ରଙ୍ଗ ଓ ତୁଳିରେ ପରିବେଶ ସଂରକ୍ଷଣ ବାର୍ତ୍ତା

ବ୍ରହ୍ମପୁର: ଋଗଣ ମଣିଷଟିଏ ମୁହଁରେ ଲାଗିଛି ମାସ୍କ। ତା ମସ୍ତିଷ୍କର ଊର୍ଦ୍ଧ୍ବ ଭାଗରେ ଅଙ୍କିତ ହୋଇଛି କଳକାରଖାନାରୁ ନିର୍ଗତ ହେଉଥିବା ବିଷାକ୍ତ ଓ ଦୂଷିତ ବାଷ୍ପର ଚିତ୍ର।… ରଶିରେ ଝୁଲୁଛି ମଣିଷଟିଏ। ମସ୍ତିଷ୍କ ସ୍ଥାନରେ ରହିଛି ପୃଥିବୀ ଯାହା ସବୁଜିମା କମ୍ ଓ ପ୍ରଦୂଷିତ ଅଧିକ ଜଣାପଡୁଛି। ମାନବଜଣକ ଏକ ବରଫ ଖଣ୍ଡ ଉପରେ ଠିଆ ହୋଇଛି ଓ ତାର ଚାରିପଟେ ଥିବା ହିମ ପର୍ବତ ଧିରେ ଧିରେ ତରଳିବାରେ ଲାଗିଛି।… ବୁଦ୍ଧ ଦେବଙ୍କ ଆକୃତିରେ ଧ୍ୟାନ ମୁଦ୍ରାରେ ବସିଛି ଜଣେ ମଣିଷ। ତାର ମସ୍ତିଷ୍କ ସ୍ଥାନରେ ରହିଛି ଶୁଖିଲା ଗଛର ଥୁଣ୍ଟା ଶାଖା ଯେଉଁଥିରେ ଝୁଲୁଛି ହାତଗଣତି ଶୁଖିଲା ପତ୍ର। ଗଛର କୋରଡ଼ ସ୍ଥାନରେ ଜଳନ୍ତା ସୂର୍ଯ୍ୟ। ପୃଥିବୀକୁ ନିଜ ହାତରେ ଧରି ତାହାର ସୁରକ୍ଷା ପାଇଁ ଧ୍ୟାନ କରୁଛି ସେ।… ଏସବୁ ଥିଲା ବିଏମ୍‌ସି ସହଯୋଗରେ ଏକ୍ସ-ଜେନ୍ କଲେଜ ଅଫ୍ ଆର୍ଟ ଦ୍ବାରା ଅନୁଷ୍ଠିତ ପେଣ୍ଟିଂ ଶିବିର ଓ ପ୍ରଦର୍ଶନୀର ଦୃଶ୍ୟ। ରାମଲିଙ୍ଗେଶ୍ୱର ପାର୍କର ସବୁଜିମା ଓ ପ୍ରାକୃତିକ ପରିବେଶ ମଧ୍ୟରେ ଅଭିଜ୍ଞ ଚିତ୍ରକରଙ୍କ ଠାରୁ ଆରମ୍ଭ କରି ସ୍କୁଲ ଛାତ୍ରଛାତ୍ରୀମାନେ କାନ୍‌ଭାସରୁ ଆରମ୍ଭ କରି ଡ୍ରଇଙ୍ଗ ସିଟ୍‌ରେ ଚିତ୍ର ଆଙ୍କିବା ସହ ତାଙ୍କୁ ରଙ୍ଗ ଦେବାରେ ଲାଗିଥିଲେ।

କେଉଁଠି ଗର୍ଭବତୀ ମହିଳାଙ୍କ ଶରୀରରେ ପୃଥିବୀ ଓ ଚାରିପଟେ ଶୁଷ୍କ ମରୁଭୂମି ଏବଂ ବହୁ ସଂଖ୍ୟକ କଳକାରଖାନା ଚିତ୍ର ତ ଆଉ କେଉଁଠି ଶିଳ୍ପାଞ୍ଚଳର ଉଚ୍ଚ ଚିମନିରୁ ନିର୍ଗତ କଳା ଧୂଆଁ ମଧ୍ୟରେ ବଞ୍ଚିବା ପାଇଁ ସଂଘର୍ଷରତ ଚାରାଟିଏର ଦୃଶ୍ୟ ଅଙ୍କା ହୋଇଥିଲା। କେଉଁଠି କଟା ଗଛର ଗଣ୍ଡି ପାଖରେ ବସିଥିବା ଚାଷୀ ପ୍ରଚଣ୍ଡ ରୌଦ୍ରତାପ ଦେଉଥିବା ସୂର୍ଯ୍ୟଙ୍କୁ ଆଡକୁ ଚାହିଁ ରହିଛି ଆଉ ତା ଚାରିପଟେ ସାରା ଜମି ଶୁଷ୍କ ମରୁଭୂମି ପାଲଟି ଯାଇଛି, ଲଙ୍ଗଳ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି ଓ ଗାଈଗୋରୁଙ୍କୁ ଖାଇବାକୁ ତୃଣଟିଏ ସୁଦ୍ଧା ନଥିବାର ଅତ୍ୟନ୍ତ କରୁଣ ଦୃଶ୍ୟ କାନଭାସ୍‌ରେ ସ୍ଥାନ ପାଇଥିଲା। କେଉଁଠି ଟିକ୍‌ଟିକ୍ ଟାଇମ୍ ମେସିନ୍‌ର ଗୋଟିଏ ପାର୍ଶ୍ବରେ ହିମ ପର୍ବତ ତରଳି ସମୁଦ୍ର ଉଛୁଳିଛି ତ ଆରପାର୍ଶ୍ଵର ସହର, ଗ୍ରାମ ଆଦି ବନ୍ୟାରେ ବୁଡ଼ି ଯାଉଥିବାର ଦୃଶ୍ୟ, ପୁଣି ଜଣେ ବୃଦ୍ଧା ଚାରାଟିଏ ଧରି ପୃଥିବୀକୁ ବଞ୍ଚାଇ ରଖିବାର କରୁଣ ନିବେଦନ କରୁଥିବାର ପେଣ୍ଟିଂ ସବୁ ଦର୍ଶାଉଥିଲା ଆଜିକାର ସମୟରେ ପରିବେଶ ସଂରକ୍ଷଣର ବାସ୍ତବ ଦୃଶ୍ୟ କଣ। ଆମକୁ କିଭଳି ଏବେଠାରୁ ସଚେତନ ହୋଇ ଆଗାମୀ ପୀଢ଼ି ପାଇଁ ପରିବେଶକୁ ବଞ୍ଚାଇ ରଖିବାକୁ ହେବ ସେହି ସଚେତନତା ବାର୍ତ୍ତା ଦେଉଥିଲା ଏହି କାର୍ଯ୍ୟକ୍ରମ।

ଉଲ୍ଲେଖଯୋଗ୍ୟ ଯେ ଏକ୍ସ ଜେନ୍ କଲେଜ ଅଫ୍ ଆର୍ଟ ଠାରେ ବିଏମ୍‌ସି ଆନୁକୂଲ୍ୟରେ ମାସିକିଆ ଚିତ୍ରାଙ୍କନ ପ୍ରଶିକ୍ଷଣ ଗ୍ରୀଷ୍ଣକାଳୀନ ଶିବିର ଚାଲୁ ରହିଛି। ବିଶ୍ୱ ପରିବେଶ ଦିବସ ଅବସରରେ ସେହି ଅନୁଷ୍ଠାନର ପ୍ରଶିକ୍ଷାର୍ଥୀ ଓ ସମର୍ କ୍ୟାମ୍ଫରେ ସାମିଲ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏହି ଭିନ୍ନ ଧରଣର ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବିଏମସି କମିଶନର ଡ. ସିଦ୍ଧେଶ୍ୱର ବଳିୟାର ବୋନ୍ଦାରଙ୍କ ସମେତ ବହୁ ପ୍ରଶାସକ ଓ ଜନପ୍ରତିନିଧି ପାର୍କକୁ ଯାଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବା ସହ ଏଭଳି ଚିତ୍ରାଙ୍କନର ପ୍ରଶଂସା କରିଥିଲେ। ଆଗାମୀ ପୀଢ଼ି ପାଇଁ ପ୍ରକୃତି ରକ୍ଷା ନିମନ୍ତେ ସଚେତନତା ବାର୍ତ୍ତା ଦେଉଥିବା ଏହି କାର୍ଯ୍ୟକ୍ରମ ଦେଖଣାହାରୀଙ୍କ ମନ ଜିଣି ନେଇଥିଲା।

Comments are closed.