ନିଜର ଅଧିକ କେନ୍ଦ୍ରୀଭୂତ ଥିଲା। ଯଦିଓ ପୂର୍ବରୁ ଜିଲ୍ଲାର ୬୯ରୁ ୬୭ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜୟ ଲାଭ ସହ ଜିଲ୍ଲାର ବ୍ଲକ୍ ଶାସନକୁ ମଧ୍ୟ ବିଜେଡି ହିଁ କରାୟତ୍ତ କରିବ ତାହା ସ୍ପଷ୍ଟ ଥିଲା, ତଥାପି ବିଧିବଦ୍ଧ ପ୍ରକ୍ରିୟା ସମ୍ପନ୍ନ କରିବାର ତ ଥିଲା। ଜିଲ୍ଲାର ଦିଗପହଣ୍ଡି, ଚିକିଟି, ରଙ୍ଗେଇଲୁଣ୍ଡା, ହିଞ୍ଜିଳିକାଟୁ, କୁକୁଡ଼ାଖଣ୍ଡି, ଖଲ୍ଲିକୋଟ, ବେଗୁନିଆପଡ଼ା, କବିସୂର୍ଯ୍ୟନଗର, ବେଲଗୁଣ୍ଠା, ଶେରଗଡ଼ ଓ ସୋରଡ଼ା ବ୍ଲକ୍‌ରେ ବିଜେଡି ସମର୍ଥିତ ବ୍ଲକ୍ ଅଧ୍ୟକ୍ଷ ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚିତ ହୋଇଥିଲେ। ରଙ୍ଗେଇଲୁଣ୍ଡା ବ୍ଲକ୍‌ରେ ସି.ଏଚ୍.ଉଷାରାଣୀ, କୁକୁଡ଼ାଖଣ୍ଡି ବ୍ଲକ୍‌ରେ କାମାକ୍ଷା ପ୍ରସାଦ ପାତ୍ର, ସୋରଡ଼ା ବ୍ଲକ୍‌ରେ ସାଇବାଣୀ ମଲ୍ଲିକ ପ୍ରମୁଖ ଦ୍ବିତୀୟ ବା ତୃତୀୟ ଥର ପାଇଁ ବ୍ଲକ୍ ଅଧ୍ୟକ୍ଷ ପଦରେ ଆସୀନ ହୋଇପାରିଥିଲେ। ସାନଖେମୁଣ୍ଡି ଓ ଧରାକୋଟ ବ୍ଲକ୍‌ରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ, ଗଞ୍ଜାମ, ପୋଲସରା, ଭଞ୍ଜନଗର, ବୁଗୁଡ଼ା ଓ ଜଗନ୍ନାଥପ୍ରସାଦ ବ୍ଲକ୍‌ରେ ବିଜେପି ସମର୍ଥିତ ପ୍ରାର୍ଥୀ ତଥା ପୁରୁଷୋତ୍ତମପୁର ଓ ଆସିକା ବ୍ଲକ୍‌ରେ ନିର୍ଦ୍ଦଳୀୟ ବା ସ୍ଵାଧୀନ ପ୍ରାର୍ଥୀଙ୍କୁ ପରାଜୟର ବାଟ ଦେଖାଇ ଦେଇଥିଲେ ବିଜେଡି ସମର୍ଥିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରାର୍ଥୀ। ଫଳରେ ଛତ୍ରପୁର ଓ ପାତ୍ରପୁର ବ୍ଲକ୍‌କୁ ବାଦ୍ ଦେଇ ମଧ୍ୟ ଅନ୍ତତଃ ଗତଥର ଭଳି ୨୦ଟି ବ୍ଲକ୍‌ ବିଜେଡି ଅକ୍ତିଆର କରିପାରିଛି। ପାତ୍ରପୁର ବ୍ଲକ୍‌ରେ ବିଜେପି ସମର୍ଥିତ ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ହେବାକୁ ଥିବା ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନରେ ମଧ୍ୟ ବିଜୟ ହାସଲ କରି ବିଜେଡି ନିଜ ସଂଖ୍ୟାକୁ ୨୧କୁ ବୃଦ୍ଧି କରିବାକୁ ତପ୍ତର ରହିଛି।

ଏଥର ଫୋକସ୍‌ରେ ଥିବା କେତୋଟି ବ୍ଳକ୍‌ ମଧ୍ୟରୁ ରଙ୍ଗେଇଲୁଣ୍ଡା ଥିଲା ଅନ୍ୟତମ। ଜନସାଧାରଣଙ୍କ ଠାରୁ କୋଶ ଦୂରରେ ଥିବା ବିଧାୟକ ଯେତେବେଳେ ଦଳରୁ ବିଦା ହୋଇଛନ୍ତି ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଓଏସ୍‌ଡି ଡ. ଗୋପବନ୍ଧୁ ଦାଶଙ୍କ ନେତୃତ୍ବରେ ବିଜେଡି ଏହି ବ୍ଲକ୍ ସମେତ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଦୁଇ ଦଶନ୍ଧି ତଳର ସଫଳତା ଦୋହରାଇଛି। ବ୍ଳକ୍‌ର ୩ଟି ଯାକ ଜିଲ୍ଲା ପରିଷଦ ଜୋନ୍ ସମେତ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୪ଟି ଜୋନ୍ କବ୍‌ଜା କରିଛି। ଏହା ଡ. ଦାଶଙ୍କ ରଣନୀତି ଥିଲା ଯାହା ୨୦ ବର୍ଷ ପରେ ଏକକାଳୀନ ୪ଟି ଯାକ ଜୋନ୍‌କୁ ବିଜେଡି ଝୁଲାକୁ ଆଣି ପାରିଥିଲା। କେବଳ ଏତିକି ନୁହେଁ, ଅଧିକାଂଶ ପଞ୍ଚାୟତରୁ ବିଜେତା ହୋଇଥିଲେ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ। ଆଉ ବ୍ଲକରେ ୩ଟି ଯାକ ଜୋନ୍ ହାତେଇବା ପରେ ବିରୋଧୀ ଥିଲା ଉପାୟଶୂନ୍ୟ, ଅସ୍ତ୍ରହୀନ। ଫଳରେ ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନରେ ମୁଖ୍ୟ ବିରୋଧୀ କୁହାଯାଉଥିବା ବିଜେପି ପ୍ରାର୍ଥୀ ଠିଆ କରାଇବାକୁ ମଧ୍ୟ ଅକ୍ଷମ ହୋଇ ପଡ଼ିଥିଲା। ଅପ୍ରତିଦ୍ଵନ୍ଦ୍ବୀ ଭାବେ ଜିତି ସି.ଏଚ୍.ଉଷାରାଣୀ ପୁଣି ବ୍ଲକ୍ ଅଧ୍ୟକ୍ଷା ହୋଇପାରିଛନ୍ତି। ଆଉ ପ୍ରଥମ ଥର ନିର୍ଦ୍ବନ୍ଦ୍ବରେ ନିର୍ଵାଚିତ ହୋଇ ରେକର୍ଡ ମଧ୍ୟ କରିଛନ୍ତି।

ଗଞ୍ଜାମ ବ୍ଳକ୍ ଓ ବେଲଗୁଣ୍ଠା ବ୍ଲକ୍ ଯାହା ଗତଥର ବିଜେଡି ଠାରୁ ହାତଛଡ଼ା ହୋଇଥିଲା। ଏଥର ଦୁଇଟି ଯାକ ବ୍ଲକ୍‌ରେ ବାଜିମାତ୍ କରିଛି ଶାସକ ଦଳ। ବେଲଗୁଣ୍ଠାରେ ପ୍ରଶାନ୍ତ ନାୟକ ନିର୍ଦ୍ଦନ୍ଦ୍ବରେ ଜିତିଥିବା ବେଳେ ଗଞ୍ଜାମ ବ୍ଳକ୍‌ରେ ବିଜେପି ସମର୍ଥିତ ପ୍ରାର୍ଥିନୀ (ଗତଥର ବିଜେପି ବ୍ଳକ୍‌ ଅଧ୍ୟକ୍ଷଙ୍କ ପତ୍ନୀ ଏଥର ମଇଦାନରେ ଥିଲେ)ଙ୍କୁ ଦୁଇ ଗୁଣା ଭୋଟରେ ପଛରେ ପକାଇ ଦେଇଥିଲେ ବିଜେଡି ସମର୍ଥିତ ବ୍ଳକ୍ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ। ଜିଲ୍ଲାରେ ଏକମାତ୍ର କଂଗ୍ରେସ ବିଧାୟକଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧରାକୋଟ ଓ ସାନଖେମୁଣ୍ଡି ବ୍ଲକ୍‌ରେ ମଧ୍ୟ ବିଜେଡି ପ୍ରାର୍ଥୀଗଣ ହାତ ଦଳ ସମର୍ଥିତ ଆଶାୟୀଙ୍କୁ ଚିତପଟାଙ୍ଗ କରି ଦେଇଥିଲେ ଧରାକୋଟରେ ରାଜପରିବାରର ଦାୟାଦ ଭାବେ ଧାରା ରକ୍ଷା କରି ରାଜା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ବ୍ଳକ୍‌ ଅଧ୍ୟକ୍ଷା ବନିଛନ୍ତି। ବିଜେଡିର ଛତ୍ରଛାୟା ତଳେ ଆରମ୍ଭ ହୋଇଛି ତାଙ୍କ ରାଜନୈତିକ ଯାତ୍ରା।

କେବଳ ପାତ୍ରପୁର ବ୍ଳକ୍‌ରେ ବିଜେଡି ପ୍ରାର୍ଥନୀଙ୍କୁ ପରାଜିତ କରି ବିଜେପି ବ୍ଲକ୍ ଅଧ୍ୟକ୍ଷା ପଦ ହାସଲ କରିବାକୁ ସମର୍ଥ ହୋଇଛି। ଅନ୍ୟ ୫ଟି ବ୍ଳକ୍‌ରେ ବିଜେପି କେବଳ ନାମକୁ ମାତ୍ର ପ୍ରତିଦ୍ବନ୍ଦ୍ବିତାରେ ନିଜ ଉପସ୍ଥିତି ଜାହିର କରିବା ସହ ଫ୍ଲପ୍ ସୋ’ ସାଙ୍ଗକୁ ମୁକାବିଲାରୁ ବିଦାୟ ନେଇଛି। ବିଜେଡି ଉଭୟ ଗଞ୍ଜାମ ଓ ବେଲଗୁଣ୍ଠାରେ ପଦ୍ମ ଦଳକୁ ପରାଜୟର ବାଟ ଦେଖାଇ ନିଜ ଦବଦବା ଜାହିର କରିପାରିଛି। ଉଭୟ ବ୍ଲକକୁ ବିଜେଡି ପୁଣି ତାର ପଟକୁ ଆଣିବାରେ ସଫଳ ହୋଇଛି। କେବଳ ସେତିକି ନୁହେଁ ବିରୋଧୀ ଦଳଗୁଡିକ ଯେଭଳି ଅସନ୍ତୁଷ୍ଟ ବିଜେଡି ବିଦ୍ରୋହ କରିବାର ଅପପ୍ରଚାର ଚଳାଇ ଆସୁଥିଲେ, ତାହାର ବିଶେଷ ପ୍ରଭାବ ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନରେ ଦେଖିବାକୁ ମିଳିନଥିଲା ଗଞ୍ଜାମ ଜିଲ୍ଲାର ୨୨ଟି ପଞ୍ଚାୟତ ସମିତିର ୫୦୩ ସମିତି ସଭ୍ୟ ଏହି ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇଥିଲେ। ହାତଗଣତି ଅନ୍ୟ ଦଳ ବା ସ୍ବାଧୀନ ପ୍ରାର୍ଥୀଙ୍କୁ ବାଦ୍ ଦେଲେ ସିଂହଭାଗ ଥିଲେ ବିଜେଡିର। ଏଣୁ ଦଳୀୟ ସଭାପତି ତଥା ରାଜ୍ୟର ସର୍ବମାନ୍ୟ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୃଙ୍ଖଳା, ଦଳ ପ୍ରତି ନିଷ୍ଠା ଓ ସୁଶାସନକୁ ଆଧାର କରି ସହଜ ବିଜୟକୁ ପ୍ରମାଣିତ କରିଛି ଜିଲ୍ଲାର ଏଯାବତ୍ ବିଜେଡି ସର୍ବାଧିକ ଗ୍ରହଣୀୟ ଦଳ ହୋଇ ଆସିଛି।

Comments are closed.