ବ୍ରହ୍ମପୁର ମଣ୍ଡଳ କାରାଗାରରେ ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ସହିଦ ଦିବସ

ବ୍ରହ୍ମପୁର: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଲକ୍ଷ୍ମଣ ନାୟକଙ୍କ ୮୦ତମ ସହିଦ ଦିବସ ବ୍ରହ୍ମପୁର ମଣ୍ଡଳ କାରାଗାର ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଜ଼ିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ରହିଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକଙ୍କ ସ୍ମୁତି ମନ୍ଦିର ଏବଂ କାରାଗାର ପରିସରରେ ଥିବା ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ବୀର ସଂଗ୍ରାମୀଙ୍କ ସ୍ମୃତିଚାରଣ କରାଯାଇଥିଲା l ସମ୍ମାନିତ ଅତିଥି ଥିଲେ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି.କୀର୍ତ୍ତି ୱାସନ। ସ୍ୱାଧୀନତା ସଂଗ୍ରାମ ଇତିହାସରେ ଲକ୍ଷ୍ମଣ ନାୟକଙ୍କ ଅସୀମ ତ୍ୟାଗ ଓ ଦେଶ ଭକ୍ତ ସ୍ଵର୍ଣ୍ଣାକ୍ଷରରେ ସଦାସର୍ବଦା ଲିପିବଦ୍ଧ ହୋଇ ରହିବ ବୋଲି ଜିଲ୍ଲାପାଳ କହିଥିଲେ l ମିଥ୍ୟା ଆରୋପରେ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦେବା ପାଇଁ ୧୯୪୨ ମସିହା ନଭେମ୍ବର ୧୬ ତାରିଖରେ ବ୍ରହ୍ମପୁର ଜେଲକୁ ସ୍ଥାନୀତ କରାଗଲା l ୧୯୪୩ ମାର୍ଚ୍ଚ ୨୯ ତାରିଖ ଭୋର ପାଞ୍ଚଟା ସମୟରେ ମାତ୍ର ୪୩ ବର୍ଷ ବୟସରେ ବ୍ରହ୍ମପୁର ଜେଲରେ ଫାଶୀ ପାଇଥିଲେ ସ୍ବର୍ଗତ ନାୟକ I ଫାଶୀ ପୂର୍ବରୁ ନିଜର ଇଚ୍ଛା ପ୍ରକାଶ କରି ଲକ୍ଷ୍ମଣ ନାୟକ କହିଥିଲେ “ସୂର୍ଯ୍ୟ ଯଦି ସତ୍ୟ ହୋଇଥାଏ, ଚନ୍ଦ୍ର ଯଦି ସତ୍ୟ ହୋଇଥାଏ, ତେବେ ଭାରତମାତା ଯେ ସ୍ୱାଧୀନ ହେବ ତାହା ସେହିପରି ସତ୍ୟ ହେବ”। ଲକ୍ଷ୍ମଣ ନାୟକଙ୍କ ଶେଷ ବାଣୀ ସତ୍ୟ ହେଲା। ବର୍ବର ବ୍ରିଟିଶ ଶାସନ ହାତରୁ ଭାରତ ମାତା ସ୍ୱାଧୀନ ହେଲା l

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ମଣ୍ଡଳ କାରାଗାର ଅନ୍ତେବାସୀଙ୍କ ସକାଶେ ସେଣ୍ଟ୍ରାଲ ହଲ ଠାରେ ଥିବା ଶବ୍ଦ ଓ ପ୍ରଚାର ଯନ୍ତ୍ରକୁ ଉଦଘାଟନ କରିଥିଲେ । ଏହି ଶବ୍ଦ ଓ ପ୍ରଚାର ଯନ୍ତ୍ର ଦ୍ୱାରା ଅନ୍ତେବାସୀଙ୍କୁ ଭଜନ ଶୁଣିବା ସହିତ ସେମାନଙ୍କ ନିକଟରେ ସମସ୍ତ ପ୍ରକାର ସୂଚନା ପହଞ୍ଚିଵା ସହଜ ହେବ ବୋଲି ମଣ୍ଡଳ କାରାଗାର ବରିଷ୍ଠ ଅଧିକ୍ଷକ ଗରିବ ସାହୁ ଅବଗତ କରାଇଥିଲେ। ଜେଲର ସତ୍ୟନାରାୟଣ ବେହେରା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ଓ ବିଭାଗର ଉପଖଣ୍ଡ ବରିଷ୍ଠ କର୍ମଚାରୀ ଲୋକନାଥ ଶତପଥୀ, କାରାଗାରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Comments are closed.