ଗ୍ରୀଷ୍ମପ୍ରବାହ ପାଇଁ ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର – ମାର୍ଚ୍ଚ ମାସ ଅଧାରୁ ହିଁ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଲାଣି। ରାଜ୍ୟରେ ଗ୍ରୀଷ୍ମପ୍ରବାହ ‌ଆରମ୍ଭ ହୋଇଥିବାରୁ ସ୍ବତନ୍ତ୍ର ରିଲିଫ କମିସନର -ଏସ୍‌ଆର୍‌ସି ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ଅନୁଗୁଳ, ବାଲେଶ୍ବର, ବୌଦ୍ଧ, ବଲାଙ୍ଗୀର, ଝାରସୁଗୁଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ସମ୍ବଲପୁର, ସୋନପୁର ଜିଲ୍ଲାପାଳଙ୍କୁ ଚିଠି ଲେଖି ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଆଜି ସକାଳ ୮ଟା ୩୦ରୁ ଆସନ୍ତା କାଲି ସକାଳ ୮ଟା ୩୦ ଯାଏଁ ଏହି ୧୦ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି। ଶିଶୁ, ବୟସ୍କ ଓ ଅସୁସ୍ଥ ଲୋକ ଘରୁ ନ ବାହାରିବାକୁ କୁହାଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ୩୦ ମଧ୍ୟରେ କେହି ଘରୁ ବାହାରୁଥିଲେ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି। ଯାହାର ମଧ୍ୟାହ୍ନ ସମୟରେ ଜରୁରି କାମ ନଥିବ ସେମାନେ ଘରୁ ନବାହାରିବାକୁ କୁହାଯାଇଛି। ୧୬ରୁ ୧୭ତାରିଖ ପର୍ଯ୍ୟନ୍ତ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ବର, ମୟୂରଭଞ୍ଜ, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲା, ୧୭ରୁ ୧୯ତାରିଖ ପର୍ଯ୍ୟନ୍ତ ସୋନପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବାରୁ ଜିଲ୍ଲାପାଳମାନେ ସ୍ଥିତି ଦେଖି ପଦକ୍ଷେପ ନେବାକୁ କୁହାଯାଇଛି।

ଗ୍ରୀଷ୍ମପ୍ରବାହ ଯୋଗୁଁ ସୋମବାରଠାରୁ ପରିବହନ ବିଭାଗ ପକ୍ଷରୁ ପୂର୍ବାହ୍ନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବସ୍‌ ଚଳାଚଳ ଉପରେ କଟକଣା ଲାଗିଛି। ବସ୍‌ରେ ବିଶୁଦ୍ଧ ପାନୀୟ ଜଳ ଏବଂ ଓଆର୍‌ଏସ୍‌ ରଖିବା ସହ ବସଷ୍ଟାଣ୍ଡରେ ଜଳଛତ୍ର ଖୋଲିବାକୁ କୁହାଯାଇଛି।

Comments are closed.