ଯୁବ ଶିଳ୍ପୀ ତିଆରି କଲେ କ୍ଷୁଦ୍ର ତାରାତାରିଣୀ ମନ୍ଦିର

ବ୍ରହ୍ମପୁର: ଚାଲିଛି ଚୈତ୍ର ମଙ୍ଗଳବାର ଯାତ୍ରା। କରୋନା କଟକଣା କୋହଳ ହେବା ପରେ ଚାରିଆଡୁ ଭକ୍ତ ଛୁଟି ଆସୁଛନ୍ତି। ଉଦ୍ଦେଶ୍ୟ ଦେବୀ ଦର୍ଶନ, ଛୁଆଙ୍କ ମୁଣ୍ଡନ ଓ ମନୋସ୍କାମନା ପୂରଣ ପାଇଁ ପୂଜା ଅର୍ଚ୍ଚନା। ଏହି ଅବସରରେ ମାଁ ତାରାତାରିଣୀଙ୍କ ପ୍ରସିଦ୍ଧ ଶକ୍ତି ପୀଠର ଅବିକଳ ନକଲ କରି ଏକ କ୍ଷୁଦ୍ର କାଷ୍ଟ ନିର୍ମିତ ମନ୍ଦିର ତିଆରି କରିଛନ୍ତି ବ୍ରହ୍ମପୁରର ଯୁବ ଶିଳ୍ପୀ ଦିଲ୍ଲୀପ ମହାରଣା। ମା’ ତାରାତାରିଣୀଙ୍କ ପୀଠ ଅବିକଳ ଢାଞ୍ଚାରେ ମାତ୍ର ୪ଇଞ୍ଚ ଉଚ୍ଚ ଏହି ମନ୍ଦିର କଳାକୃତି କାଠରେ ତିଆରି କରିଛନ୍ତି ସେ। ଏଥିରେ ପୀଠର ସିଂହଦ୍ଵାର ତଥା ପ୍ରବେଶ ପଥ, ଚାରିପାଖ ପାଚେରୀ, ମୁଖ୍ୟ ମନ୍ଦିର ଓ ପାର୍ଶ୍ଵବର୍ତ୍ତୀ ଛୋଟ ଛୋଟ ମନ୍ଦିର ଆଦି ରହିଛି। କ୍ଷୁଦ୍ର ହେଲେ ବି ସେଗୁଡ଼ିକ ଅତ୍ୟନ୍ତ ସୁନ୍ଦର ଓ କାରୁକାର୍ଯ୍ୟ ସମ୍ପନ୍ନ ହୋଇଛି।

ପୂର୍ବରୁ ଦିଲ୍ଲୀପ ଅଯୋଧ୍ୟାର ଶ୍ରୀରାମ ମନ୍ଦିର ଓ ପୁରୀ ଶ୍ରୀମନ୍ଦିର ବି କାଠରେ ତିଆରି କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ତାଙ୍କର ଏଭଳି କ୍ଷୁଦ୍ର କଳାକୃତି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଓ ଲିମକା ବୁକ୍ ଅଫ୍ ରେକର୍ଡସ୍ ଦ୍ବାରା ସ୍ବୀକୃତ ହୋଇଛି। ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶରେ ଗଞ୍ଜାମ ଜିଲ୍ଲାର ଈଷ୍ଟ ଦେବୀ ତଥା ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଏହି ଦୈବୀ ପୀଠର ବହୁବିଧ ବିକାଶ ସାଧିତ ହୋଇ ପାରିଛି। ଏକ ଅନ୍ତର୍ଜାତୀୟ ସ୍ତରର ପର୍ଯ୍ୟଟନ ସ୍ଥଳରେ ରୂପାନ୍ତରଣ ପାଇଁ ଆହୁରି ଅନେକ ଉନ୍ନୟନ କାର୍ଯ୍ୟ ଚାଲୁ ରହିଛି।

Comments are closed.