୫-ଟି ରୂପାନ୍ତରଣ: ସ୍କୁଲରେ ହେବ ସୌରଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ

ଛତ୍ରପୁର: ଗ୍ରୀଷ୍ମ ଦିନେ ସାରା ଦେଶରେ ବିଦ୍ୟୁତ୍ ସଙ୍କଟ। କେଉଁଠି କୋଇଲା ଅଭାବରୁ ବିଜୁଳି ଉତ୍ପାଦନ ହୋଇପାରୁନି ତ କେଉଁଠି ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ। ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପ ବେଳେ ଏଭଳି ଅବସ୍ଥା ଯୋଗୁଁ ସମସ୍ତେ ହନ୍ତସନ୍ତ। ତା ଉପରେ ପୁଣି ସାଧାରଣ ଲୋକଙ୍କ ପକେଟ୍ ଖାଲି କରି ଦେଉଥିବା ବିଜୁଳି ବିଲ୍। ହେଲେ ଏ ଦିଗରେ ବ୍ୟତିକ୍ରମ ସାଜିଥିବା ଆମ ରାଜ୍ୟ ଓଡ଼ିଶାରେ ଏବେ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଆଉ ଏକ ଆଦର୍ଶ ପଦକ୍ଷେପକୁ ବାସ୍ତବ ରୂପ ଦିଆଯାଉଛି। ସାଧାରଣ ବିଦ୍ୟୁତ୍‌ ସଂଯୋଗ ଉପରେ ନିର୍ଭର ନହୋଇ ପାଠପଢ଼ା କ୍ଷେତ୍ରରେ ଆଦର୍ଶ ସୃଷ୍ଟି କରିଥିବା ୫-ଟି ରୂପାନ୍ତରିତ ଉଚ୍ଚବିଦ୍ୟାଳୟ ଗୁଡ଼ିକୁ ଏବେ ବିଜୁଳି ଶକ୍ତି ପାଇଁ ଆତ୍ମନିର୍ଭରଶୀଳ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତାହାର ମାଧ୍ୟମ ପାଲଟିଛି ସୌର ଶକ୍ତି ଉତ୍ପାଦନ ୟୁନିଟ୍। ସାରା ରାଜ୍ୟରେ ୫-ଟି ଟ୍ରାନ୍ସଫର୍ମେସନ୍ ଜରିଆରେ ନବକଳେବର ପାଇଥିବା ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟଗୁଡ଼ିକରେ ଏବେ ସୌରଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରାଯାଉଛି। ଏହି ସୋଲାର୍ ୟୁନିଟ୍‌ରୁ ଉତ୍ପନ୍ନ ହେଉଥିବା ବିଦ୍ୟୁତ୍ ଶକ୍ତି ଜରିଆରେ ଶିକ୍ଷାନୁଷ୍ଠାନଗୁଡ଼ିକର ବିଭିନ୍ନ ବିଜୁଳିଜନିତ ଆବଶ୍ୟକତା ଅନେକମାତ୍ରାରେ ପୂରଣ ହୋଇପାରୁଛି। ସେମାନଙ୍କୁ ଆଉ ସାଧାରଣ ବିଦ୍ୟୁତ୍ ସଂଯୋଗ ଉପରେ ଅଧିକ ନିର୍ଭର କରିବାକୁ ପଡୁନି।

ଗତ ସପ୍ତାହରେ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ.ପାଣ୍ଡିଆନ, ଜଳସମ୍ପଦ ସଚିବ ଅନୁ ଗର୍ଗ ପ୍ରମୁଖ କୁକୁଡ଼ାଖଣ୍ଡି ବ୍ଲକ୍‌ର ପୁରୁଣାପାଟଣା ଉଚ୍ଚବିଦ୍ୟାଳୟ ଠାରେ ଏଭଳି ସୋଲାର୍ ୟୁନିଟ୍ ପ୍ରକଳ୍ପ ଉଦ୍‌ଘାଟନ କରିଥିଲେ। ଗଞ୍ଜାମ ଜିଲ୍ଲାର ୫୫୦ଟି ବିଦ୍ୟାଳୟ ନିମନ୍ତେ ସୌର-ଶକ୍ତି ପ୍ରକଳ୍ପକୁ ଶୁଭାରମ୍ଭ କରିବା ଅବସରରେ ୫-ଟି ସଚିବ କହିଛନ୍ତି ଯେ, ସ୍କୁଲରେ ସବୁଜ ଶକ୍ତିର ବ୍ୟବହାର ଅତି ଉଚ୍ଚମାନର ପଦକ୍ଷେପ। ଏହା ମାଧ୍ୟମରେ ବିଦ୍ୟାଳୟମାନେ ଦିନତମାମ ନିରବଚ୍ଛିନ୍ନ ବିଦ୍ୟୁତ୍ ପାଇପାରିବେ ଯାହାକି ଶିକ୍ଷାଗ୍ରହଣ ପାଇଁ ବେଶ ଫଳପ୍ରଦ ହେବ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳିକାଟୁ ବ୍ଲକର ପୋଚିଲିମା ଓ ମକରଝୋଳ ହାଇସ୍କୁଲରେ ମଧ୍ୟ ଏଭଳି ୟୁନିଟ୍ କାର୍ଯ୍ୟକ୍ଷମ ହୋଇସାରିଛି। ଏହାକୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିକଟରେ ଉଦ୍‌ଘାଟନ କରିଥିଲେ। ଆସନ୍ତା ୨ ମାସ ମଧ୍ୟରେ ହିଞ୍ଜିଳି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ଓ ଶେରଗଡ଼ ବ୍ଲକ୍ ତଥା ହିଞ୍ଜିଳି ପୌରାଞ୍ଚଳର ସମସ୍ତ ଉଚ୍ଚବିଦ୍ୟାଳୟରେ ଏଭଳି ସୋଲାର୍ ୟୁନିଟ୍ ସ୍ଥାପନ କରାଯିବ। ସେହିପରି ୬ ମାସ ମଧ୍ୟରେ ଜିଲ୍ଲାର ପ୍ରାୟ ସମସ୍ତ ସରକାରୀ ଉଚ୍ଚବିଦ୍ୟାଳୟରେ ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ଗଞ୍ଜାମ ଜିଲ୍ଲାର ସମସ୍ତ ୨୨ଟି ବ୍ଲକ୍‌ରେ ୫-ଟି ଟ୍ରାନ୍ସଫର୍ମେସନ୍‌ ହାଇସ୍କୁଲ ଗୁଡ଼ିକୁ ସୌରଶକ୍ତିରେ ପରିଚାଳିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୫୫୦ଟି ଉଚ୍ଚବିଦ୍ୟାଳୟ ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଆରମ୍ଭ ହୋଇଯାଇଛି। ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ହିଞ୍ଜିଳି ଓ ଶେରଗଡ଼ ବ୍ଲକ୍‌ର ୫୦ଟି ସମେତ ସାରା ଜିଲ୍ଲାର ମୋଟ ୧୩୩ଟି ସରକାରୀ ଉଚ୍ଚବିଦ୍ୟାଳୟକୁ ୫-ଟି ରୂପାନ୍ତରଣ କରାଯାଇଛି। ଦ୍ଵିତୀୟ ପର୍ଯ୍ୟାୟରେ ଶୀଘ୍ର ଜିଲ୍ଲାର ଆଉ ୨୩୩ଟି ସରକାରୀ ଉଚ୍ଚବିଦ୍ୟାଳୟର ୫-ଟି ରୂପାନ୍ତରଣ ହେବାକୁ ଯାଉଛି। ତୃତୀୟ ପର୍ଯ୍ୟାୟରେ ଜିଲ୍ଲାର ଅବଶିଷ୍ଟ ୧୮୪ ସରକାରୀ ହାଇସ୍କୁଲ ୫-ଟି ରୂପାନ୍ତରଣ ଯୋଜନାରେ ଅନ୍ତର୍ଭୁକ୍ତ ହେବେ। ଏ ସମସ୍ତ ସ୍କୁଲରେ ଡିଜିଟାଲ୍ ସ୍ମାର୍ଟ କ୍ଲାସ୍ ରୁମ୍, ଆଧୁନିକ ବିଜ୍ଞାନାଗାର, ଇଣ୍ଟରନେଟ୍ ସଂଯୋଗ ଥିବା କମ୍ପ୍ୟୁଟର୍ ଲ୍ୟାବ୍, ସ୍ବଚ୍ଛ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସମେତ ଉନ୍ନତ ଶୌଚାଳୟ, ଖେଳ ପଡ଼ିଆ, ବଗିଚା, ପାଚେରୀ ଆଦି ନିର୍ମାଣ କରାଯାଉଛି। ଏହାର ପରିଚାଳନା ପାଇଁ ବେଶ୍ ମାତ୍ରାରେ ବିଦ୍ୟୁତ୍ ଶକ୍ତି ଆବଶ୍ୟକ। ତେବେ ସୌର ଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ କରି ବିଦ୍ୟାଳୟଗୁଡ଼ିକ ନିଜ ଚାହିଦା ପୂରଣ କରିବା ସହ ସାଧାରଣ ବିଜୁଳି ବଣ୍ଟନ ବ୍ୟବସ୍ଥା ଉପରେ ଅଧିକ ବୋଝ ପଡ଼ିବ ନାହିଁ ବୋଲି ଆଶା କରାଯାଉଛି। ୫-ଟି ରୂପାନ୍ତରିତ ସ୍କୁଲ କ୍ୟାମ୍ପସ୍ ଏବେ ଯୁଗପଯୋଗୀ, ଶକ୍ତି ସଂରକ୍ଷଣର ଅନୁକୂଳ ଆଦର୍ଶ ସୃଷ୍ଟି କରିବାକୁ ଯାଉଛି।

ପୁରୁଣାପାଟଣା, ପୋଚିଲିମା, ମକରଝୋଳ ହାଇସ୍କୁଲ ରାଜ୍ୟର ପ୍ରଥମ ପର୍ଯ୍ୟାୟରେ ସୌର ଶକ୍ତି ଦ୍ଵାରା ବିଦ୍ୟୁତ୍‌କରଣ କାର୍ଯ୍ୟକାରୀ ହୋଇଥିବା ସ୍କୁଲ ମଧ୍ୟରେ ଅନ୍ତର୍ଭୁକ୍ତ। ରାଜ୍ୟର ସମସ୍ତ ୫-ଟି ଟ୍ରାନ୍ସଫର୍ମେସନ୍‌ ହାଇସ୍କୁଲ ଗୁଡ଼ିକରେ ଏଭଳି ୟୁନିଟ୍ ସ୍ଥାପନ ନିମନ୍ତେ ଓଡ଼ିଶା ସରକାର ଯୋଜନା କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ଏହି ପ୍ରକଳ୍ପକୁ ପ୍ରାଥମିକତା ଭିତ୍ତିରେ ଗୁରୁତ୍ଵ ଦେଇ କାର୍ଯ୍ୟକାରୀ କରାଯାଉଛି। ଜିଲ୍ଲାପାଳ କୁଲାଙ୍ଗେ କହନ୍ତି ଯେ- ଜିଲ୍ଲାର ସମସ୍ତ ସ୍କୁଲରେ ୬ ମାସ ମଧ୍ୟରେ ସୋଲାର୍ ୟୁନିଟ ସ୍ଥାପନ କରାଯିବ। ଆତ୍ମନିର୍ଭରଶୀଳ ଓ ପରିବେଶ ଅନୁକୂଳ ଶକ୍ତି ଉତ୍ପାଦନ ନିମନ୍ତେ ଏହି ପ୍ରୟାସ ଫଳରେ ସ୍କୁଲ ଗୁଡ଼ିକରେ ସବୁ ସମୟରେ ବିଦ୍ୟୁତ୍ ବ୍ୟବସ୍ଥା ହୋଇପାରିବ ବୋଲି ସେ କହିଛନ୍ତି।

Comments are closed.