ଋକବେଦରେ ବର୍ଣ୍ଣିତ ନଦୀମାନଙ୍କ ମଧ୍ୟରୁ ସରସ୍ୱତୀ ନଦୀ ଅନ୍ୟତମ । ହିନ୍ଦୁଧର୍ମର ଅନେକ ଶାସ୍ତ୍ରରେ ଏହି ନଦୀର ଉଲ୍ଲେଖ ରହିଛି । ଋକବେଦର ରଚନା ବୈଦିକ ସଂସ୍କୃତ ଭାଷାରେ କରାଯାଇଛି ଏବଂ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ସହସ୍ରାବ୍ଦ ସମୟରେ ସରସ୍ୱତୀ ନଦୀତଟରେ ବସବାସ କରୁଥିବା ଲୋକେ ଋକବେଦର କିଛି ଅଂଶର ରଚନା କରିଛନ୍ତି ବୋଲି ବିଶ୍ୱାସ କରାଯାଏ ।
ହିନ୍ଦୁ ଧର୍ମରେ ବିଦ୍ୟା, ଜ୍ଞାନ ଓ ବାକ୍ର ଦେବୀ ସରସ୍ୱତୀ,ପ୍ରଥମେ ଏହି ନଦୀରୂପକ ଦେବୀଭାବେ ଉଭା ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ବିଦ୍ୟା ଓ ଭାଷାର ଦେବୀ ଭାବେ ପରିଚିତା ହେଲେ ।
ଋକବେଦର ନଦୀସ୍ତୁତି ଶୁକ୍ତ ଅନୁସାରେ ଯମୁନା ଓ ଶତଦ୍ରୁ ନଦୀ ମଧ୍ୟରେ ସରସ୍ୱତୀ ପ୍ରବାହିତ ହେବା କଥା ଉଲ୍ଲେଖ କରିଛି । କିନ୍ତୁ ଏହା ପରବର୍ତ୍ତୀ ସମୟରେ ରଚିତ ତାଣ୍ଡ୍ୟ ବ୍ରହ୍ମଣ, ଜୈମିନୀୟ ବ୍ରହ୍ମଣ, ମହାଭାରତ ଆଦିରେ ସରସ୍ୱତୀ ନଦୀ ଶୁଷ୍କ ମରୁରେ ପାତାଳଗାମୀ ହେବାର ଉଲ୍ଲେଖ ରହିଛି । ଆକାଶ ଗଙ୍ଗାର ଏକ ନକ୍ଷତ୍ର ସଂରଚନାକୁ ସରସ୍ୱତୀ ବୋଲି କୁହାଯାଏ । ଗଙ୍ଗା ଓ ଯମୁନା ନଦୀର ସଙ୍ଗମସ୍ଥଳ ତ୍ରିବେଣୀରେ ସରସ୍ୱତୀ ମଧ୍ୟ ସମ୍ମିଳିତ ହୋଇଛି ବୋଲି ବିଶ୍ୱାସ କରାଯାଏ ।
ଉନବିଂଶ ଶତାବ୍ଦୀର ଶେଷ ଭାଗରେ ବିଭିନ୍ନ ଗବେଷଣାର ଆଧାରରେ ଘଗ୍ଗର୍-ହାକ୍ରା ନଦୀ ହିଁ ବୈଦିକ ସରସ୍ୱତୀ ବୋଲି କେତେକ ଗବେଷକ ନିରୂପିତ କରିଛନ୍ତି । ଏହି ନଦୀ ଉତ୍ତର-ପୂର୍ବ ଭାରତରେ ପ୍ରବାହିତ ହୋଇ ପୂର୍ବ ପାକିସ୍ଥାନରେ ପ୍ରବେଶ କରିଛି। ସିନ୍ଧୁ ସଭ୍ୟତାର ଅନେକ ମହତ୍ତ୍ୱପୂର୍ଣ୍ଣ ସହର ଯଥା ରାଜସ୍ଥାନର କାଳିବଙ୍ଗନ୍, ହରିଆଣାର ବନୱାଳି ଓ ରାଖିଗ୍ରାହୀ, ଗୁଜରାଟର ଢୋଲାଭିରା ଓ ଲୋଥାଲ୍ ଘଗ୍ଗର ନଦୀର କୂଳରେ ଗଢ଼ି ଉଠିଥିଲେ ।
ଅନ୍ୟ କିଛି ଗବେଷକଙ୍କ ମତରେ ଦକ୍ଷିଣ ଆଫଗାନିସ୍ଥାନର ହେଲମାଣ୍ଡ ନଦୀ ବେଦରେ ବର୍ଣ୍ଣିତ ସରସ୍ୱତୀ ନଦୀ । ଆଧୁନିକ ଭୂ-ଭୌତିକ ଗବେଷଣା ଅନୁସାରେ ଘଗ୍ଗର-ହାକ୍ରା ହିମାଳୟରୁ ଜାତ ନଦୀ ନୁହେଁ ବରଂ ଅନେକ କ୍ଷୁଦ୍ର କ୍ଷୁଦ୍ର ବର୍ଷା ପ୍ଳାବିତ ନଦୀର ଜଳଦ୍ୱାରା ପରିପୁଷ୍ଟ । ଆହୁରି ମଧ୍ୟ, ପାକିସ୍ଥାନର ଚୋଲିସ୍ଥାନ ମରୁଭୂମିରେ ଅନେକ ସ୍ଥାନରେ ଘଗ୍ଗର-ହାକ୍ରା ନଦୀ ପଥରେ ଶୁଷ୍କ ସ୍ରୋତମାନଙ୍କର ସନ୍ଧାନ ମିଳିଛି । ଏମାନଙ୍କ ମୃତ୍ତିକା ଅବଶେଷ ଯମୁନା ନଦୀ, ବେଆସ୍ ନଦୀ ବା ଶତଦ୍ରୁ ନଦୀ ସହ ତୁଳନୀୟ । ଏହି କାରଣରୁ ପ୍ରାୟ ଖ୍ରୀଷ୍ଟପୂର୍ବ ୪୭,୦୦୦ରୁ ନେଇ ଖ୍ରୀଷ୍ଟପୂର୍ବ ୧୦,୦୦୦ ମଧ୍ୟରେ ଯମୁନା ନଦୀର ଏକ ମୁଖ୍ୟ ଧାରା ଘଗ୍ଶର ନଦୀଶଯ୍ୟାରେ ପଶ୍ଚିମାଭିମୁଖୀ ହୋଇ ଆରବ ସାଗରରେ ନିଷ୍କାସିତ ହେଉଥିଲା ବୋଲି ଅନୁମାନ କରାଯାଉଛି ।
Comments are closed.