ତାରାତାରିଣୀ ପୀଠ ପ୍ରତିଷ୍ଠା ଉତ୍ସବ ୧୫ରୁ: ଅନୁକୂଳ ରୀତିନୀତି ସମ୍ପନ୍ନ

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତଥା ସାରା ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ନୂତନ ମନ୍ଦିର ବିଧିବଦ୍ଧ ପ୍ରତିଷ୍ଠା ଉତ୍ସବ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଏହି ପ୍ରତିଷ୍ଠା ଉତ୍ସବ ସକାଶେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଅନୁକୂଳ ରୀତିନୀତି ସମ୍ପନ୍ନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଉପସ୍ଥିତିରେ ପ୍ରତିଷ୍ଠା ଉତ୍ସବ ସକାଶେ ପ୍ରଥମ ଦୈବୀ ଆମନ୍ତ୍ରଣ ଦେବୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟ ସେବାୟତ ବାପୁଜୀ ରଣାଙ୍କୁ ଅର୍ପଣ କରାଯାଇଛି। ଏହି ଅନୁକୂଳ କାର୍ଯ୍ୟ ସକାଶେ ମନ୍ଦିର ପରିସରରେ ୧୦୮ ଜଳପୂର୍ଣ୍ଣ କୁମ୍ଭ ସ୍ଥାପନ କରାଯାଇଛି।

ମା’ ତାରାତାରିଣୀଙ୍କ ପୀଠରେ ୫୦ କୋଟିର ବିକାଶମୂଳକ କାର୍ଯ୍ୟ ଇତି ମଧ୍ୟରେ ଶେଷ ହେବା ଉପରେ। ପୀଠର ପ୍ରତିଷ୍ଠା ଉତ୍ସବ ୬ ଦିନ ବ୍ୟାପୀ ବିଭିନ୍ନ ନୀତିକର୍ମ ମଧ୍ୟରେ ସମ୍ପନ୍ନ ହେବ। ଏଥିରେ ୫ରୁ ୭ ଲକ୍ଷ ଭକ୍ତ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯୋଗ ଦେବାର ଅନୁମାନ କରାଯାଉଛି। ପୁରୀ ଶ୍ରୀମନ୍ଦିର ମୁକ୍ତି ମଣ୍ଡପର ସ୍ଵୀକୃତି ସମେତ ଗଞ୍ଜାମ ଜିଲ୍ଲାର ୬ ଗୋଟି ତାଲୁକାର ରାଜପଣ୍ଡିତବର୍ଗଙ୍କୁ ନିମନ୍ତ୍ରଣ କରାଯାଉଛି। ପ୍ରତିଷ୍ଠା ଉତ୍ସବ ସୁରୁଖୁରୁରେ ସମ୍ପନ୍ନ କରିବା ସହ ଦର୍ଶନାର୍ଥୀଙ୍କ ନିମନ୍ତେ ସମସ୍ତ ବ୍ୟବସ୍ଥା (କୋଭିଡ୍ ସଂକ୍ରମଣ ଆଶଙ୍କାର ମୁକାବିଲା, ଗ୍ରୀଷ୍ଣପ୍ରବାହର ପ୍ରତିକାର, ସ୍ବଚ୍ଛତା ଓ ଆଇନଶୃଙ୍ଖଳା ବଜାୟ ଦୃଷ୍ଟିରୁ) କରିବାରେ ଜୁଟିଯାଇଛି ପ୍ରଶାସନ।

ଉଲ୍ଲେଖଯୋଗ୍ୟ ଗତ ମାସ ୨୧ ତାରିଖରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇ ନବକଳେବର ହୋଇଥିବା ମନ୍ଦିରର ଭବ୍ୟ ପ୍ରତିଷ୍ଠା ଉତ୍ସବ ପାଳନ କରିବାକୁ ସ୍ଥିର କରାଯାଇଥିଲା। ପ୍ରତିଷ୍ଠା ଉତ୍ସବକୁ ମୁଖ୍ୟମନ୍ତ୍ରୀ, ପୁରୀ ଗଜପତି ମହାରାଜ, ପୁରୀ ଶଙ୍କରାଚାର୍ଯ୍ୟଙ୍କ ଭଳି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରିବାର ମଧ୍ୟ ଯୋଜନା ରହିଛି। ଏହାରି ମଧ୍ୟରେ ଖୋଦ୍ ଗଞ୍ଜାମ ଜିଲ୍ଲାପାଳ ଏଥିପାଇଁ ଶୁଭ ସ୍ଥାପନ କରିଥିଲେ। ଏହାପରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପ୍ରତିଷ୍ଠା ଉତ୍ସବ ପାଇଁ ଅନୁକୂଳ ରୀତିନୀତି ସମ୍ପନ୍ନ କରାଯାଇ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି। ଖୁବ୍ ଶୀଘ୍ର ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀଙ୍କ ନବକଳେବର ପୀଠର ପ୍ରତିଷ୍ଠା ଉତ୍ସବ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସକାଶେ ଆଧ୍ୟାତ୍ମିକ ଆନନ୍ଦରେ ଭରପୁର ମାହୋଲ ସୃଷ୍ଟି କରିବ। ଏଥିସହ ରାଜ୍ୟ ତଥା ଦେଶର ପର୍ଯ୍ୟଟନ ମାନଚିତ୍ରରେ ତାରାତାରିଣୀ ପୀଠର ମହତ୍ତ୍ବ ଆହୁରି ଅଧିକ ବୃଦ୍ଧି ପାଇବ।

Comments are closed.