ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବ ଗଞ୍ଜାମର ୩ ଜଳଭଣ୍ଡାର

ବ୍ରହ୍ମପୁର: କୌଣସି ସ୍ଥାନ ଯଦି ପ୍ରାକୃତିକ ସମ୍ଭାରରେ ପରିପୂର୍ଣ୍ଣ ତେବେ ତାହା ନିଶ୍ଚିତ ଭାବେ ଦେଖଣାହାରୀଙ୍କୁ ଆକୃଷ୍ଟ କରିବ। ସେଠାକୁ ଛୁଟି ଆସିବେ ଭ୍ରମଣକାରୀ। ତାହାକୁ ହିଁ ଆଧାର କରି ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଯୋଜନାକୁ ଆଗେଇ ନେବାକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜଳସମ୍ପଦ ବିଭାଗ ପକ୍ଷରୁ ରାଜ୍ୟର ୧୭ଟି ଜଳଭଣ୍ଡାରକୁ ପର୍ଯ୍ୟଟନସ୍ଥଳ ରୂପେ ବିକଶିତ କରିବାର ଯୋଜନା କରାଯାଇଛି। ଜଳସମ୍ପଦ ବିଭାଗ ସହ ବନ ବିଭାଗ, ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପର୍ଯ୍ୟଟନ ବିଭାଗ ମିଳିତ ଭାବେ ଏସବୁ ଡ୍ୟାମ୍‌କୁ ଟୁରିଷ୍ଟ ସ୍ପଟ୍ ରୂପ ଦେବେ। ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୫୦ କୋଟି ଟଙ୍କା ଆଗାମୀ ୨ ବର୍ଷ ପାଇଁ ମଞ୍ଜୁର ହୋଇଛି। ଅନ୍ୟାନ୍ୟ ବିଭାଗ ମଧ୍ୟ ନିଜସ୍ବ ପାଣ୍ଠି ଖର୍ଚ୍ଚ କରିବେ ଓ ବିଭିନ୍ନ ନିର୍ମାଣ ତଥା ଉନ୍ନୟନମୂଳକ କାର୍ଯ୍ୟ କରିବେ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପାର୍କ, ପକ୍କା ସଡ଼କ, ସୌନ୍ଦର୍ଯ୍ୟକରଣ ସମେତ ପର୍ଯ୍ୟଟକଙ୍କ ସକାଶେ ବିଭିନ୍ନ ସୁବିଧା ସୁଯୋଗ ପ୍ରସ୍ତୁତ କରାଯିବ।

ଏହି ଯୋଜନାରେ ସାମିଲ ହୋଇଛି ଗଞ୍ଜାମ ଜିଲ୍ଲାର ଧନେଇ, ଘୋଡ଼ାହାଡ଼ ଓ ଭଞ୍ଜନଗର ଡ୍ୟାମ୍। ସେଥିପାଇଁ ଅନ୍ୟ ବିଭାଗର ବ୍ୟୟବରାଦ ବ୍ୟତୀତ ଜଳସମ୍ପଦ ବିଭାଗ ତରଫରୁ ହିଁ ବ୍ୟୟ ହେବ ପ୍ରାୟ ୧୭ କୋଟି ଟଙ୍କା। ଗଞ୍ଜାମ ଜିଲ୍ଲାର ୨୨ଟି ମାନ୍ୟତାପ୍ରାପ୍ତ ପର୍ଯ୍ୟଟନସ୍ଥଳ ମଧ୍ୟରୁ ଗୋଟିଏ ହେଉଛି ଦିଗପହଣ୍ଡି ବ୍ଲକ୍‌ର ଘୋଡ଼ାହାଡ଼ ଡ୍ୟାମ୍ ଓ ଉଜ୍ଜଳେଶ୍ୱର ମନ୍ଦିର। ସେହିପରି ଭଞ୍ଜନଗର ଜଳଭଣ୍ଡାର ଯଦିଓ ପର୍ଯ୍ୟଟନ ବିଭାଗ ଦ୍ବାରା ବିଧିବଦ୍ଧ ମାନ୍ୟତା ପାଇନାହିଁ, ତଥାପି ଟୁରିଷ୍ଟ ସ୍ପଟ୍ ଭାବେ ଏହା ଜଳସମ୍ପଦ ବିଭାଗ ଦ୍ବାରା ବେଶ୍ ବିକଶିତ ହୋଇପାରିଛି। ନୂଆ କରି ପୋଲସରା ବ୍ଲକ୍‌ ଅନ୍ତର୍ଗତ ଧନେଇ ଜଳଭଣ୍ଡାରର ବିକାଶ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ଏସବୁ ଜଳଭଣ୍ଡାରର ବିସ୍ତୃତ ଜଳରାଶି, ପାହାଡ଼ ଓ ସବୁଜିମା ଘେରା ଦୃଶ୍ୟ ସହ ଘୋଡ଼ାହାଡ଼ ନିକଟ ଉଜ୍ଜଳେଶ୍ୱର ମନ୍ଦିର, ଭଞ୍ଜନଗର ଡ୍ୟାମ୍ ନିକଟ ଆକର୍ଷଣୀୟ ୬୧ ଫୁଟ ଉଚ୍ଚ ବେଲେଶ୍ଵର ଶିବମୂର୍ତ୍ତି, ଧନେଇ ଠାରୁ କିଛି କିମି ଦୂରରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ସିଂହାସିନୀ ମନ୍ଦିର ସାଙ୍ଗକୁ ପ୍ରସିଦ୍ଧ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ଏହି ତିନିଟି ଯାକ ଜଳଭଣ୍ଡାରକୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଅଧ୍ୟାତ୍ମିକ ସମ୍ଭାରରେ ପରିପୂର୍ଣ୍ଣ କରୁଛି। ଘୋଡ଼ାହାଡ଼ ଜଳଭଣ୍ଡାର କୁମ୍ଭୀରମାନଙ୍କ ବାସସ୍ଥଳ ପାଇଁ ମଧ୍ୟ ସୁପରିଚିତ। ଏଣୁ ଜୀବପ୍ରେମୀ, ପ୍ରକୃତିପ୍ରେମୀ ଓ ଆଧ୍ୟାତ୍ମିକପ୍ରେମୀ ଏହି ସ୍ଥାନକୁ ଆକୃଷ୍ଟ ହୋଇ ଆସିଥାନ୍ତି। ଧନେଇ ଡ୍ୟାମ୍‌ର ପଥର ବନ୍ଧ ସାଙ୍ଗକୁ ନିକଟରେ ନିର୍ମିତ ସୁନ୍ଦର ପିଚୁ ରାସ୍ତା ପୀଠକୁ ଅଧିକ ଆକର୍ଷଣୀୟ କରୁଛି। ୧୨୮ ବର୍ଷ ପୁରୁଣା ଭଞ୍ଜନଗର ଜଳଭଣ୍ଡାର ନିକଟରେ ଥିବା ଆକର୍ଷଣୀୟ ବିଜୁ ପଟ୍ଟନାୟକ ପାର୍କ, ମ୍ୟୁଜିକାଲ ଲାଇଟ୍‌ ସୋ’, ଟୟ ଟ୍ରେନ୍, ବୋଟିଂ ସୁବିଧା ଭ୍ରମଣକାରୀଙ୍କୁ ଆକୃଷ୍ଟ କରିଥାଏ। ସେହି ନିକଟରେ ବିଶ୍ୱର ୭ମ ସର୍ବବୃହତ୍ ମହାଦେବ ମୂର୍ତ୍ତି କୁହାଯାଉଥିବା ବେଲେଶ୍ଵର ଶିବ ପ୍ରତିମୂର୍ତ୍ତି ଅନନ୍ୟ ଆକର୍ଷଣ ସାଜିଛି। ଏଠାରୁ କିଛି ଦୂରରେ ଥିବା କୁଲାଡ଼ ବ୍ୟାଘ୍ରଦେବୀ ପୀଠ ମଧ୍ୟ ଅନ୍ୟତମ ଶକ୍ତିପୀଠ ଭାବେ ସୁପରିଚିତ।

ସୂଚନା ମୁତାବକ ଜଳଭଣ୍ଡାରମାନଙ୍କ ବିକାଶ ଯୋଜନା ନେଇ ଡିପିଆର୍ ପ୍ରସ୍ତୁତ କରାଯାଉଛି। ତିନିଟି ଯାକ ଜଳଭଣ୍ଡାର ନିକଟରେ ଇକୋ- ରିଟ୍ରିଟ୍ କରାଯିବାର ଯୋଜନା ରହିଛି। ଯେଉଁଠାରେ ପର୍ଯ୍ୟଟକ ରହି ଏକତ୍ର ପ୍ରାକୃତିକ ଓ ଆଧ୍ୟାତ୍ମିକ ସମ୍ଭାର ଉପଭୋଗ କରିପାରିବେ। ନିକଟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପୋଲସରା ବ୍ଲକ୍ ପରିଦର୍ଶନ ବେଳେ ଧନେଇ ଡ୍ୟାମ୍‌ରେ ଅଧିକ ଉନ୍ନୟନମୂଳକ କାର୍ଯ୍ୟ କିଭଳି କରିହେବ ତାହା ଅନୁଧ୍ୟାନ କରିଛନ୍ତି। ବନ ବିଭାଗ, ଜଳସମ୍ପଦ ବିଭାଗ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଜିଲ୍ଲାସ୍ତରରେ ଏକ ଭର୍ଚୁଆଲ ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଯୋଜନାକୁ ରୂପରେଖ ଦିଆଯାଇଛି। ପର୍ଯ୍ୟଟକଙ୍କ ନିମନ୍ତେ ଆନୁସଙ୍ଗିକ ସୁବିଧା ସୁଯୋଗ ସୃଷ୍ଟି କରାଯିବା ପରେ ନିଶ୍ଚିତ ଭାବେ ଭ୍ରମଣକାରୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଏହି ପଦକ୍ଷେପ ଦ୍ବାରା ଆଗାମୀ ଦିନରେ ରାଜ୍ୟ ତଥା ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ର ଆହୁରି ସମୃଦ୍ଧ ହେବ ସେଥିରେ ଦ୍ବିମତ ନାହିଁ।

Comments are closed.