ବ୍ରହ୍ମପୁର ପୋଲିସର ପୌର ନିର୍ବାଚନ ମିଶନ୍… ଶାନ୍ତିପୂର୍ଣ୍ଣ ଓ ସୂଚାରୁ ରୂପେ ସାରିବାକୁ ଲକ୍ଷ୍ୟ

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ କାଁ ଭାଁ ହିଂସାକାଣ୍ଡ ମଧ୍ୟରେ ସରିଗଲା। ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରୂପେ ୪ଟି ପର୍ଯ୍ୟାୟରେ ପଞ୍ଚାୟତ ଭୋଟଗ୍ରହଣ, ଗଣତି ଆଦି ପ୍ରକ୍ରିୟାକୁ ସୁରୁଖୁରୁରେ ସାରିବାରେ ସଫଳ ହୋଇଥିଲା ବ୍ରହ୍ମପୁର ପୋଲିସ। ଯଦିଓ ଜିଲ୍ଲାର ଅପେକ୍ଷାକୃତ କମ୍ ସଂଖ୍ୟକ ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତି ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ଥିଲା, ତେବେ ବର୍ତ୍ତମାନ ପୌର ନିର୍ବାଚନ ପାଳି। ସହରାଞ୍ଚଳ କଥା ଦେଖିଲେ ଜିଲ୍ଲାର ସବୁଠାରୁ ବୃହତ୍ ସହର ତଥା ଏକମାତ୍ର ମହାନଗର ସମେତ ଗୋପାଳପୁର, ଦିଗପହଣ୍ଡି, ଚିକିଟି ଆଦି ଏନ୍ଏସିରେ ଏବେ ପୌର ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସୂଚାରୁ ରୁପେ ସାରିବାକୁ ମିଶନ୍ ଭାବେ ଗ୍ରହଣ କରିଛି ବ୍ରହ୍ମପୁର ପୋଲିସ ଜିଲ୍ଲା।

ଗଞ୍ଜାମ ଜିଲ୍ଲାର ସମସ୍ତ ୧୮ଟି ସହରାଞ୍ଚଳ (ଗୋଟିଏ ଲେଖାଏଁ ମହାନଗର ଓ ପୌରପାଳିକା, ୧୬ଟି ଏନ୍‌ଏସି)ରେ ରହିଛି ମୋଟ ୨୮୨ ୱାର୍ଡ। ସେଥିରୁ କେବଳ ବ୍ରହ୍ମପୁରରେ ରହିଛି ଏକ ସପ୍ତମାଂଶ ଅର୍ଥାତ୍ ୪୨ଟି ୱାର୍ଡ। ସେହିପରି ସମଗ୍ର ଜିଲ୍ଲାର ପୌରାଞ୍ଚଳର ମୋଟ ଭୋଟର ସଂଖ୍ୟା ୪ ଲକ୍ଷ ୮୧ ହଜାର ୭୦ ମଧ୍ୟରୁ ସିଂହଭାଗ ଅର୍ଥାତ୍ ୨ ଲକ୍ଷ ୫୫ ହଜାର ୩୨୬ ମତଦାତା ହେଉଛନ୍ତି ବ୍ରହ୍ମପୁର ମହାନଗରର। ଅର୍ଥାତ୍ ଅନ୍ୟ ୧୭ଟି ସହରାଞ୍ଚଳର ମୋଟ ଭୋଟର (୨ ଲକ୍ଷ ୨୫ ହଜାର ୭୪୪) ଯେତେ ତା ଠାରୁ ମଧ୍ୟ ଅଧିକ ଭୋଟଦାତା ବ୍ରହ୍ମପୁର ମହାନଗରରରେ ରହିଛନ୍ତି। କେବଳ ଏତିକି ନୁହେଁ ସାରା ଜିଲ୍ଲାରେ ସହରାଞ୍ଚଳ ନିର୍ବାଚନ ଦୃଷ୍ଟିରୁ ମୋଟ ୫୨୭ଟି ବୁଥ୍ କରାଯିବାର ପ୍ରସ୍ତାବ ଥିବା ବେଳେ ସେଥିରୁ ପ୍ରାୟ ଅର୍ଦ୍ଧେକ ଅର୍ଥାତ୍ ୨୫୦ ବୁଥ୍ ବ୍ରହ୍ମପୁର ମହାନଗରରେ ହେବ। ଏସବୁ ସଂଖ୍ୟାରୁ ହିଁ ପୌର ନିର୍ବାଚନ ସାରା ଜିଲ୍ଲା ଅପେକ୍ଷା କେବଳ ବ୍ରହ୍ମପୁର ମହାନଗର ତଥା ବ୍ରହ୍ମପୁର ପୋଲିସ ଜିଲ୍ଲା ପାଇଁ କେତେ ଅଧିକ ଚ୍ୟାଲେଞ୍ଜିଂ ତାହା ସ୍ପଷ୍ଟ।

ତେବେ ଏହି ଆହ୍ବାନର ସାମନା କରିବା ପାଇଁ ବ୍ରହ୍ମପୁର ପୋଲିସ ଆଗୁଆ ପ୍ରସ୍ତୁତି କରିସାରିଲାଣି। ଏସ୍.ପି. ପିନାକ ମିଶ୍ରଙ୍କ ନେତୃତ୍ବରେ ପୋଲିସ ବାହିନୀ ଓ ଥାନାର ତଥା ରିଜର୍ଭ ପୋଲିସ କର୍ମଚାରୀ ବେଶ୍ ତତ୍ପର ହୋଇ ଉଠିଲେଣି। ସହରବାସୀ ମଧ୍ୟ ଏହାକୁ
ଏବେ ଠାରୁ ଅନୁଭବ କରିବାରେ ଲାଗିଲେଣି। ବ୍ରହ୍ମପୁର ମହାନଗର ଅନ୍ତର୍ଗତ ସମସ୍ତ ଥାନା ସମେତ ଅନ୍ୟ ପୌରାଞ୍ଚଳ ସହ ସମ୍ପୃକ୍ତ ଥାନା ପୋଲିସ୍ ଦ୍ଵାରା ଏବେଠାରୁ ଫୁଟ୍ ପାଟ୍ରୋଲିଂ, ଫ୍ଲାଗ୍ ମାର୍ଚ୍ଚ, ଭ୍ୟାନ୍‌ ପାଟ୍ରୋଲିଂ, ଯାନବାହନରୁ ଆରମ୍ଭ କରି ମଦ କାରବାର ଯାଞ୍ଚ, ଅସାମାଜିକ ତତ୍ତ୍ୱଙ୍କୁ ଧରପଗଡ ଆଦି ତ୍ବରାନ୍ବିତ କରାଯାଇଛି। ବରିଷ୍ଠ ଅଧିକାରୀଙ୍କ ସହ ପୋଲିସ ଷ୍ଟାଫ୍ ଚାଲି ଚାଲି ବିଭିନ୍ନ ଛକ ଓ ବଜାର ବୁଲୁଛନ୍ତି। ଏହା ଜରିଆରେ ଲୋକଙ୍କୁ ଆଶ୍ୱସ୍ତ କରାଯାଉଛି ଯେ- ନିର୍ବାଚନ ସୁରୁଖୁରୁରେ ହେବ। କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବାକୁ ଦିଆଯିବନି, ଯାହାଫଳରେ ଲୋକେ ଭୟମୁକ୍ତ ପରିବେଶରେ ସୁରୁଖୁରୁରେ ମତଦାନ ଅଧିକାର ସାବ୍ୟସ୍ତ କରିପାରିବେ।

ଏଥିସହ ପୋଲିସ ହେଲମେଟ୍ ଯାଞ୍ଚ, ମାସ୍କ ଯାଞ୍ଚ ଆଦି ମଧ୍ୟ ଜାରି ରଖିଛି। ଅମାନିଆ ଲୋକଙ୍କ ଠାରୁ ଜରିମାନା ମଧ୍ୟ ଆଦାୟ କରୁଛି ପୋଲିସ। ସବୁଠୁ ଅଧିକ ସମ୍ବେଦନଶୀଳ ବ୍ରହ୍ମପୁର ମହାନଗରରେ ପୋଲିସ ବାଇକ୍ ପାଟ୍ରୋଲିଂ ମଧ୍ୟ କରିଛି ଯାହାଦ୍ଵାରା କି ସବୁ ଗଳିକନ୍ଦିରେ ପୋଲିସ ପହଞ୍ଚି ପାରୁଛି। ବାଇକ୍ ପାଟ୍ରୋଲିଂ ଦୃଷ୍ଟିରୁ ୨୦ରୁ ଅଧିକ ମୋଟରସାଇକେଲ୍‌ ନିୟୋଜିତ ହୋଇଛି। ପ୍ରତି ବାଇକ୍‌ରେ ଦୁଇ ଜଣ କର୍ମଚାରୀ ସନ୍ଧ୍ୟା ସାଢ଼େ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଗଳି କନ୍ଦିରେ ପାଟ୍ରୋଲିଂ କରୁଛନ୍ତି। ଏଥିସହ ସହରରେ ମଦୁଆଙ୍କୁ ସାବାଡ଼ କରିବାକୁ ମଧ୍ୟ ମଦୁଆଧରା ଗାଡ଼ି ବୁଲୁଛି। ମଦୁଆଙ୍କୁ ଧରି ତାଗିଦ୍ କରାଯିବା ସହ ଜରିମାନା ଆଦାୟ କରି ଛଡାଯାଉଛି। ଆବଶ୍ୟକ ହେଲେ ଥାନାକୁ ନିଆଯାଇ କଠୋର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରୁଛି ପୋଲିସ। ଲୋକେ ମଧ୍ୟ ପୋଲିସ ବାହିନୀର ସତର୍କତା ଦେଖି ଭୟ ଓ ଆଇନଶୃଙ୍ଖଳା ପରିସ୍ଥିତି ଜନିତ ଆଶଙ୍କାରୁ ମୁକ୍ତ ହେବାରେ ଲାଗିଛନ୍ତି।ନିର୍ବାଚନ ପୂର୍ବରୁ ମଦ କାରବାର ନିଷେଧ କରାଯାଇ ଥିବାରୁ ତାହାକୁ ମଧ୍ୟ କଡାକଡି କାର୍ଯ୍ୟକାରୀ କରିବାକୁ ତତ୍ପର ରହିଛି ପୋଲିସ।

ଅପରପକ୍ଷରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ସମେତ ତାରକା ପ୍ରଚାରକ, ନେତା, ମନ୍ତ୍ରୀ, ବିଧାୟକ, ସାଂସଦ ପ୍ରମୁଖ ସାହି ସାହିରେ ବୁଲି ପ୍ରଚାର କରିବା ବେଳେ ଯେଭଳି କୌଣସି ଗଣ୍ଡଗୋଳ ନହୁଏ ବା ଟ୍ରାଫିକ୍ ସମସ୍ୟା ନ ଉପୁଜେ ସେଥିପ୍ରତି ମଧ୍ୟ ସଜାଗ ନଜର ରଖିଥିବା ସୂଚନା ଦେଇଛନ୍ତି ଏସ୍.ପି. ପିନାକ ମିଶ୍ର। ଅବାଧ ଓ ନିରପେକ୍ଷ ମତଦାନ ପାଇଁ ପୋଲିସ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରୁଛି। ଯେକେହି ବ୍ୟକ୍ତି ସେମାନଙ୍କ ଅସୁବିଧା ବାବଦରେ ପୋଲିସ ନିକଟରେ ଅଭିଯୋଗ କରନ୍ତୁ ବୋଲି ଏସ୍‌ପି କହିଛନ୍ତି।

Comments are closed.