ପଦାରେ ପଡ଼ିଲା ଓଡ଼ିଆ ଭାଷା ପ୍ରତି ସିବିଏସଇର ଚରମ ଅବହେଳା

ଭୁବନେଶ୍ୱର : ଓଡ଼ିଆ ଭାଷା ପ୍ରତି ଚରମ ଅବହେଳା ଅଭିଯୋଗ । ଖୋଦ୍‌ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ-ସିବିଏସ୍‌ଇ ବିରୋଧରେ ଆସିଛି ଏଭଳି ଅଭିଯୋଗ ।

ଅଭିଯୋଗ ହୋଇଛି ଯେ ଦଶମ ଶ୍ରେଣୀ ଟର୍ମ-୧ ପରୀକ୍ଷାର ଓଡ଼ିଆ ବିଷୟ ପ୍ରଶ୍ନପତ୍ରରେ ତ୍ରୁଟି ରହିଥିଲା। ମଲଟିପଲ୍‌ ଚଏସ୍‌ ବିଶିଷ୍ଟ ପ୍ରଶ୍ନଗୁଡ଼ିକରେ ଯେଉଁ ସବୁ ଉତ୍ତର ଉଲ୍ଲେଖ ରହିଥିଲା , ସେଥିରୁ ୨୦ଟି ଭୁଲ୍‌ ଥିଲା।ପରୀକ୍ଷାର୍ଥୀ ଦ୍ବନ୍ଦ୍ବରେ ପଡ଼ିଥିଲେ ।

ଏମିତି କିଛି ପ୍ରଶ୍ନ ରହିଥିଲା ଯାହାକୁ ପିଲାମା‌ନେ ବୁଝି ପାରି ନ ଥିଲେ। ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁଙ୍କ ପରି ଓଡ଼ିଶାର ମହାନ ବିପ୍ଳବୀଙ୍କ ବିଷୟରେ ଭୁଲ୍‌ ତଥ୍ୟ ଉପସ୍ଥାପନା କରାଯାଇଥିଲା। ଛାତ୍ରଛାତ୍ରୀ ବହୁ କଷ୍ଟରେ ପ୍ରଶ୍ନଗୁଡ଼ିକୁ ବୁଝି ସଠିକ୍‌ ଉତ୍ତର ଲେଖିଥିଲେ ମଧ୍ୟ ସେମାନଙ୍କୁ ଉଚିତ୍‌ ମାର୍କ ମିଳିନାହିଁ। ଭୁଲ୍‌ ପ୍ରଶ୍ନପତ୍ର ସାଙ୍ଗକୁ ଠିକ୍‌ ମୂଲ୍ୟାୟନ ହୋଇ ନ ଥିବାରୁ ଛାତ୍ରଛାତ୍ରୀଙ୍କର ମାର୍କ କମିଯାଇଥିବା ଅଭିଭାବକମାନେ ଅଭିଯୋଗ ଆଣିଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ପ୍ରଶ୍ନପତ୍ର ଭୁଲ୍‌ ହୋଇଥିବା ନେଇ ଅଭିଭାବକମାନେ ସିବିଏସ୍‌ଇ ଆଞ୍ଚଳିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨୦ଟି ପ୍ରଶ୍ନର ଭୁଲ୍‌ ଉତ୍ତର ଲେଖାଥିବା ସେମାନେ ଜଣାଇଥିଲେ। ଏନେଇ ବିଚାର କରାଯିବ ବୋଲି ଆଞ୍ଚଳିକ ଅଧିକାରୀ ଅଭିଭାବକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲା ନାହିଁ। ସିବିଏସ୍‌ଇ ମୁଖ୍ୟାଳୟ କିମ୍ବା ଆଞ୍ଚଳିକ ଅଧିକାରୀ କେହି ବି ପିଲାଙ୍କ ସମସ୍ୟା ପ୍ରତି କୌଣସି ଦୃଷ୍ଟି ଦେଲେନି। ଏଥିପାଇଁ ଛାତ୍ରଛାତ୍ରୀମାନେ ଏବେ ହଇରାଣ ହରକତ ହେଉଛନ୍ତି ।

ସ୍କୁଲ କର୍ତୃପକ୍ଷ ସିବିଏସ୍‌ଇ ଆଞ୍ଚଳିକ ଅଧିକାରୀଙ୍କୁ ଯୋଗ‌ାଯୋଗ କରୁଥିଲେ ମଧ୍ୟ ସେମାନେ ଶୁଣୁନାହାନ୍ତି। ଆହୁରି ଅଭିଯୋଗ ହୋଇଛି ଯେ ମୂଲ୍ୟାୟନ ଲାଗି ମୂଲ୍ୟାୟନକାରୀମାନଙ୍କୁ ଯେଉଁ ଉତ୍ତର ସିଟ୍‌ ଦିଆଯାଇଥିଲା ତାହା ବି ଭୁଲ୍‌ ଥିଲା।

ଜଣେ ଓଡ଼ିଆ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦାୟିତ୍ଵରେ ଥିବା ବେଳେ ଓଡ଼ିଆ ଭାଷା ପ୍ରତି ବୈମାତୃକ ମନୋଭାବ ଲୋକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି ।

Comments are closed.