ପୋଲ-ତଥା-ଜଳଧାରକ ନିର୍ମାଣ କୌଶଳର ବ୍ୟାପକ ପ୍ରୟୋଗ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ବ, ୩ ବର୍ଷିଆ କାର୍ଯ୍ୟଯୋଜନା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ପୋଲ ତଥା ବଳଧାରକ ( ବ୍ରିଜ୍ – କମ୍ – ଓ୍ବାଟର ଓୟାର ) ନିର୍ମାଣ କୌଶଳକୁ ରାଜ୍ୟର ସବୁ ଜିଲ୍ଲାରେ ବ୍ୟାପକଭାବେ ପ୍ରୟୋଗ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପୂର୍ବରୁ ପରୀକ୍ଷାମୂଳକ ଭାବେ କରାଯାଇଥିବା ଏପରି ନିର୍ମାଣର ଫଳାଫଳକୁ ଅନୁଧ୍ୟାନ କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ପୁର୍ଣ୍ଣ ବିଭାଗ ପ୍ରମୁଖ ଶାସନ ବୀର ବିକ୍ରମ ଯାଦବ ଉକ୍ତ ବୈଷୟିକ କୌଶଳର କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ପ୍ରଶାସନିକ ଓ ଆର୍ଥିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଏହି ପଦ୍ଧତିରେ ପୋଲ ତଳେ ଅଳ୍ପ ଉଚ୍ଚତା ବିଶିଷ୍ଟ ଜଳଧାରକ ନିର୍ମାଣ କରାଯାଏ ଯାହାକି ବୋହିଯାଉଥିବା ବର୍ଷାଜଳକୁ ପ୍ରାୟ ୧ ରୁ ୧.୫ ମିଟର ଉଚ୍ଚତା ପର୍ଯ୍ୟନ୍ତ ଧାରଣ କରେ । ଉଦ୍‌ବୃତ୍ତ ଜଳ ପୋଲର ଅନ୍ୟପଟକୁ ସ୍ବାଭାବିକ ଭାବେ ପ୍ରବାହିତ ହୁଏ ।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ସ୍ଵଳ୍ପ – ଖର୍ଚ୍ଚ ଭିତ୍ତିକ ଏହି ସବୁ ନିର୍ମାଣର ବହୁମୁଖୀ ସୁଫଳ ରହିଛି । ୧ ରୁ ୨ କି.ମି. ଦୀର୍ଘ ପର୍ଯ୍ୟନ୍ତ ନଦୀ ଶଯ୍ୟାରେ ଜଳ ପତନ ଅଧିକ ରହିଥାଏ । ଏହା ଭୁତଳ ଜଳ ପ୍ରତିପୂରଣରେ ସହାୟକ ହୁଏ । ସଂଚିତ ଜଳକୁ କୃଷି , ପାନୀୟ ଜଳ ପ୍ରକଳ୍ପ ଆଦି ପାଇଁ ବ୍ୟବହାର କରିହୁଏ । ଜମିର ଆର୍ଦ୍ରତା ମଧ୍ୟ ବଢ଼ିଥାଏ ।

ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଥିଲେ ଯେ ବ୍ରିଜ-କମ-ଓ୍ବାଟର ଓୟାର ନିର୍ମାଣ ନଦୀର ସାଧାରଣ ଜଳପ୍ରବାହ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପକାଏ ନାହିଁ । ଏହା ଦୁଇଟି ପଦ୍ଧତିରେ କରାଯାଇପାରେ । ସ୍ବୟଂଚାଳିତ ଗେଟ୍ ପଦ୍ଧତି ବା ବିନାଗେଟରେ କେବଳ ଜଳ ଧାରକ ନିର୍ମାଣ ପଦ୍ଧତି । ଏହି ଉଭୟ ପଦ୍ଧତି ଆମ ରାଜ୍ୟ ପାଇଁ ଉପଯୋଗୀ । ଏ ପ୍ରକାର ନିର୍ମାଣ ନିମନ୍ତେ ଯୋଗ୍ୟ ସମସ୍ତ ଗ୍ରାମ ଉନ୍ନୟନ ରାସ୍ତା ଓ ପୁର୍ତ୍ତବିଭାଗ ରାସ୍ତାରେ ଥିବା ପୋଲଗୁଡିକୁ ଚିହ୍ନଟ କରିବା ପାଇଁ ମହାପାତ୍ର ପୁର୍ଣ୍ଣ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏହି କାର୍ଯ୍ୟ ସାରିବା ପାଇଁ ଏକ ୩ – ବର୍ଷିଆ କାର୍ଯ୍ୟ – ଯୋଜନା ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ୩ ବର୍ଷ ମଧ୍ୟରେ ପ୍ରାୟ ୧୦୦୦ ଟି ଏହିପରି ଜଳ ଧାରକ ନିର୍ମାଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

ପ୍ରମୁଖ ଶାସନ ସଚିବ ଯାଦବ ଜଣାଇଥିଲେ ଯେ ପରୀକ୍ଷାମୂଳକ ଭିତ୍ତିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୪୯ ଟି ନିର୍ମାଣ ନିଆଯାଇଥିଲା । ଏଥି ମଧ୍ୟରୁ ୧୨ ଟିର ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି । ବର୍ଷାଋତୁର ଜଳପ୍ରବାହରେ ମଧ୍ୟ ଏପରି ଚେକ୍ ଡ୍ୟାମ୍‌ କ୍ଷତିଗ୍ରସ୍ତ ହୋଇନାହିଁ ।

ଜଳଧାରକ ନିକଟବର୍ତ୍ତୀ ସ୍ଥାନର ଉଭୟ ପାର୍ଶ୍ଵ ଜମିକୁ ଉଠାପାଇପ୍ ମାଧ୍ୟମରେ ଜଳସେଚନ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜଳ ସଂପଦ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହି ସ୍ଥାନର କୃଷକମାନଙ୍କୁ ଅଣଧାନ ଅର୍ଥକରୀ ଫସଲ ଉତ୍ପାଦନ ନିମନ୍ତେ ପ୍ରୋତ୍ସାହିତ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ଉଦ୍ୟାନ ବିଭାଗଙ୍କୁ କହିଥିଲେ । ନିର୍ମାଣାଧନ ଅବଶିଷ୍ଟ ୩୭ ଟି ଜଳଧାରକ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିଭିରେ ଶେଷ କରିବାକୁ ପୁର୍ତ୍ତ ବିଭାଗଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ପୁର୍ତ୍ତ ବିଭାଗ ସ୍ବତନ୍ତ୍ର ଶାସନ ସଚିବ ତଥା ସର୍ବୋଚ୍ଚ ଯନ୍ତ୍ରୀ ମନୋରଂଜନ ମିଶ୍ର କହିଥିଲେ ଯେ ଢେଙ୍କାନାଳ , କଳାହାଣ୍ଡି , ମୟୁରଭଞ୍ଜ ଓ ଭଦ୍ରଖ ଜିଲ୍ଲାର ବିଭିନ୍ନ ନଦୀ ଓ ନାଳ ଉପରେ ଥିବା ହାଇ ଲେଭେଲ୍ ପୋଲ ତଳେ ଏପରି ୧୨ ଟି ୱାଟର – ଓୟାର ନିର୍ମାଣ କରାଯାଇଛି । ଅନୁଗୁଳ , ଢ଼େଙ୍କାନାଳ , ଯାଜପୁର , ଗଞ୍ଜାମ , କେନ୍ଦୁଝର , କଳାହାଣ୍ଡି , ବଲାଙ୍ଗିର ଏବଂ ସୁନ୍ଦରଗଡ ଆଦି ଜିଲ୍ଲାରେ ଅବଶିଷ୍ଟ ୩୭ଟି ୱାଟର – ଓୟାର ନିର୍ମାଣ କରାଯାଉଛି । ସାଧାରଣତଃ ୧ ମି . ୱାଟର – ଓୟାର ନିର୍ମାଣ ପାଇଁ ୧ ରୁ ୧.୫ ଲକ୍ଷ ଟଙ୍କା ବିନିଯୋଗ ହେଉଛି ଯାହାକି ପ୍ରାୟ ୧୦୦୦ ଘନ ମି . ଜଳ ଧାରଣ କରିପାରୁଛି । ଗୋଟିଏ ୩୦ ମି . ପୋଲତଳେ କରାଯାଇଥିବା ୱାଟର – ଓୟାର ୩୦ , ୦୦୦ ଘନ ଫୁଟ ଜଳ ଧାରଣ କରିପାରିବ ଏବଂ ନଦୀ ଶଯ୍ୟାରେ ଏହି ଜଳ ପତନ ପ୍ରାୟ ୧ ରୁ ୨ କି.ମି. ପର୍ଯ୍ୟନ୍ତ ବ୍ୟାପ୍ତ ରହିବ । ଉନ୍ନୟନ କମିଶନର ଏବଂ ଗ୍ରାମ ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା , ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ , ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ , ପୁର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.