ଧର୍ମୀୟ ଓ କୃଷିଭିର୍ତିକ ପର୍ବ ଅକ୍ଷୟ ତୃତୀୟା

ବୈଶାଖ ଶୁକ୍ଳ ତୃତୀୟା ତିଥିରେ ପାଳନ କରାଯାଏ ଅକ୍ଷୟ ତୃତୀୟା । ଏହି ଦିନକୁ ଓଡ଼ିଶାରେ ସାଧାରଣ ତ କୃଷକ ଦିବସ ରୂପେ ପାଳନ କରାଯାଏ। କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରେ। ଶୁଭଦିନ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ମଧ୍ୟ କରାଯାଇ ଥାଏ।

ଅକ୍ଷୟ ତୃତୀୟାର ଶୁଭ ମୁହୂର୍ତ୍ତରେ ଚାଷୀ ନିଜ ସହ ଧର୍ମିଣୀଙ୍କ ଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ, ବିହନଭରା ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂଆ ଟୋକେଇରେ ପିଠା ସହିତ ହଳଲଙ୍ଗଳ ଧରି କ୍ଷେତକୁ ଯାଏ। ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ। ଏହାକୁ ଅକ୍ଷିମୁଠି କୁହାଯାଏ। ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି । ଏହିଦିନଟି ଓଡିଶାର ମହାନ ସଂସ୍କୃତି ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ମଧ୍ୟ ଜଡିତ।

ଏହି ତିଥିରେ ଶ୍ରୀଜୀଉମାନଙ୍କର ପବିତ୍ର ଘୋଷଯାତ୍ରା ନିମନ୍ତେ ରଥନିର୍ମାଣ ପାଇଁ କାଠ ଅନୁକୂଳ କରାଯାଏ। ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗ ହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି। ତିନିରଥ ପାଇଁ ଉଦ୍ଦିଷ୍ଟ ତିନିଗୋଟି କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଏ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ସହ ଚନ୍ଦନକୁ ବିଜେ କରିଥିବା ଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି। ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ବିଧି ମୁତାବକ ସମ୍ପର୍ଣ୍ଣ କରିଥାନ୍ତି ।

ରଥ ତ୍ରୟର ରୂପକାର, କମାର, ଚିତ୍ରକର, ଭୋଇ, ଅମୀନ ସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳନ କରାଯାଏ। ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅନୁସାରେ ରଥନିର୍ମାଣ କରାଯାଏ । ଏଥିରେ ୧୧୩୯ ଖଣ୍ଡ କାଠଲାଗିଥିବା ବେଳେ ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି ବ୍ୟବହାର ହୋଇଥାଏ।

ଏହି ଦିନ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ଏହା ଦୀର୍ଘ ୨୧ ଦିନବ୍ୟାପୀ ଚାଲିଥାଏ। ଏହା ସହିତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନ ଯାତ୍ରା ପାଳନ କରାଯାଏ । ଏହି ଚନ୍ଦନ ଯାତ୍ରା ଯଥାକ୍ରମେ ବାହାର ଚନ୍ଦନ ୨୧ ଓ ଭିତର ଚନ୍ଦନ୨୧ ଦିନ ଅର୍ଥାତ ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ବା ସ୍ନାନପୂର୍ଣ୍ଣିମାର ପୂର୍ବଦିନ ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ। ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ।

ବାହାର ଚନ୍ଦନରେ ରାମ, କୃଷ୍ଣ, ମଦନମୋହନ ଓ ଶ୍ରୀଦେବୀ-ଭୂଦେବୀ ଙ୍କ ସହିତ ପଞ୍ଚ ମହାଦେବ ବା ପଞ୍ଚପାଣ୍ଡଵ ଜଳକ୍ରୀଡା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରିଥାନ୍ତି। ଶ୍ରୀଜଗନ୍ନାଥଙ୍କର ଏହି ମାସର ନାମ ‘ମଧୁସୂଦନ’ ବୋଲି ଶାସ୍ତ୍ରରେ କୁହାଯାଇଛି । ଚାପରେ ଶ୍ରୀମଧୁସୂଦନଙ୍କୁ ଦର୍ଶନ କଲେ ଆଉ ପୁନର୍ଜନ୍ମ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି।

ଏହାସହ ଓଡ଼ିଶାର ବଳଦେବଜୀଉ ମନ୍ଦିରରେ କୃଷିର ଆରାଧ୍ୟ ଦେବ ହଳାୟୁଧ ବଳରାମଙ୍କର ରେବତୀଙ୍କ ସହ ବିବାହୋତ୍ସବ ଅନୁଷ୍ଠିତ ହୁଏ।

ପର୍ଶୁରାମ ଓ ଜୟଦେବଙ୍କ ଜୟନ୍ତୀ ଏହିଦିନ ପାଳନ କରାଯାଏ। ସମ୍ବଲପୁରରେ ଶୀତଳଶଷ୍ଠୀ ଯାତ୍ରାର ଶୁଭାରମ୍ଭ ହୋଇଥାଏ।

ଏହା ବ୍ୟତୀତ ବଦ୍ରୀନାଥ ଧାମ ଏହି ଦିନ ଖୋଲା ଯିବା ବିଧି ରହିଛି। ସତ୍ୟ ଓ ତ୍ରେତୟା ଯୁଗର ଆରମ୍ଭ ଏହି ଦିନ ଆରମ୍ଭ ହୋଇଥିଲା ବୋଲି ଶାସ୍ତ୍ରୀୟ ପ୍ରମାଣ ରହିଛି।

Comments are closed.