ନିଶା ବେପାରୀଙ୍କ ସଂପତ୍ତି ବାଜ୍ଯାପ୍ତ

ଖଲ୍ଲିକୋଟ – ଜଣେ କୋଟିପତି ନିଶା ବେପାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି । ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀର ରଜନୀକାନ୍ତ ପଟ୍ଟନାୟକଙ୍କ ପ୍ରାୟ ୬ କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତି ବାଜ୍ୟାପ୍ତ କରିଛି କୋଲକତା ସ୍ଥିତ ଅର୍ଥ ମନ୍ତ୍ରାଳୟର କମ୍ପିଟେଣ୍ଟ ଅଥରିଟି ।ରଜନୀକାନ୍ତଙ୍କ ଜବତ ସମ୍ପତି ମଧ୍ୟରେ ରହିଛି ୪.୫୨ କୋଟି ଟଙ୍କାର ସୁନା ଅଳଙ୍କାର, ନଗଦ ୭୫ଲକ୍ଷ ଟଙ୍କା, ବ୍ୟାଙ୍କ ଏନକାଉଣ୍ଟରେ ଜମା ଥିବା ୫ଲକ୍ଷ ଟଙ୍କା, ୩ଲକ୍ଷ ଟଙ୍କାର ଏଲଆଇସି ପଲିସି, ୩୨ ଲକ୍ଷ ଟଙ୍କା ମୂଲ୍ୟର ଜମି । ଏହି ସବୁ ସମ୍ପତ୍ତି ବାଜ୍ୟାପ୍ତ ହୋଇଥିବା ନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଚିଠି ହୋଇଥିବା ଖଲ୍ଲିକୋଟ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

୨୦୨୧ ଅକ୍ଟୋବର ୨୨ ତାରିଖରେ ରଜନୀକାନ୍ତ ନିଜ ସ୍କୁଟିରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଧରାପଡିଥିଲେ। ପରେ ତାଙ୍କ ଘରେ ଚଢ଼ାଉ କରି ୩୫ କିଲୋ ଗଞ୍ଜେଇ, ୧୦କିଲୋ ଅଫିମ ଜବତ କରିଥିଲା ପୋଲିସ । ଚଢ଼ାଉରେ ରଜନୀକାନ୍ତଙ୍କ ଘରୁ ସାଢ଼େ ୪ କୋଟ ଟଙ୍କାର ୮ କେଜି ୫୦୦ ଗ୍ରାମ ସୁନା ଅଳଙ୍କାର, ଓ ନଗଦ ୭୫ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏନେଇ ଖଲ୍ଲିକୋଟ ଥାନାରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ପରେ ପୋଲିସ ରଜନୀକାନ୍ତଙ୍କ ଅର୍ଥନୈତିକ କାରବାର ତଦନ୍ତ କରିବାକୁ କମ୍ପିଟେଣ୍ଟ ଅଥରିଟିଙ୍କୁ ଅନୁରୋଧ କରିଥିଲା। ଅଥରିଟି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଥରିଟି ପକ୍ଷରୁ ରଜନୀକାନ୍ତଙ୍କୁ ପଚରାଉଚରା କରାଯାଇଥିବା ବେଳେ ସେ ସମ୍ପତ୍ତି କେମିତି ରୋଜଗାର କରିଛନ୍ତି ତାହାର ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ । ଯାହା ଫଳରେ ଜୁନ୪ ତାରିଖରେ ତାଙ୍କ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରାଯାଇଛି ।

Comments are closed.