ବ୍ରଜରାଜନଗର ରେଜଲ୍ଟ : ବିଜେଡିର ଲୋକପ୍ରିୟତା ଅକ୍ଷୁର୍ଣ୍ଣ, କଂଗ୍ରେସକୁ ଆଶ୍ୱସ୍ତି, ବିଜେପି ପାଇଁ ସତର୍କ ଘଣ୍ଟି

ଭୁବନେଶ୍ୱର – ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ରେକର୍ଡ ୬୬୧୨୨ ଭୋଟ୍ ବ୍ୟବଧାନରେ ବିଜୟୀ ହେଲାପରେ ସ୍ପଷ୍ଟ ହୋଇଛି ଶାସକ ଦଳର ଶକ୍ତି ଓ ଲୋକପ୍ରିୟତା । ଏବେ ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟରେ ନମ୍ବର ଟୁ ପୋଜିସନ ପାଇଁ ହିଁ ଲଢେଇ ହେବ । ବ୍ରଜରାଜନଗର ନଗର ଉପନିର୍ବାଚନ ଫଳାଫଳରୁ ଏମିତି କିଛି ସଂକେତ ମିଳିଛି । ଫଳାଫଳ ରାଜ୍ୟ ରାଜନୀତିକୁ ନୂଆ ମୋଡ଼ ଦେଇପାରେ । ୨୦୧୭ ପଂଚାୟତ ନିର୍ବାଚନ ପରଠୁ କଂଗ୍ରେସକୁ ପଛରେ ପକାଇ ବିଜେପି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି । ହେଲେ ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ନିଜର ଅମାନତ ବଂଚାଇ ପାରିନାହାନ୍ତି । ବିଜେପିକୁ ପଛରେ ପକାଇ କଂଗ୍ରେସ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛି । ଯାହାକି ରାଜ୍ୟ ବିଜେପି ପାଇଁ ସତର୍କ ଘଣ୍ଟି ହୋଇଛି । କଂଗ୍ରେସ ପାଇଁ ନିଶ୍ଚିତ ଭାବେ ଏହି ଫଳାଫଳ ମନୋବଳ ବୃଦ୍ଧି କରିବାରେ ସହାୟକ ହେବ ।

ବ୍ରଜରାଜନଗର ଉପନିର୍ବାଚନରେ ମୋଟ ୧ ଲକ୍ଷ ୫୩ ହଜାର ୩୯୮ଟି ବୈଧ ଭୋଟ ମଧ୍ୟରୁ ବିଜେଡି ପ୍ରାର୍ଥୀ ଅଳକାଙ୍କ ସପକ୍ଷରେ ୯୩୯୫୩ , କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ୨୭୮୩୧ଖଣ୍ଡ ଓ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୨୨୬୩୦ ଭୋଟ୍ ମିଳିଛି । ଅନ୍ୟ ୮ଜଣ ପ୍ରାର୍ଥୀଙ୍କୁ ସର୍ବମୋଟ ୮୯୮୪ଖଣ୍ଡ ଭୋଟ୍ ମିଳିଛି । ବିଜେଡି ପ୍ରାର୍ଥୀ ଅଳକା ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର କିଶୋର ପଟେଲଙ୍କୁ ୬୬୧୨୨ ଭୋଟ୍ ବ୍ୟବଧାନରେ ହରାଇଛନ୍ତି । ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୫୮(୪) ଅନୁସାରେ ଯଦି କୌଣସି ପ୍ରାର୍ଥୀ ମୋଟ ମତଦାନର ଭୋଟ ଏକ ଷଷ୍ଠାଂଶ ଭୋଟ୍ ପାଇବାରେ ବିଫଳ ହୁଅନ୍ତି ତାହାହେଲେ ସମ୍ପୃକ୍ତ ପ୍ରାର୍ଥୀଙ୍କ ଅମାନତ ରାଶି ଜବତ ହେବ । ଏହି ଆଧାରରେ ବ୍ରଜରାଜନଗରରେ ଅମାନତ ରଖିବା ପାଇଁ ୨୫, ୫୬୬ଖଣ୍ଡ ଭୋଟର ଆବଶ୍ୟକ ଥିଲା। ମାତ୍ର ବିଜେପି ପ୍ରାର୍ଥୀ ରାଧାରାଣୀଙ୍କୁ ମିଳିଛି ମାତ୍ର ୨୨୬୩୦ ଭୋଟ୍ । ଯାହାକି ସିଧାସଳଖ ତାଙ୍କର ଜମାନତ ରାଶି ଜବତ ହୋଇଥିବା ସ୍ପଷ୍ଟ କରୁଛି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ନିଜର ଜମାନତ ରଖିବାରେ ସକ୍ଷମ ହୋଇଛନ୍ତି । ଆଉ ଏହି ନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିବ ବୋଲି କୁହାଯାଉଛି । ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଥିବା କଂଗ୍ରେସ ପାଇଁ ଆଶାର କିରଣ ସଦୃଶ ହୋଇଛି ବ୍ରଜରାଜନଗର ରେଜଲ୍ଟ ।

Comments are closed.