ପ୍ରଥମ ଦିନର ମାଟ୍ରିକ୍ ପରୀକ୍ଷା ଶେଷ, ପରୀକ୍ଷା ଦେଲେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ

ଭୁବନେଶ୍ୱର – ସରିଲା ପ୍ରଥମ ଦିନର ମାଟ୍ରିକ ପରୀକ୍ଷା । କୋଭିଡ୍ କଟକଣା ଭିତରେ ପରୀକ୍ଷା ଦେଇଛନ୍ତି ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । କରୋନା ଯୋଗୁଁ ଗତ ଦୁଇ ବର୍ଷ ହେଲା, ସିଧାସଳଖ ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେଇନଥିଲେ ଛାତ୍ରଛାତ୍ରୀ । ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପିଲାମାନଙ୍କୁ ମାର୍କ ଦିଆଯାଇ ଫଳାଫଳ ପ୍ରକାଶ କରାଯାଇଥିଲା । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା । ଦିନ ୧୦ଟାରେ ଶେଷ ହୋଇଛି ।

ପରୀକ୍ଷାର ଅଧଘଂଟା ପୂର୍ବରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିଥିଲେ । କପି ରୋକିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ସମସ୍ତ ପରୀକ୍ଷାଗୁଡିକୁ ଗୋଟିଏ ସିଟିଂରେ ସୀମିତ ରଖାଯାଇଛି । ଚଳିତଥର ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟ ବା ନିକଟତମ ବିଦ୍ୟାଳୟରେ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଛି । ବୋର୍ଡ, ଜିଲ୍ଲା ଶିକ୍ଷାଧିକାରୀ, ଗଣଶିକ୍ଷା ବିଭାଗ ଏବଂ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍କ୍ୱାଡ୍ ଗଠନ କରାଯାଇଛି । ମେ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବ ।

ସେପଟେ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଭୁବନେଶ୍ୱର ୟୁନିଟ୍-୧ ବିଦ୍ୟାଳୟରେ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

Comments are closed.