ମାଟି ତଳୁ ବାହାରିଲା 32 ଲକ୍ଷ ଚୋରି ଟଙ୍କା, 4 ଗିରଫ

ସମ୍ବଲପୁର : ମାଟି ତଳୁ ବାହାରିଲା ପୁଳା ପୁଳା ଟଙ୍କା। ଏକ ଅଖାରେ ଭର୍ତ୍ତି ଏହି ଟଙ୍କା ବିଡା ହେଉଛି ଦିନକ ତଳେ ସହରର ହୋଟେଲ ଶିଲା ଟାୱାରରୁ ଚୋରି ହୋଇଥିବା ଟଙ୍କା। ପୁଲିସ ଏହି ଘଟଣାରେ 4 ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କ ନିକଟରୁ ଲୁଟ୍ ହୋଇଥିବା 32 ଲକ୍ଷ 10 ହଜାର ଟଙ୍କା ଜବତ କରାଯାଇଛି। ଅଭିଯୁକ୍ତ ଏହି ଟଙ୍କା ନିଜ ଘର ବାରିପଟେ ଗାତ ଖୋଳି ରଖିଥିବା ଅବସ୍ଥାରେ ପୁଲିସ ଉଦ୍ଧାର କରିଥିବା ନେଇ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅଭିଯୁକ୍ତମାନେ ହେଲେ ଏହି ହୋଟେଲର ପୂର୍ବତନ ବାର୍ ଆଟେଣ୍ଡାଣ୍ଟ ଦେବଗଡ଼ ଜିଲ୍ଲା ରିଆମାଳ ଥାନା ବନାକାଲ ଗ୍ରାମର ରାକେଶ ଓରଫ ଦିଲେଶ୍ବର ବେହେରା, ସହକାରୀ ରୋଷେୟା ଭାବେ କାର୍ଯ୍ୟରତ କଟକ ଜିଲ୍ଲା ନରସିଂହପୁର ଥାନା ଡାଲକ ଗ୍ରାମର ମାନସ ପ୍ରଧାନ, ବେଟର ଭାବେ କାର୍ଯ୍ୟରତ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଦଣ୍ଡସିଂଘା ଗ୍ରାମର ଯୋଗେଶ୍ବର ବେହେରା ଓ ରିସେପସନିଷ୍ଟ ଭାବେ କାର୍ଯ୍ୟରତ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିନ୍ଧିଜୁବା ଗ୍ରାମର ଗୋବିନ୍ଦ ମଲ୍ଲିକ।

ପୁଲିସ୍ ସୂଚନା ଅନୁସାରେ, ରାକେଶ ଶିଲା ଟାବାରରେ ବାର୍ ଆଟେଣ୍ଡାଣ୍ଟ ଭାବେ କାମ କରୁଥିଲା। ଦେଢ଼ମାସ ହେବ ସେ ହୋଟେଲରୁ କାମ ଛାଡ଼ିଥିଲା। ଘଟଣାର 4 ଦିନ ପୂର୍ବରୁ ସେ ଚୋରିର ଯୋଜନା କରିଥିଲା। ଏଥିପାଇଁ ହୋଟେଲରେ କାର୍ଯ୍ୟରତ ଅନ୍ୟ 3 ଜଣଙ୍କୁ ସେ ନିଜ ଯୋଜନାରେ ସାମିଲ୍ କରି ବ୍ଲୁପ୍ରିଣ୍ଟ ବି ପ୍ରସ୍ତୁତ କରିଥିଲା। ପୂର୍ବ ଯୋଜନା ଅନୁସାରେ 15 ତାରିଖ ରାତିରେ ମାନସ, ଯୋଗେଶ୍ବର ଓ ଗୋବିନ୍ଦ ହୋଟେଲର କିଚେନରେ ରହିବା ସହ ପଛପଟ ଗେଟ୍ ଖୋଲା ରଖିଥିଲେ। ଏହି ସମୟରେ ରାକେଶ ହୋଟେଲ ପଛପଟରେ ମରାମତି ପାଇଁ ବନ୍ଧା ଯାଇଥିବା ବାଉଁଶ ଦ୍ବାରା ଚଢ଼ିବା ସହ ଚତୁର୍ଥ ମହଲାରେ ପହଞ୍ଚିଥିଲା। ଚତୁର୍ଥ ମହଲାରେ ସିସିଟିଭି ପୂର୍ବରୁ ହିଁ ଅଚଳ ରହିଥିଲା। ଏହାପରେ ରାକେଶ ଅଫିସ୍ ଭିତରକୁ ପଶିବା ସହ ସ୍କୃ ବାରରେ ଆଲମାରୀର ଡୋରକୁ ତାଡ଼ିଥିଲା ଓ ଭିତରେ ଥିବା 39 ଲକ୍ଷ ଟଙ୍କା କାଢ଼ିବା ପରେ କିଚେନ୍ ବାଟ ଦେଇ ବାହାରକୁ ଚାଲିଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହୋଟେଲ କର୍ମଚାରୀଙ୍କୁ ପୁଲିସ୍ ଅଟକ ରଖି ପଚରାଉଚରା କରିବା ପରେ ତମାମ୍ କାରନାମା ସମ୍ପର୍କରେ ଜାଣିବାକୁ ପାଇଥିଲା। ଏହାପରେ ପୁଲିସ୍ ତଦନ୍ତ କରିବା ସମୟରେ ରାକେଶ ସମ୍ପର୍କରେ ଜାଣି ଦେବଗଡ଼ରେ ଯାଇ ସର୍ଚ୍ଚ କରିଥିଲା। ରାକେଶ ନିଜ ଘର ପଛପଟେ ଏହି ଟଙ୍କାକୁ ମାଟି ତଳେ ପୋତିଥିବା ଅବସ୍ଥାରେ ପୁଲିସ୍ ଉଦ୍ଧାର କରିଥିଲା। ସଦର ଏସଡିପିଓ ପ୍ରଦୀପ ସାହୁଙ୍କ ନେତୃତ୍ବରେ ଗଠନ ହୋଇଥିବା ଏହି ଟିମରେ ଆଇଆଇସି ଅନିତା ପ୍ରଧାନ, ଏସ୍ଆଇ ଟେକଚନ ବାହାବଲ କଟୁଆ, ସାଇବର ସେଲର ବିନୋଦ ସାହୁ, ଏଏସ୍ଆଇ ଏମଡି ଜାହାଙ୍ଗୀର, କନେଷ୍ଟବଳ ପରମାନନ୍ଦ କ୍ଷେତୀ ଓ ହୋମଗାର୍ଡ ପ୍ରମୋଦ ନାଏକ ରହିଥିଲେ।

Comments are closed.