ଟୁରିଷ୍ଟଙ୍କ କ୍ରେଜ୍ ପାଲଟିବ ଗୋପାଳପୁର

ଗୋପାଳପୁର: ରାଜ୍ୟର ପ୍ରଥମ ରିଭର୍ କ୍ରସିଂ ଜିପ୍ ଲାଇନ୍ ଗୋପାଳପୁର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଭିଡିଓ କନଫରେନ୍ସ ଜରିଆରେ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି। ଏହା ହେଉଛି ବେଳାଭୂମି ସହରରେ ନୂଆ କରି ପ୍ରତିଷ୍ଠା ହୋଇଥିବା ବିଜୁ ଆଡ୍‌ଭେଞ୍ଚର୍ ପାର୍କରେ ଉପଲବ୍ଧ ରୋମାଞ୍ଚକର ଆମୋଦପ୍ରମୋଦର ଗୋଟିଏ ଅଂଶ। ପର୍ଯ୍ୟଟନ ସହରରେ ଏଣିକି ପର୍ଯ୍ୟଟକ, ରୋମାଞ୍ଚପ୍ରେମୀ ଦୁଃସାହାସିକ କ୍ରୀଡ଼ା କୌଶଳର ମଜା ଉଠାଇ ପାରିବେ ଯାହାକୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍ ମାଧ୍ୟମରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହାଦ୍ୱାରା ଆଗାମୀ ଦିନରେ ଗୋପାଳପୁର ସହର ଟୁରିଷ୍ଟଙ୍କ କ୍ରେଜ୍ ପାଲଟିବ ଓ ଏଠାକୁ କେବଳ ରାଜ୍ୟ ତଥା ଦେଶ ନୁହେଁ, ବିଦେଶରୁ ମଧ୍ୟ ଅଧିକରୁ ଅଧିକ ସଂଖ୍ୟାରେ ଭ୍ରମଣକାରୀ ଛୁଟି ଆସିବେ ତାହା ନିଶ୍ଚିତ।

ସି-ବିଚ୍ ଟୁରିଜିମ୍ ପାଇଁ ଜାତୀୟସ୍ତରରେ ପ୍ରସିଦ୍ଧ ଗୋପାଳପୁରକୁ ଏଣିକି ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଧିରେ ଧିରେ ହାସଲ ହେବାରେ ଲାଗିଛି। ବିଜୁ ଆଡ୍‌ଭେଞ୍ଚର୍ ପାର୍କ ଭର୍ଚୁଆଲ୍ ଉଦ୍‌ଘାଟନ ଅବସରରେ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ- “ଏହା ଗୋପାଳପୁରରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ସହ ଯୁବଗୋଷ୍ଠୀକୁ ଦୁଃସାହାସିକ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବ”। ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରକାରେ ଗୋପାଳପୁରକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏବେ ଅନ୍ୟତମ ଆକର୍ଷଣ ସାଜିବ ବିଜୁ ଆଡ୍‌ଭେଞ୍ଚର ପାର୍କ। ବିସ୍ତୀର୍ଣ୍ଣ ବେଳାଭୂମି, ସୁନୀଳ ଜଳରାଶି, ସମୁଦ୍ର ନଈ ମୁହାଣର ପ୍ରାକୃତିକ ସୌନ୍ଦର୍ଯ୍ୟ ବ୍ୟତୀତ ଏବେ ଦୁଃସାହାସିକ କଳାକୌଶଳ ଆଧାରିତ ରିଭର୍ କ୍ରସିଂ ଜିପ୍ ଲାଇନ୍ ଭଳି ଅନେକ ପ୍ରକଳ୍ପ ପର୍ଯ୍ୟଟକଙ୍କୁ ଭରପୁର ମନୋରଞ୍ଜନ ଅବସର ଯୋଗାଇଦେବ।

କିମ୍ବଦନ୍ତୀ ବ୍ୟକ୍ତିତ୍ଵ ବିଜୁ ପଟ୍ଟନାୟକ ନୂତନ ବୈମାନିକ କୌଶଳ, ଦୁଃସାହାସିକ କୌଶଳକୁ ସମ୍ମାନ ଜଣାଇ ୨.୫ କୋଟିରେ ନିର୍ମିତ ଏହି ପାର୍କର ନାମକରଣ କରାଯାଇଛି। ଏଥିରେ ରହିଛି ୪୦ ଫୁଟ ଉଚ୍ଚ ଜିଆଣ୍ଟ୍ ୱିଙ୍ଗ୍, ଏୟାର୍ ଗନ୍ ସୁଟିଂ, ବନଗି ଟ୍ରାମ୍‌ପୋଲାଇନ୍, ମେକାନିକାଲ୍ ବୁଲ୍ ରାଇଡ୍, ନେଟଡ୍ କ୍ରିକେଟ୍, ଅଲ୍‌ ଟେରେଇନ୍ ଭେହିକଲ ରାଇଡ୍ ଭଳି ଅନ୍ୟାନ୍ୟ ଆକର୍ଷଣୀୟ ଓ ରୋମାଞ୍ଚରେ ଭରା ସୁବିଧା ସୁଯୋଗ। କେବଳ ଏତିକି ନୁହେଁ, ଆଗାମୀ ଦିନରେ ଉପଲବ୍ଧ ହେବ ରକ୍ କ୍ଲାଇମ୍ବିଂ, ରାପ୍ପଲିଂ, ଡ୍ୟାସିଂ କାର୍, ଜୋର୍‌ବିଂ ଆଦି ଆହୁରି ଅନେକ ରୋମାଞ୍ଚକର ଦୁଃସାହାସିକ ଉପକରଣ।

ଶୂନ୍ୟରେ ଝୁଲି ଝୁଲି ଯାଉଥିବେ। ତଳେ ପ୍ରବାହିତ ହେଉଥିବ ଜଳଧାରା। ନଜର ବୁଲାଇଲେ ସାମନାରେ ପଡୁଥିବ ସୁବିସ୍ତୃତ ବେଳାଭୂମି, ସମୁଦ୍ରର ଲହଡା ଓ ବିସ୍ତୀର୍ଣ୍ଣ ଜଳରାଶି ଆଦି। ପବନର ପ୍ରବାହ ଆପଣଙ୍କ ଶରୀରକୁ ରୋମାଞ୍ଚିତ କରୁଥିବ। ଏଭଳି ପରିବେଶ ନିଶ୍ଚିତ ଭାବେ ପର୍ଯ୍ୟଟକଙ୍କୁ ଆମୋଦିତ କରିବ। ସୁଉଚ୍ଚ ଡିଆଁ ମାରିବା, ବନ୍ଧୁକ ଚାଳନାର ମଜାଦାର ଅଭ୍ୟାସ, ଯାନ୍ତ୍ରିକ ଷଣ୍ଢ ପିଠିରେ ବସି ଅତ୍ୟନ୍ତ ଦୁଃସାହାସିକ ଭାବେ ଘୁରିବା, ତାର ଜାଲି ମଧ୍ୟରେ କ୍ରିକେଟ୍ ଅଭ୍ୟାସ, କାରରେ ବସି ଚାଳନା ସହ ପ୍ରତିପକ୍ଷ ସହ ଟକ୍କର ଆଦି ଅନେକ ମଜାଦାର ଓ ଦୁଃସାହାସିକ କଳାକୌଶଳରୁ ଭରପୁର ଆନନ୍ଦ ଉଠାଇ ପାରିବେ ପର୍ଯ୍ୟଟକ। ଏଗୁଡିକ ଏବେ ପର୍ଯ୍ୟଟକଙ୍କୁ ଅଧିକରୁ ଅଧିକ ଆକୃଷ୍ଟ କରିବା ନିଶ୍ଚିତ। ସେମାନେ ଏଠି ଆମୋଦପ୍ରମୋଦ ସକାଶେ ଯାବତୀୟ ସୁବିଧାର ଲାଭ ପାଇପାରିବେ।

ଏହି ଦୁଃସାହାସିକ ଆମୋଦପ୍ରମୋଦ ଉଦ୍ୟାନ ନେଇ ବ୍ରହ୍ମପୁର ସାଂସଦ କହିଛନ୍ତି ଯେ- ପର୍ଯ୍ୟଟନସ୍ଥଳୀ ଗୋପାଳପୁରରେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ତରଫରୁ ବହୁ ଉନ୍ନୟନମୂଳକ କାମ ଚାଲୁ ରହିଛି। ଆଗାମୀ ଦିନରେ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବହୁ ଉନ୍ନତିମୂଳକ ଯୋଜନା କାର୍ଯ୍ୟକାରୀ କରାଯିବ। ସେହିପରି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି ଯେ- ଗୋପାଳପୁର ଛକରୁ ବେଳାଭୂମି ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଶୀଘ୍ର ଆଲୋକୀକରଣ କରାଯିବ। ଶୀଘ୍ର ଇକୋ ରିଟ୍ରିଟ୍ କଟେଜ୍ ଉଦ୍‌ଘାଟିତ ହେବ ।

ପୂର୍ବରୁ ହିଁ ଗୋପାଳପୁରରେ ଅନେକ ସୌନ୍ଦର୍ଯ୍ୟମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ସାରିଛି। ସେଲ୍‌ଫି ପଏଣ୍ଟ, ମିନି ପାର୍କ, ଶିଶୁ ଉଦ୍ୟାନ, ଫାଉଣ୍ଟେନ୍ ଆଦି ପର୍ଯ୍ୟଟକଙ୍କୁ ଏକ ଆନନ୍ଦକର ପରିବେଶ ଯୋଗାଇ ଦେଉଛନ୍ତି। ଶୀଘ୍ର ଇକୋ ରିଟ୍ରିଟ୍ ସେଣ୍ଟର ଉଦ୍‌ଘାଟନ ହେବାକୁ ଯାଉଛି। ସେହିପରି ଗୋପାଳପୁର ବତୀ ଘରକୁ ମଧ୍ୟ ଏକ ପର୍ଯ୍ୟଟନସ୍ଥଳ ଭାବେ ଗଢି ତୋଳିବାର ଯୋଜନା ରହିଛି। ଗୋପାଳପୁର ନିକଟ ତାମ୍ପରା ଜଳକ୍ରୀଡା କେନ୍ଦ୍ର, ହରିପୁର ଓ ଧବଳେଶ୍ଵର ସମୁଦ୍ର କୂଳ ଆଦି ମଧ୍ୟ ପର୍ଯ୍ୟଟକଙ୍କୁ ଏକାଧିକ ଦର୍ଶନୀୟ ସ୍ଥାନ ବୁଲିବାର ସୁବିଧା ଉପଲବ୍ଧ କରାଇବ। ଆଉ ଗୋପାଳପୁର ଟୁରିଷ୍ଟ କ୍ରେଜ୍ ପାଲଟିବା ନିଶ୍ଚିତ।

Comments are closed.