ସମ୍ବେଦନଶୀଳତା ମନ୍ତ୍ରକୁ ଅନୁସରଣ କରୁଛି ଗଜପତି ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି: ଯେଉଁଠି ସମୟ ବିକଟ, ପରିସ୍ଥିତି ପ୍ରତିକୂଳ ସେତେବେଳେ ବା ମନୁଷ୍ୟ ହେଉ କି ପ୍ରଶାସନ, ସରକାର ଅଥବା ସାଧାରଣ ଜନତା କାହା ହାତରେ ବିଶେଷ କିଛି କରିବାର ନଥାଏ। ତେବେ ଏକ ଉତ୍କୃଷ୍ଟ ସମ୍ବେଦନଶୀଳ ଓ ଜନକଲ୍ୟାଣକାରୀ ସରକାରର ଲକ୍ଷଣ ଏୟା ଯେ- କଷ୍ଟକର ସମୟ ହେଉ ବା ତାର ପରବର୍ତ୍ତୀ ବେଳ ସବୁ ସମୟରେ ସାଧାରଣ ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିଥାଏ। ଏହାର ଶ୍ରେଷ୍ଠ ଉଦାହରଣ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଲଗାତାର ଭାବେ ସୁଶାସନ ଦେଇ ଆସୁଥିବା ବିଜେଡି ସରକାର। ଆଉ ରାଜ୍ୟ ସରକାରଙ୍କ ଏଇ ସମ୍ବେଦନଶୀଳତା ଲକ୍ଷଣକୁ ବିଭିନ୍ନ ସମୟରେ ଶାସନ ପ୍ରଶାସନ ଦ୍ୱାରା ଅନୁକରଣ କରାଯାଇ ଆସୁଥିବା ଅନେକ ନଜିର ରହିଛି। ନିକଟରେ ଗଜପତି ଜିଲ୍ଲାରୁ ଏଭଳି ଏକ ଖବର ଆସିଛି।

ମହାମାରୀ କରୋନା ହେଉ ବା ମହାବାତ୍ୟା ତିତଲି… ଯେତେବେଳେ ବି ସାଧାରଣ ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିଲା କାଳର କରାଳ ଚକ୍ର, ସେତେବେଳେ ନବୀନ ପଟ୍ଟନାୟକଙ୍କ ସରକାର ବହୁମୁଖୀ ଜନକଲ୍ୟାଣକାରୀ ଯୋଜନା ଜରିଆରେ ସାଧାରଣ ଲୋକଙ୍କୁ ଉପକୃତ କରାଇ ଆସିଛି। ରାଜ୍ୟ ସରକାରଙ୍କ ସେଇ ସେବା ଭାବନାକୁ ମନ୍ତ୍ର କରି ଗଜପତି ଜିଲ୍ଲା ପ୍ରଶାସନ ତିତଲି ମହାବାତ୍ୟାରେ ଅନାଥ ପିଲାମାନଙ୍କୁ ଭବିଷ୍ୟତର ସୁନାଗରିକ ଭାବେ ଗଢ଼ି ତୋଳିବାକୁ ସମସ୍ତ ପ୍ରୟାସ ଜାରି ରଖିଛି। ବାପା- ମାଆ ଛେଉଣ୍ଡ, ପ୍ରକୃତିର ଦୁର୍ବିପାକରେ ଆତ୍ମୀୟ ସ୍ୱଜନଙ୍କୁ ହରାଇଥିବା ଶିଶୁମାନଙ୍କ ରହଣୀ, ଶିକ୍ଷା, ବ୍ୟକ୍ତିତ୍ଵ ବିକାଶ ଆଦି ପ୍ରତି ଗୁରୁତ୍ବ ଦେଇ କାର୍ଯ୍ୟ କରି ଆସୁଛି ଜିଲ୍ଲା ପ୍ରଶାସନ। ପିଲାମାନଙ୍କୁ ପ୍ରୋତ୍ସାହନ ଦେବା କାମ ମଧ୍ୟ ନିୟମିତ ବ୍ୟବଧାନରେ କରି ଆସୁଛି ଗଜପତି ପ୍ରଶାସନ। ନିକଟରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ତିତ୍‌ଲି ବେଳେ ଅନାଥ ହୋଇଥିବା ଜଣେ ଛାତ୍ର ରାମ ଭୂୟାଁ ଯେକି ତୃତୀୟ ଶ୍ରେଣୀରେ ଜିଲ୍ଲାସ୍ତରୀୟ ବୃଦ୍ଧି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ତାଙ୍କୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିଥିଲେ। ଏହାଦ୍ଵାରା ଉକ୍ତ ଛୁଆର ମନୋବଳ ବୃଦ୍ଧି ସହ ତାଙ୍କୁ ପ୍ରୋତ୍ସାହିତ କରିବା କାର୍ଯ୍ୟ ବେଶ୍ ସୁରୁଖୁରୁରେ ସମ୍ପନ୍ନ କରିଥିଲା ଗଜପତି ଜିଲ୍ଲା ପ୍ରଶାସନ।

ରାମଙ୍କ ଘର ଗଙ୍ଗାବାଡ଼ ପଞ୍ଚାୟତର ବାରଘର ଗ୍ରାମ। ପ୍ରକୃତିର ପ୍ରକୋପ ଏୟା ଥିଲା ଯେ ବାପା, ମା’ ଏବଂ ଭଉଣୀଙ୍କୁ ସବୁଦିନ ପାଇଁ ହରାଇ ଦେଇଥିଲେ ରାମ ଓ ତାଙ୍କର ଆଉ ଦୁଇ ଭାଇ। ତିତଲି ପୁନରୁଦ୍ଧାର ଯୋଜନା ଅନ୍ତର୍ଗତ ତିନି ଭାଇଙ୍କୁ ଜିଲ୍ଲା ପ୍ରଶାସନ ନିଜ ତତ୍ତ୍ୱାବଧାନରେ ଗୋଷାଣି ବ୍ଲକ୍‌ର ଏକ ଆବାସିକ ବିଦ୍ୟାଳୟରେ ରହଣୀ ଓ ଶିକ୍ଷାଦାନର ବ୍ୟବସ୍ଥା କରାଇଥିଲା। ସେମାନଙ୍କର ସମସ୍ତ ଦାୟିତ୍ବ ବହନ କରି ଆସୁଛି ଜିଲ୍ଲା ପ୍ରଶାସନ। ସେମାନଙ୍କର ଶିକ୍ଷାର ବିକାଶ ପାଇଁ ଘରୋଇ ଶିକ୍ଷକ ବ୍ୟବସ୍ଥା, ଶାରିରୀକ ଏବଂ ମାନସିକ ବିକାଶ ପାଇଁ ବିଭିନ୍ନ ପ୍ରୋତ୍ସାହନ ସହ କୋଭିଡ୍ ସମୟରେ ଶିକ୍ଷାଦାନ ଦୃଷ୍ଟିରୁ ଆବଶ୍ୟକ କମ୍ପ୍ୟୁଟର ପ୍ରଦାନ କରି ଅନ୍‌ଲାଇନ୍ ଶିକ୍ଷା ଯୋଗାଇ ଦେଇଥିଲା ଗଜପତି ଜିଲ୍ଲା ପ୍ରଶାସନ। ଆଉ ତାହାର ସୁଫଳ ଏୟା ଥିଲା ଯେ- ରାମ ଭୂୟାଁ ତୃତୀୟ ଶ୍ରେଣୀରେ ଜିଲ୍ଲାସ୍ତରୀୟ ବୃତ୍ତି ହାସଲ କରିଥିବା ବେଳେ ତାଙ୍କ ଅନ୍ୟତମ ଭାଇ ସୀମାଞ୍ଚଳ ଭୂୟାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ସଫଳ ହୋଇ ଲିଙ୍ଗିପୁର ସ୍କୁଲରେ ପଢ଼ୁଛନ୍ତି। ମହାବାତ୍ୟାରେ ଅନାଥ ହୋଇଥିବା ପ୍ରତିଟି ଛୁଆ ଯେପରି ସମାଜରେ ସୁନାଗରିକ ହୋଇ ଗଢ଼ି ଉଠିବେ ଓ ଏ ରାଜ୍ୟ ତଥା ଦେଶ ପାଇଁ ନିଜ ଅବଦାନ ଦେଇପାରିବେ, ସେମାନଙ୍କର ଭବିଷ୍ୟତ ଯେପରି ଉଜ୍ଜ୍ବଳ ହୋଇପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ଉଦ୍ୟମ କରିବ ବୋଲି କହିଛନ୍ତି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା। ବାସ୍ତବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାଦାୟୀ ସରକାର ଅମଳରେ ଏମିତି ଅଧିକରୁ ଅଧିକ ସଂଖ୍ୟାରେ ବିଭିନ୍ନ ବୟସର, ବିଭିନ୍ନ ବର୍ଗର, ଭିନ୍ନ ଭିନ୍ନ ସାମାଜିକ ଓ ଆର୍ଥିକ ସ୍ଥିତିରେ ଥିବା ଓଡ଼ିଆଙ୍କୁ ସମାଜର ମୁଖ୍ୟଧାରାରେ ସ୍ଵାଭିମାନର ସହ ବଞ୍ଚିବାକୁ ସୁଯୋଗ ମିଳି ଆସୁଛି।

Comments are closed.