ପିତଳ ହତ୍ୟାକାଣ୍ଡ: ୫ ଗିରଫ ଓ ଜଣେ ଫେରାର, ମାରଣାସ୍ତ୍ର ଜବତ: କମେଣ୍ଟମରାରୁ ବଚସା, ଅଭିଯୁକ୍ତ ନେଇଗଲେ ୪ ଜୀବନ

ଛତ୍ରପୁର: କମେଣ୍ଟମରାକୁ କେନ୍ଦ୍ର କରି ନୃଶଂସ କାଣ୍ଡ ଘଟାଇଛନ୍ତି ୬ ଅଭିଯୁକ୍ତ। ବଚସାରୁ ମରଣାନ୍ତକ ଆକ୍ରମଣ ଓ ପ୍ରତିଶୋଧ ଭାବନାରେ ୪ ଭାଇଙ୍କ ଜୀବନ ନେଇ ଯାଇଛନ୍ତି ଦୁର୍ବୃତ୍ତ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରାଯାଇଛି, ଅନ୍ୟ ଜଣେ ଫେରାର ହୋଇଯାଇଛି। ତାକୁ ଗିରଫ କରିବା ପାଇଁ ପୋଲିସ ଟିମ୍ ବିଭିନ୍ନ ରାଜ୍ୟକୁ ଯାଇଛନ୍ତି। ଗତ ୨୨ ତାରିଖ ମଧ୍ୟରାତ୍ରରେ ଗଞ୍ଜାମ ଜିଲ୍ଲା ପିତଳ ଛକରେ ଚାରି ଭାଇଙ୍କୁ ସଂଘବଦ୍ଧ ଆକ୍ରମଣରେ ହତ୍ୟା କରାଯାଇ ଥିଲା। ଶୀଘ୍ର ଫେରାର ଅଭିଯୁକ୍ତକୁ ମଧ୍ୟ ଗିରଫ କରି ନିଆଯିବ ବୋଲି ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆଜି ମଧ୍ୟାହ୍ନରେ ହିଞ୍ଜିଳିକାଟୁ ଥାନାରେ ଏହି ସାମ୍ବାଦିକ ସମ୍ମିଳନୀ ହୋଇଥିଲା। ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଅଭିଯୁକ୍ତମାନେ ପୂର୍ବରୁ କୌଣସି ଅପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି କି ନା ତାହା ଯାଞ୍ଚ କରାଯାଉଥିବା ଏସ୍‌ ରାୟ କହିଛନ୍ତି।

ନରେନ୍ଦ୍ରପୁର ଗ୍ରାମର ମଙ୍ଗୁଳୁ ସ୍ବାଇଁଙ୍କ ପୁଅ ରାଜା ସ୍ବାଇଁ, ଶମ୍ଭୁ ସ୍ବାଇଁ, ପାଣ୍ଡବ ସ୍ବାଇଁ ଓ ପୁତୁରା ଚନ୍ଦନ ସ୍ବାଇଁଙ୍କୁ ସଂଘବଦ୍ଧ ଆକ୍ରମଣରେ ହତ୍ୟା କରାଯାଇ ଥିଲା। ଏହା ପ୍ରତିବାଦରେ ଲୋକେ ପିତଳ ଠାରେ ବ୍ରହ୍ମପୁର- ଆସିକା ରାସ୍ତା ଅବରୋଧ କରିଥିଲେ। ସ୍ଥିତି ବେଶ୍ ଉତ୍ତେଜନାପୂର୍ଣ୍ଣ ହୋଇ ଯାଇଥିଲା। ଏବେ ବି ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ଫୋର୍ସ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁତୟନ ହୋଇଛନ୍ତି। ତେବେ ଏକ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଏସପି ସୂଚନା ଦେଇଛନ୍ତି ଯେ– କମେଣ୍ଟ୍ ମରାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ସଂଘଟିତ ହୋଇଛି। ହତ୍ୟାର ଶିକାର ହୋଇଥିବା ଚାରି ଭାଇ ଏକ ଫାଷ୍ଟଫୁଡ୍ ଦୋକାନ କରିଥିଲେ। ତେବେ ଘଟଣା ଦିନ ସେମାନଙ୍କ ଦୋକାନ ସାମନାରେ ଏକ ଦୁର୍ଘଟଣା ପରେ ଏକ ଦମ୍ପତିକୁ କମେଣ୍ଟ୍ ମରାକୁ କେନ୍ଦ୍ର କରି ଅଭିଯୁକ୍ତ ରାମଚନ୍ଦ୍ରପୁରର ଅମୀୟ ସ୍ବାଇଁ (ସାଧୁ), ତାର ସହଯୋଗୀ ବାହନପତି ବେହେରା ସହ ଶମ୍ଭୁ ଓ ରାଜାଙ୍କ ମଧ୍ୟରେ ବେଶ୍ ଯୁକ୍ତିତର୍କ ହୋଇଥିଲା। ପ୍ରବଳ ଉଚ୍ଚ ବଚସାର କିଛି ସମୟ ପରେ ସାଧୁ, ବାହନପତି ଅନ୍ୟ ସହଯୋଗୀଙ୍କ ସହ ମିଶି କାଠ ଖଣ୍ଡ, ଲୁହା ରଡ୍, ବାଉଁଶରେ ୪ ଭାଇଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ। ଦୁଇ ପକ୍ଷ ମଧ୍ୟରେ ଭୟଙ୍କର ମାରପିଟ୍ ଓ ପ୍ରତିଆକ୍ରମଣ ଘଟିଥିଲା। ଏଥିରେ ସାଧୁ ନିଜେ ଗୁରୁତର ହୋଇଥିବା ବେଳେ ୩ ଭାଇଙ୍କ ଘଟଣାସ୍ଥଳରେ ଓ ଚନ୍ଦନଙ୍କ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ହସପିଟାଲରେ ମୃତ୍ୟୁ ହୋଇଯାଇଥିଲା। ଘଟଣାସ୍ଥଳ ସମ୍ପୂର୍ଣ୍ଣ ରକ୍ତରଞ୍ଜିତ ହୋଇଯାଇଥିଲା। ଆଉ ସେହି ରାତି ଗୋଟିଏ ପରିବାରର ପାଇଁ କାଳରାତ୍ର ପାଲଟି ଯାଇଥିଲା। ଏହି ବର୍ବର ଘଟଣା ଓ ଗଣ ହତ୍ୟାକାଣ୍ଡ ଗଞ୍ଜାମ ଜିଲ୍ଲା ଓ ସାରା ରାଜ୍ୟକୁ ଥରାଇ ଦେଇଥିଲା। ଗୁରୁତର ଅମୀୟ ସ୍ବାଇଁକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସା ପରେ ଗିରଫ କରିଛି ପୁଲିସ। ତେବେ ଚାରି ଭାଇଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। କାନ୍ଦବୋବାଳିରେ ସ୍ପଷ୍ଟ ଶୋକାକୁଳ ପରିବେଶ ମଧ୍ୟରେ ମୃତକଙ୍କ ଅନ୍ତ୍ୟେଷ୍ଟି ସମ୍ପନ୍ନ କରାଯାଇ ଥିଲା। ମୃତକଙ୍କ ପିତା ମଙ୍ଗୁଳୁ ସ୍ବାଇଁଙ୍କ ଅଭିଯୋଗ ଆଧାରରେ ହିଞ୍ଜିଳି ଥାନାରେ କେସ୍ ନମ୍ବର ୧୪୧ / ୨୦୨୨ ରୁଜୁ କରି ତଦନ୍ତ ଜାରି ରଖିଥିଲା ପୋଲିସ।

ଏସ୍‌ପି ରାୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ- ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅମୀୟ ସ୍ବାଇଁ ସମେତ ବାହନପତି (ବାହନ ବେହେରା), ଦିପୁ ସେଠୀ (ବଳିଆ), ଚିତ୍ରସେନ ସେଠି (ଚିତ୍ର), ସନ୍ତୋଷ ସ୍ବାଇଁ (ସନ୍ତ)ଙ୍କୁ ଗିରଫ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କ ଘର ହିଞ୍ଜିଳି ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଅଟେ। ଅନ୍ୟତମ ଫେରାର ଅଭିଯୁକ୍ତକୁ ଖୋଜିବା ପାଇଁ ପୋଲିସ ଟିମ୍ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ଯଥା ୬ଟି କାଠ ଦଣ୍ଡା, ରକ୍ତଭିଜା ଗୋଟିଏ ଲୁହା ଆଙ୍ଗଲର୍ ଓ ଗୋଟିଏ ମୋଟା ବାଉଁଶ ଖଣ୍ଡ, ଅଭିଯୁକ୍ତ ଓ ମୃତକମାନଙ୍କ ରକ୍ତାକ୍ତ ପୋଷାକପତ୍ର, ଅଭିଯୁକ୍ତମାନେ ବ୍ୟବହାର କରିଥିବା ଦୁଇଟି ଦୁଇଚକିଆ ଗାଡି (ଓଡି୩୨ଏଫ୍- ୨୦୩୦ ଏବଂ ଓଡିଠ୭ଏସି- ୩୨୯୦)କୁ ପୋଲିସ ଜବତ କରାଯାଇଛି। ମୋଟାମୋଟି ଭାବେ କ୍ଷଣିକ ଉତ୍ତେଜନାରୁ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ ଫଳରେ ୪ଟି ଜୀବନହାନୀ ହୋଇଥିବା ପୋଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି। ତେବେ ପୋଲିସର ତ୍ଵରିତ କାର୍ଯ୍ୟାନୁଷ୍ଠାନ ଫଳରେ ଅଭିଯୁକ୍ତମାନଙ୍କୁ କମ୍ ସମୟ ମଧ୍ୟରେ କାବୁ କରାଯିବାରେ ସଫଳତା ମିଳିପାରିଛି।

Comments are closed.