ବ୍ରଜରାଜନଗର ଉପ ନିର୍ବାଚନ ପୂର୍ବରୁ ମୂରବିଶୂନ୍ୟ ହେଲା ବିଜେପି: ଜିଲ୍ଲା ସଭାପତିଙ୍କ ଇସ୍ତଫା

ଝାରସୁଗୁଡା: ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଆଉ ମାତ୍ର ୩ ଦିନ ଗଲେ ନାମାଙ୍କନ ଦାଖଲ ଶେଷ ହେବ। ହେଲେ ଏହାର ଅବ୍ୟବହିତ ପୂର୍ବରୁ ବିଜେପିକୁ ଶକ୍ତ ଧକ୍କା ଲାଗିଛି। ରବିବାର ଦଳ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରିବାର ୧୨ ଘଣ୍ଟା ନ ପୁରୁଣୁ ଜିଲ୍ଲା ସଭାପତି ମଂଗଳ ସାହୁ ତାଙ୍କ ପଦରୁ ଇସ୍ତଫା ଦେଇ ରାଜନୀତିକୁ ସରଗରମ କରି ଦେଇଛନ୍ତି। ଇସ୍ତଫାର ନିର୍ଦ୍ଧିଷ୍ଟ କାରଣରେ ଦଳର ଦୁର୍ବଳ ସଂଗଠନରେ ନିଜର ଅସହାୟତାକୁ ଉଲ୍ଲେଖ କରିଛନ୍ତି। ହେଲେ ବାସ୍ତବରେ ସେ ଟିକଟରୁ ବଂଚିତ ହୋଇ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।

ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିପାଇଁ ନାମାଙ୍କନ ଦାଖଲ ସମୟ ଆଉ ଦୁଇଦିନ ପରେ ଶେଷ ହେବ। ଏଥିପାଇଁ ବିଜେପି ରବିନାରାୟଣ ପ୍ରାର୍ଥୀ ଘୋଷଣା କରି ରାଧାରାଣୀଙ୍କୁ ଟିକଟ ଦେଇଛି। ହେଲେ ଏହାର ମାତ୍ର ୧୨ ଘଣ୍ଟା ନ ପୁରୁଣୁ ଜିଲ୍ଲା ସଭାପତି ମଂଗଳ ସାହୁ ରାଜ୍ଯ ସଭାପତି ସମୀର ମହାନ୍ତିଙ୍କୁ ରବିବାର ରାତିରେ ପଦ ଛାଡିଥିବା ନେଇ ଇସ୍ତଫା ପତ୍ର ପ୍ରେରଣ କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଗତ ୨୫ ବର୍ଷ ମଧ୍ୟରେ ସେ ଦଳର ରାଜ୍ଯ ସ୍ତରୀୟ ଅନେକ ପଦପଦବିରେ ରହି ସୂଚାରୁ ରୂପେ ଦାୟିତ୍ବ ନିର୍ବାହ କରି ଆସିଛନ୍ତି। ହେଲେ ଉଭୟ ଝାରସୁଗୁଡା ଓ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ମୂରବୀଶୂନ୍ୟ ଭାବେ ରହିଯାଇଛି। ଦଳର ନିଷ୍ଠାପର କର୍ମୀ ଏଥିରେ ହତୋତ୍ସାହିତ ହେଉଛନ୍ତି। ମୁଁ ଦଳକୁ ସଂଗଠିତ କରିବାକୁ ଅନେକ ପ୍ରଚେଷ୍ଟା କରିଥିଲେ ହେଁ ତାହା ସମ୍ଭବପର ନୁହେଁ। ତେଣୁ ମୁଁ ଦାୟିତ୍ବରୁ ଓହରି ଇସ୍ତଫା ଦେଉଛି ବୋଲି ସେ ଲେଖିଛନ୍ତି।

ତେବେ, ଶାସକ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ବିଜେପିର ଏଭଳି ଅବସ୍ଥା ଗେରୁଆ କର୍ମୀଙ୍କ ମନୋବଳ ଭାଙ୍ଗି ଦେଇଥିବା ଚର୍ଚ୍ଚା ହେଉଛି। ଅପରପକ୍ଷେ, ମଂଗଳ ନିଜେ ବ୍ରଜରାଜନଗର ଆସନରୁ ବିଜେପିର ଟିକଟ ଆଶାୟୀ ଥିବା ବେଳେ ରାଧାରାଣୀଙ୍କ ପ୍ରାର୍ଥୀତ୍ବ ଘୋଷଣା ପରେ ସେ ନିରାଶ ହୋଇ ଇସ୍ତଫା ଦେଇଥିବା କୁହାଯାଉଛି। ତେବେ, ବିନା ମୁଖିଆରେ ଦଳ କିଭଳି ନିର୍ବାଚନୀ ମଇଦାନକୁ ଓହ୍ଲାଇବ ବୋଲି ପ୍ରଶ୍ନ ଉଠିଛି। ସେପଟେ ବିଜେପିର ଏଭଳି ସ୍ଥିତି ବିଜେଡି ଶିବିରରେ ଉତ୍ସାହ ଖେଳାଇ ଦେଇଛି।

Comments are closed.