ସନ୍ଧ୍ୟା ଆରତୀର ପାବନ ବେଳା। ଶ୍ରୀ ଜଗନ୍ନାଥ ମନ୍ଦିର ଘଣ୍ଟିଘଣ୍ଟା, ମାଦଳ ବାଦ୍ୟ ସାଙ୍ଗକୁ ଶଙ୍ଖନାଦରେ କମ୍ପି ଉଠୁଥିଲା। ଶ୍ରୀଚୈତନ୍ୟ ମହାପ୍ରଭୁ ଶ୍ରୀକ୍ଷେତ୍ରରେ ଅବସ୍ଥାନ କାଳରେ ପ୍ରତିଦିନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ନିମିତ୍ତ ଶ୍ରୀମନ୍ଦିର ଯାଉଥିଲେ। ଶ୍ରୀମନ୍ଦିରର ଗରୁଡସ୍ତମ୍ଭ ପଶ୍ଚାତ ଭାଗରେ ଦଣ୍ଡାୟମାନ ହୋଇ ନିର୍ନିମେଶ ନୟନରେ ଶ୍ରୀଜୀଉଙ୍କୁ ଦର୍ଶନ କରୁଥିଲେ। ଦିନକର ଘଟଣା ପ୍ରତ୍ୟେକ ଦିନ ଭଳି ସେଦିନ ମଧ୍ୟ ଶ୍ରୀଚୈତନ୍ୟ ମହାପ୍ରଭୁ ଗରୁଡସ୍ତମ୍ଭ ନିକଟରେ ଦଣ୍ଡାୟମାନ ହୋଇ ଭଗବାନ ଜଗନ୍ନାଥଙ୍କ ଦର୍ଶନ କରୁଥାନ୍ତି। ଭାବାବେଗରେ ମହାପ୍ରଭୁଙ୍କ ଦର୍ଶନ କରିବା ବେଳେ ତାଙ୍କ ଆଖିରୁ ଅଶ୍ରୁପାତ ହେଉଥାଉ।ସେ ସମୟରେ ଶ୍ରୀମନ ମହାପ୍ରଭୁ ଦେହାତିତ ଅବସ୍ଥାରେ ଥାନ୍ତି। ଶ୍ରୀଜଗନ୍ନାଥ ମନ୍ଦିରରେ ଭଗବାନଙ୍କର ଦର୍ଶନାର୍ଥୀମାନଙ୍କର ଭିଡ ଲାଗିଥାଏ। ଏହି ସମୟରେ ଜଣେ ବଙ୍ଗୀୟ ମହିଳା ଜଗନ୍ନାଥଙ୍କ ଦର୍ଶନ କରିବାପାଇଁ ଉଦ୍ୟମ କରୁଥାନ୍ତି, ମାତ୍ର ସଫଳ ହୋଇପାରୁନଥାନ୍ତି। ସେ କିଛି ନ ଭାବି ଗରୁଡସ୍ତମ୍ଭ ଉପରେ ଚଢିଗଲେ ଏବଂ ମହାପ୍ରଭୁଙ୍କ କାନ୍ଧ ଉପରେ ପାଦ ରଖି ଜଗନ୍ନାଥ ମହାପ୍ରଭୁଙ୍କ ଆରତୀ ଦର୍ଶନ କଲେ। ଏହିଘଟଣାଟି ଏହି ସମୟରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଅନେକ ଭକ୍ତଙ୍କ ସହ ନିଜର ସେବକ ଶ୍ରୀଗୋବିନ୍ଦ ଦାସଙ୍କ ନଜରରେ ପଡିଲା । ସେ ଉକ୍ତ ବଙ୍ଗୀୟ ମହିଳାଙ୍କୁ ତାଙ୍କ ଅଜ୍ଞାନତା ପାଇଁ ସୂଚିତ କରାଇଲେ। ସେତେବେଳେ ମହାପ୍ରଭୁ ମଧ୍ୟ ପ୍ରକୃତିସ୍ଥ ହୋଇସାରିଥିଲେ। ଶ୍ରୀଚୈତନ୍ୟ ମହାପ୍ରଭୁ ଗୋବିନ୍ଦ ଦାସଙ୍କୁ ରୋକିବାକୁ ଯାଇ କହିଲେ, ‘‘ଏହି ଭଦ୍ରମହିଳାଙ୍କୁ କିଛି କୁହନାହିଁ କି ତାଙ୍କୁ ବାରଣ ମଧ୍ୟ କରନାହିଁ। ତାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ସୁଯୋଗ ଦିଅ।
ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଏହିକଥା ଶୁଣିବା ମାତ୍ରେ ବଙ୍ଗୀୟ ମହିଳା ଜଣକ ନିଜର ଭୁଲ୍ ବୁଝିପାରିଲେ ଏବଂ ତତ୍କ୍ଷଣାତ୍ ତଳକୁ ଓହ୍ଲାଇ ଆସିଲେ। ସେ ଚୈତନ୍ୟ ମହାପ୍ରଭୁଙ୍କ ଚରଣତଳେ ସାଷ୍ଟାଙ୍ଗ ହୋଇ ପଡିଗଲେ । ନିଜ ଅପରାଧପାଇଁ କ୍ଷମା ମଧ୍ୟ କ୍ଷମା ମାଗିଲେ।
ଶ୍ରୀଚୈତନ୍ୟ ମହାପ୍ରଭୁ ଉକ୍ତ ମହିଳାଙ୍କୁ ସାଦରରେ ଉଠାଇଲେ ଏବଂ କହିଲେ, ‘‘ପ୍ରଭୁ ତୁମକୁ ଯେଉଁ ଭଳି ଦର୍ଶନ ଦେଇଛନ୍ତି, ଯଦି ମତେ ସେଭଳି କୃପା କରନ୍ତେ, ତେବେ ମୁଁ ବି ଧନ୍ୟ ହୋଇଯାଆନ୍ତି। ତୁମେ ଭଗବାନଙ୍କ ଦର୍ଶନପାଇଁ ଯେଉଁଭଳିବ୍ୟାକୁଳ ଥିଲ, ତାହା ପ୍ରକୃତରେ ପ୍ରଶଂସନୀୟ। ତୁମେ ଧନ୍ୟ । ମୁଁ ତୁମ ଚରଣର ବନ୍ଦନା କରିବାକୁ ଚାହେଁ, ଯାହାଦ୍ୱାରା ମୋତେ ମଧ୍ୟ ଏଭଳି ଭକ୍ତିଭାବ ତଥା ପ୍ରଭୁ ଦର୍ଶନର ସୁଯୋଗ ପ୍ରାପ୍ତ ହେଉ।
ଏହା କରିବାପରେ ସତକୁ ସତ ଶ୍ରୀଚୈତନ୍ୟ ମହାପ୍ରଭୁ ଉକ୍ତ ମହିଳାଙ୍କର ଚରଣ ବନ୍ଦନା କରିଲେ। ଏହା ଥିଲା ମହାପ୍ରଭୁଙ୍କ ଆଦର୍ଶ, ମହାନତା ଓ ଭାବପ୍ରବଣତାର ନିଦର୍ଶନ। ଲୋକଶିକ୍ଷା ପାଇଁ ଚରମ ଉଦାହରଣ।
Comments are closed.