ସମ୍ବଲପୁର : ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ଦିଗରେ ରାଜ୍ଯ ସରକାରଙ୍କ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ। ସମ୍ବଲପୁର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ଅଞ୍ଚଳର ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ଏକ ବିରାଟ ପ୍ରକଳ୍ପ ହାତକୁ ନିଆଯାଇଛି। କୁଚିଣ୍ଡାରେ ହେବ ପୋଷାକ କାରଖାନା। ଏଥିରେ ୫ ଶହ ମହିଳାଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ। ୨.୯୯ କୋଟି ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପରେ ୫୦ଟି ଏସ୍ଏଚଜିର ୫୦୩ ମହିଳାଙ୍କୁ ନିଯୁକ୍ତି ମିଳିବ। ଏନେଇ ଗତକାଲି ରାଜ୍ଯ ସରକାରଙ୍କ ଓରମାସ୍ ଏବଂ କେନ୍ଦ୍ର ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରାଳୟର ଖଦି ଓ ଗ୍ରାମଦ୍ୟୋଗ ଆୟୋଗ (କେଭିଆଇସି) ବିଭାଗ ସହ ଏମ୍ଓୟୁ ସ୍ବାକ୍ଷରିତ ହୋଇଛି।
କୁଚିଣ୍ଡା ଅର୍ଡାବାହାଲରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହେବାକୁ ଯାଉଛି ପୋଷାକ ଉତ୍ପାଦନ କେନ୍ଦ୍ର। ଯେଉଥିରେ 5 ଶହ ମହିଳାଙ୍କୁ ମିଳିବ ମାସିକ ରୋଜଗାର। ଏଥିପାଇଁ ବ୍ଲୁପ୍ରିଣ୍ଟ ସରିଛି। ଏନେଇ ଗତକାଲି ଦିନ ଭୁବନେଶ୍ବରରେ ଓରମାସ ଓ କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରାଳୟ ଅଧୀନ ଖଦି ଓ ଗ୍ରାମଦ୍ୟୋଗ ଆୟୋଗ(କେଭିଆଇସି) ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ସମ୍ବଲପୁର ଜିଲ୍ଲା ଆଦିବାସୀ ବହୁଳ ବ୍ଲକ କୁଚିଣ୍ଡାର ଅର୍ଡାବାହାଲରେ ଆରମ୍ଭ ହେବ ପୋଷାକ ଉତ୍ପାଦନ କେନ୍ଦ୍ର। କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରାଳୟ ଅଧୀନ ସ୍ଫୁର୍ତି(ଏସ୍ଏଫୟୁଆରଟିଆ) ଯୋଜନାରେ 2.99 କୋଟି ଟଙ୍କା ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ। କେନ୍ଦ୍ର 90 ଓ ରାଜ୍ୟ ସରକାର 10 ପ୍ରତିଶତ ଟଙ୍କା ଏଥିରେ ବିନିଯୋଗ କରିବେ। ଏହାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ପ୍ରଶାସନ ଓ ଓରମାସ୍ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯାହାକି 2023 ମାର୍ଚ୍ଚ ସୁଦ୍ଧା ଏହାର କାମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ସମ୍ବଲପୁର ଓରମାସ୍ ଉପମୁଖ୍ୟ କାର୍ଯ୍ଯନିର୍ବାହୀ ଅଧିକାରୀ ଶ୍ରୀମନ୍ତ ହୋତା କହିଛନ୍ତି, ଏହି ପ୍ରକଳ୍ପରେ 50ଟି ସ୍ବୟଂ ସହାୟକ ଗୋଷ୍ଠୀର 503 ଜଣ ମହିଳା ଏଥିରେ ସିଧାସଳଖ ନିଯୁକ୍ତି ପାଇବେ। 250ଟି ସିଲେଇ ମେସିନ୍ ଦିଆଯାଇ ସେମାନଙ୍କ ପାଇଁ ବାର୍ଷିକ ରୋଜଗାର ସୃଷ୍ଟି କରାଯିବ। ଏହା ସହ ତିଆରି ହୋଇଥିବା ପୋଷାକକୁ ବିକ୍ରି ପାଇଁ ଓରମାସ୍ ମଧ୍ୟ ସମସ୍ତ ସୁବିଧା କରିବ ବୋଲେ ସେ ସୂଚନା ଦେଇଛନ୍ତି।
ଏହାସହ ଶ୍ରୀ ହୋତା କହିଛନ୍ତି, ପ୍ରଥମ ପର୍ଯ୍ଯାୟରେ ଜିଲ୍ଲାରେ ଥିବା ସମସ୍ତ ଅଙ୍ଗନବାଡିର ପୋଷାକ ତିଆରି ପାଇଁ ଯୋଜନା କରାଯାଇଛି। ଏହା ପରେ ଜିଲ୍ଲାରେ ଥିବା ସରକାରୀ ବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନର ୟୁନିଫର୍ମ ତିଆରି ପାଇଁ ଯୋଜନା କରାଯାଇଛି। ଏଥିରେ ସଫଳ ହେଲେ ଆଗକୁ ସମ୍ବଲପୁରୀ କପଡ଼ାରେ ବିଭିନ୍ନ ଡିଜାଇନର ଡ୍ରେସ୍ ପ୍ରସ୍ତୁତ କରାଯିବ। ଫଳରେ ହସ୍ତତନ୍ତର ପ୍ରଚାର ପ୍ରସାର ସହ ମହିଳାଙ୍କୁ ରୋଜଗାର ମିଳିବ। ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପ୍ରତି ମହିଳା ମାସିକ 8 ହଜାର ଲେଖାଏଁ ଆୟ କରିପାରିବେ ବୋଲି ଶ୍ରୀ ହୋତା କହିଛନ୍ତି। ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବ୍ଲକ ଚିର ମରୁଡ଼ିଗ୍ରସ୍ତ ଅଞ୍ଚଳ। ଏଠାରେ ଦୁର୍ବଳ ଆର୍ଥିକ ଶ୍ରେଣୀର ଲୋକଙ୍କ ସଂଖ୍ୟା ଅଧିକ। ତେବେ ଏଭଳି ଅନୁନ୍ନତ ଅଞ୍ଚଳରେ ଗୋଟିଏ ଥରେ 5 ଶହ ମହିଳା ନିଯୁକ୍ତି ପାଇବା ନିଶ୍ଚିତ ଭାବେ ବଡ଼ ଉପଲବ୍ଧି ବୋଲି କୁହାଯାଉଛି।
ଗତକାଲି ଏମ୍ଓୟୁ ସ୍ବାକ୍ଷର ସମୟରେ ଉଭୟ ବିଭାଗର ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।
Comments are closed.