କାକଟପୁର ତହସିଲଦାରଙ୍କୁ ଅଭିନବ ଦଣ୍ଡାଦେଶ ଦେଲେ ହାଇକୋର୍ଟ

କଟକ – ବେପରୁଆ ଭାବେ ଜବରଦଖଲକାରୀଙ୍କୁ ଜୋରିମାନାରେ ଦଣ୍ଡିତ କରିଥିବା ଯୋଗୁଁ କାକଟପୁର ତହସିଲଦାରଙ୍କୁ ଅଭିନବ ଦଣ୍ଡାଦେଶ ଦେଇଛନ୍ତି ହାଇକୋର୍ଟ । ତହସିଲଦାରଙ୍କୁ ୫୦ଟି ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କଟକ ସିଡିଏର ଯେକୌଣସି ସେକ୍ଟରରେ ରାସ୍ତାକଡ଼ରେ ସେ ଗଛ ଲଗାଇବେ। ହାଇକୋର୍ଟର ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏକ ଜବରଦଖଲ ମାମଲାରେ ମିତା ଦାସଙ୍କୁ ଗତବର୍ଷ ସେପ୍ଟେମ୍ବର ୧୫ ତାରିଖରେ କାକଟପୁର ତହସିଲଦାରଙ୍କ କୋର୍ଟରେ ହାଜର ହେବାକୁ ନୋଟିସ୍ କରାଯାଇଥିଲା। ସେ ତହସିଲଦାରଙ୍କ କୋର୍ଟରେ ହାଜର ହୋଇଥିଲେ ମଧ୍ୟ ନୋଟିସର ଜବାବ ଦାଖଲ କରି ପାରି ନଥିଲେ। ତେବେ ତାଙ୍କୁ ଆଉ ସୁଯୋଗ ଦେବା ବଦଳରେ ସେହିଦିନ ହିଁ ତହସିଲଦାର ତାଙ୍କୁ ଜୋରିମାନାରେ ଦଣ୍ଡିତ କରିଥିଲେ। ତାଙ୍କ ପକ୍ଷ ନଶୁଣି ଏଭଳି ନିର୍ଦେଶ ଜାରି କରାଯାଇଥିବା ଦର୍ଶାଇ ମିତା ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ ତହସିଲଦାର ବେପରୁଆ ଭାବେ କାର୍ଯ୍ୟ କରିଥିବା କୋର୍ଟ କହିଛନ୍ତି । ତହସିଲଦାରଙ୍କ ଏଭଳି ଖାମଖିଆଲି କାର୍ଯ୍ୟ ତାଙ୍କୁ ଦଣ୍ଡିତ କରିଛନ୍ତି ହାଇକୋର୍ଟ । ଜବରଦଖଲ ମାମଲାର ଶୁଣାଣିରେ ତହସିଲଦାରଙ୍କ ଏଭଳି ଖାମଖିଆଲୀ ମନୋଭାବ ଯୋଗୁ ମୋକଦ୍ଦମା ସଂଖ୍ୟା ବଢୁଛି ବୋଲି ସେ କହିଥିଲେ। ଏଥିପାଇଁ ସମସ୍ତ ତହସିଲଦାରମାନଙ୍କୁ ତାଗିଦ କରିବାକୁ ରାଜସ୍ୱ ଓ ଆଇନ ସଚିବଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସମ୍ପୃକ୍ତ ମାମଲାର ଶୁଣାଣି ପୁନର୍ବାର କରିବାକୁ ତହସିଲଦାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.