ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ କମ୍ପିଲା ସମ୍ବଲପୁର

ସମ୍ବଲପୁର : ଦୀର୍ଘ 2 ବର୍ଷର ବ୍ୟବଧାନ ପରେ ଏବର୍ଷ ସ୍ବାଭାବିକ ଭାବେ ମହା ଆଡମ୍ବରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବାହାରିଛି। ଏଥର ଶୋଭାଯାତ୍ରାରେ ପ୍ରଥମ କରି ରାଜ୍ୟ ତଥା ରାଜ୍ୟ ବାହାରର ବହୁ ସାଂସ୍କୃତିକ ଦଳ ସାମିଲ ହୋଇଥିବା ବେଳେ ଜୟ ଶ୍ରୀରାମ ଧ୍ବନୀରେ ସାରା ସମ୍ବଲପୁର ପ୍ରକମ୍ପିତ ହୋଇଛି। ସେପଟେ, ପ୍ରତିବର୍ଷ ଏହି ଶୋଭାଯାତ୍ରାରେ ସାଂପ୍ରଦାୟିକ ଗଣ୍ଡଗୋଳର ଆଶଙ୍କା ରହୁଥିବା ବେଳେ ଏବର୍ଷ ସଂପୂର୍ଣ ଭାବେ ଶାନ୍ତିଶୃଙ୍ଖଳାରେ ସଂପନ୍ନ ହୋଇଛି। ସେହିପରି ଆୟୋଜକଙ୍କ ପକ୍ଷରୁ କୌଣସି ସ୍ଥାନରେ ଅସ୍ତ୍ଶଂସ୍ତଂ୍ ପ୍ରଦର୍ଶନ ହୋଇନାହିଁ।

ଆଜି ଅପରାହ୍ନରେ ସହରର ଧନକଉଡା, ମୋତିଝରଣ, ସୋନାପାଲି ଅଞ୍ଚଳର ବିଭିନ୍ନ କମିଟିର ଶୋଭାଯାତ୍ରା ଆସି ଜିଲ୍ଲା ସ୍କୁଲ ଛକରେ ପହଞ୍ଚିଥିଲା। ସେଠାରେ ବୃକ୍ସହିଲ ସ୍ଥିତ ହନୁମାନ ମନ୍ଦିରରେ ସମନ୍ବୟ ସମିତି ପକ୍ଷରୁ ପୂଜାର୍ଚ୍ଚନା ପରେ ମହା ଆଳତୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ଜୟନାରାୟଣ ମିଶ୍ର, ବିଧାୟକ ନାଉରୀ ନାଏକଙ୍କ ସମେତ ଆରଏସଏସର ପଶ୍ଚିମ ଓଡିଶା ମୁଖ୍ୟ ବିପିନ ନନ୍ଦ, ସତ୍ୟନାରାୟଣ ପଣ୍ଡା ଏବଂ ବାବୁଲି ବହିଦାରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ। ସେଠାରୁ ଶୋଭାଯାତ୍ରା ବାହାରିଥିଲା ଲକ୍ଷ୍ମୀ ଟକିଜ ଆଡକୁ। ଗୋଲବଜାର ଛକରେ ଶୋଭାଯାତ୍ରା ଶେଷ ହୋଇଥିଲା। ଶୋଭାଯାତ୍ରା ବେଳେ ସବୁ କମିଟି ପକ୍ଷରୁ ରାସ୍ତା ଉପରେ ଭବ୍ୟ ଆଖଡା ପ୍ରଦର୍ଶନ ହୋଇଥିଲା। ଏଥିରେ ଚିତାକର୍ଷକ କ୍ରୀଡା ଏବଂ ବାଡି ଖେଳ ଆକର୍ଷଣର କେନ୍ଦ୍ର ପାଲଟିଥିଲା। ଏଥର ମୁଖ୍ୟ କମିଟିରେ 15 ଫୁଟ୍ ଉଚ୍ଚତାର ହନୁମାନଙ୍କ ମେଢ ମୁଖ୍ୟ ଆକର୍ଷଣ ସାଜିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଏସପି ବାତୁଳା ଗଙ୍ଗାଧରଙ୍କ ନେତୃତ୍ବରେ 30 ପ୍ଲାଟୁନ୍ ପୁଲିସ ଫୋର୍ସ ସହିତ 150 ଏସଆଇ ଏବଂ ଏଏସଆଇ, 31 ଇନ୍ସପେକ୍ଟର, 2 ଜଣ ଅତିରିକ୍ତ ଏସପି ମୁତୟନ ହୋଇଥିଲେ।

Comments are closed.