କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ, ୧୨ଟି ଶୃଙ୍ଖଳା ଲାଗି ହେବ ବ୍ଲକସ୍ତରୀୟ ପ୍ରତିଭା ଚୟନ

ଭୁବନେଶ୍ୱର – କ୍ରୀଡ଼ା ଓ ଯୁବସେବା ବିଭାଗ ଓଡ଼ିଶା ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ୧୦ ରୁ ୧୫ ବର୍ଷ ବୟସର ବାଳକ ବାଳିକାଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି I ବ୍ଲକସ୍ତରରେ ସାରା ରାଜ୍ୟରେ ଆଜିଠାରୁ ଜୁନ ୩ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I

ଏହି କାର୍ଯ୍ୟକ୍ରମ ପାଇଁ ବିଭାଗୀୟ ପୋର୍ଟାଲ ମାଧ୍ୟମରେ ୩୦ଟି କ୍ରୀଡ଼ା ଶୃଙ୍ଖଳାରେ ୬୦୯୫୪ ବାଳକ ବାଳିକା ଆଗ୍ରହ ପ୍ରକାଶ କରି ଅନଲାଇନ ଦରଖାସ୍ତ କରିଥିଲେ। ରାଜ୍ୟର କ୍ରୀଡ଼ା ଛାତ୍ରାବାସରେ ଖାଲି ଥିବା ସ୍ଥାନ ପୂରଣ ନିମନ୍ତେ ୧୨ ଟି ଶୃଙ୍ଖଳାରେ ୧୦ ରୁ ୧୫ ବର୍ଷ ବୟସ ମଧ୍ୟରେ ବ୍ଲକସ୍ତରରେ ୩୧,୭୭୪ ଜଣ ବାଳକ ବାଳିକାଙ୍କୁ ଆହ୍ବାନ କରାଯାଇଛି। ଏହି ଶୃଙ୍ଖଳା ଗୁଡିକ ହେଲା -ତୀରନ୍ଦାଜ , ଦୌଡ଼କୁଦ, ସାଇକେଲ ଚାଳନା, ବାସ୍କେଟବଲ, ଫୁଟବଲ, ଜିମନାଷ୍ଟିକ, ହକି, ଜୁଡୋ, କବାଡି, ଖୋ-ଖୋ, ଭଲିବଲ ଏବଂ କୁସ୍ତି । ସନ୍ତରଣ ଓ ଭାରୋତ୍ତଳନ ପାଇଁ ପୃଥକ ଭାବରେ ପ୍ରତିଭା ଚୟନ କାର୍ଯ୍ୟ ଆରମ୍ଭ ହେଉଛି।

ରାଜ୍ୟର ୩୦ ଗୋଟି ଜିଲ୍ଲାରେ ବ୍ଲକ ସ୍ତରରେ ୧୬୫ଟି ପରୀକ୍ଷଣ କେନ୍ଦ୍ର ନିର୍ଦ୍ଧାରିତ ହୋଇଅଛି। ପ୍ରତ୍ୟେକ କେନ୍ଦ୍ର ଦାୟିତ୍ୱରେ ଜଣେ ଲେଖାଏ ବରିଷ୍ଠ କ୍ରୀଡ଼ା ଶିକ୍ଷକ କେନ୍ଦ୍ର ମୁଖ୍ୟ ଦାୟିତ୍ୱ ନିର୍ବାହ କରିବେ। ତତ୍ସହିତ, ଅନ୍ୟାନ୍ୟ କର୍ମଚାରୀ ବିଭିନ୍ନ ଦାୟିତ୍ୱ ତୁଲାଇବେ। ରାଜ୍ୟ ସ୍ତରରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ କେନ୍ଦ୍ର ମୁଖ୍ୟ ମାନଙ୍କର ବୈଷୟିକ ପ୍ରଶିକ୍ଷଣ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହିତ ଅନୁଷ୍ଠିତ ହୋଇସାରିଛି। ଏହି କାର୍ଯ୍ୟକ୍ରମରେ ନିୟୋଜିତ ତଥ୍ୟ ସଂଚାଳକ ମାନଙ୍କର ପ୍ରଶିକ୍ଷଣ ମଧ୍ୟ ଶେଷ ହୋଇଅଛି। ଜିଲ୍ଲାପାଳ ମାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବ୍ଲକ ଓ ଜିଲ୍ଲା ସ୍ତରରେ କାର୍ଯ୍ୟକ୍ରମ କରାଯିବ। ପ୍ରତି ଜିଲ୍ଲାରେ ଏଥିପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡ଼ାଲ ଅଫିସର ଭାବରେ ଦାୟିତ୍ୱ ଦିଆଯାଇଛି। ଜିଲ୍ଲା କ୍ରୀଡ଼ା ଅଧିକାରୀ ସମସ୍ତଙ୍କ ସହିତ ଉପଯୁକ୍ତ ସମନ୍ବୟ ରକ୍ଷା କରି ଏହି କାର୍ଯ୍ୟ ପରିଚାଳନା କରିବେ। ପରୀକ୍ଷଣ କେନ୍ଦ୍ରରେ ବାଳକ ବାଳିକା ତଥା ଅନ୍ୟ ମାନଙ୍କ ପାଇଁ ଆବଶ୍ୟକୀୟ ସର୍ବନିମ୍ନ ସୁବିଧା ଉପଲବ୍ଧ କରାଇବା ପାଇଁ ପଦକ୍ଷେପ ନିଆଯାଇଛି।

ସମସ୍ତ ବାଳକ ବାଳିକା ତଥା ସେମାନଙ୍କ ଅଭିଭାବକମାନଙ୍କୁ ସେମାନଙ୍କ ପଞ୍ଜିକୃତ ମୋବାଇଲ ମାଧ୍ୟମରେ ପରୀକ୍ଷଣ ସ୍ଥାନ, ସମୟ ଓ ଦିବସର ସୂଚନା ଦିଆଯାଇଛି। ପୁନଶ୍ଚ, ସେମାନଙ୍କ ବିଦ୍ୟାଳୟକୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିରେ ଅଂଶଗ୍ରହଣ କରିବାକୁ ଥିବା ପ୍ରତିଯୋଗୀ ଉପଯୁକ୍ତ ଜନ୍ମ ପ୍ରମାଣପତ୍ର ସଙ୍ଗରେ ଆଣିବାକୁ କୁହାଯାଇଛି।

ଏହି କାର୍ଯ୍ୟକୁ ଶୃଙ୍ଖଳିତ ଭାବରେ ପରିଚାଳନା କରିବା ପାଇଁ ବିଭାଗ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି। ଏଥିରେ ପର୍ଯ୍ୟାପ୍ତ ପ୍ରଯୁକ୍ତି ଓ ବୈଷୟିକ କୌଶଳ ବ୍ୟବହାର କରାଯାଇଛି। ବ୍ଲକ ଓ ଜିଲ୍ଲା ସଂପାନ ଶେଷ ହେବାପରେ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କ୍ରୀଡା ଛାତ୍ରାବାସରେ ଭିନ୍ନ ଅନ୍ୟ କ୍ରୀଡ଼ା ଶୃଙ୍ଖଳାରେ ଆଗ୍ରହୀ ପଞ୍ଜିକୃତ ବାଳକ ବାଳିକା ମାନଙ୍କୁ ସଂପୃକ୍ତ ରାଜ୍ୟ କ୍ରୀଡ଼ା ସଙ୍ଗଠନ ମାନଙ୍କ ସହଭାଗୀତାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ। ଛାତ୍ର ଛାତ୍ରୀ, ଶିକ୍ଷକ ଅଭିଭାବକ, ପ୍ରଶିକ୍ଷକ, କ୍ରୀଡ଼ା ସଂଗଠନ ମାନଙ୍କୁ ଏହି କାର୍ଯ୍ୟକ୍ରମ କୁ ସଫଳ କରାଇବା ପାଇଁ ସହଯୋଗ କରିବା ପାଇଁ ଆହ୍ୱାନ କରାଯାଉଛି।

Comments are closed.